ନୂଆଦିଲ୍ଲୀ: ଭାରତ ବିଶ୍ୱର ଅନ୍ୟତମ ସର୍ବାଧିକ ମୁକ୍ତ ଅର୍ଥନୀତି ଭା‌‌ବେ ବର୍ଣ୍ଣନା କରି ଏଠାରେ ପୁଞ୍ଜିନିବେଶ କରିବା ଲାଗି ପ୍ରବାସୀ ନିବେଶକ, ପୁଞ୍ଜିପତି ଓ ଉଦ୍ୟୋଗୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଇଣ୍ଡିଆ ଗ୍ଲୋବାଲ୍ ସପ୍ତାହ ୨୦୨୦କୁ ଉଦ୍‌ଘାଟନ କରି ସେ କହିଛନ୍ତି, ଭାରତ ହେଉଛି ବହୁଳ ସମ୍ଭାବନା ଓ ସୁଯୋଗର ଦେଶ। ଏହାର ସୁଯୋଗ ନେଇ ଭାରତରେ ନିଜ ନିଜର ବ୍ୟବସାୟ ଆରମ୍ଭ କରିବାକୁ ସେ ବହୁଦେଶୀୟ କଂପାନିମାନଙ୍କୁ ନିମନ୍ତ୍ରଣ କରିଛନ୍ତି।

Advertisment

ସେ କହିଲେ, ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟାର ଅନୁକୂଳ ଲକ୍ଷଣମାନ ଦେଖାଦେଲାଣି। ଦେଶର ପ୍ରତିଭାବାନ୍ କର୍ମଶକ୍ତି ଯୋଗୁଁ ଏହା ସମ୍ଭବ ହୋଇଛି। ଏବେ ପ୍ରଯୁକ୍ତି ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ବିଶେଷ ସହାୟତା ଯୋଗାଉଛି। ହିତାଧିକାରୀମାନଙ୍କୁ ସରକାରୀ ଲାଭ ସିଧାସଳଖ ମିଳିପାରୁଛି। ମାଗଣା ରୋଷେଇ ଗ୍ୟାସ୍, ଲୋକଙ୍କ ବ୍ୟାଙ୍କ ଖାତାରେ ଟଙ୍କା, କୋଟି କୋଟି ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଣ ଓ ଆହୁରି ଅନେକ କାର୍ଯ୍ୟ ପ୍ରଯୁକ୍ତି ମାଧ୍ୟମରେ ସମ୍ଭବ ହୋଇଛି। କୃଷି, ଏମ୍ଏସ୍‌ଏମ୍‌ଇ, ପ୍ରତିରକ୍ଷା ଓ ମହାକାଶ ବିଜ୍ଞାନରେ ମଧ୍ୟ ପୁଞ୍ଜିନିବେଶର ବିପୁଳ ସୁଯୋଗ ରହିଛି। ଏହି ସବୁ ‌କ୍ଷେତ୍ରରେ ବ୍ୟାପକ ସଂସ୍କାର ଅଣାଯାଇଛି। କରୋନା ସଙ୍କଟ ସମୟରେ ଭାରତର ଔଷଧ ଜଗତ କେବଳ ଭାରତ ପାଇଁ ନୁହେଁ ବରଂ ସାରା ବିଶ୍ବର ଆବଶ୍ୟକତା ପୂରଣ କରୁଥିବା ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି। ଆତ୍ମନିର୍ଭର ଭାରତର ଅର୍ଥ ନୁହେଁ, କେବଳ ଆତ୍ମସମର୍ଥ ଅଥବା ବାହାର ଦୁନିଆରୁ ଅଲଗା ହୋଇ ରହିବା। ଭାରତ ଆତ୍ମନିର୍ଭର ଓ ଆତ୍ମ ଉତ୍ପାଦନକ୍ଷମ ହୋଇ ଅନ୍ୟ ଦେଶଗୁଡ଼ିକର ସ୍ବାର୍ଥକୁ ମଧ୍ୟ ଦେଖିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶ୍ବ ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟାରେ ଭାରତ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ସେ କହିଛନ୍ତି। ବିଶିଷ୍ଟ ସୀତାରବାଦକ ପଣ୍ଡିତ ରବିଶଙ୍କରଙ୍କ ଜନ୍ମ ଶତବାର୍ଷିକ ଅବସରରେ ଏହି ମଞ୍ଚ ଆୟୋଜିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ପାରସ୍ପରିକ ଅଭିବାଦନରେ ‘ନମସ୍ତେ’ କିପରି ସମଗ୍ର ବିଶ୍ୱରେ ପ୍ରସାରିତ ହୋଇଛି ତାହାର ଉଦାହରଣ ମଧ୍ୟ ଦେଇଛନ୍ତି।