‘ଆଇଓବିର ପ୍ରତି ଶାଖା ହେବ ଲାଭଦାୟକ’

୮୧ ବର୍ଷ ପୁରୁଣା ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି)ର
ଏମ୍‌ଡି ଓ ସିଇଓ ଆର୍‌. ସୁବ୍ରମଣ୍ୟ କୁମାର ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବ୍ୟାଙ୍କର ସହିଦନଗରସ୍ଥିତ କାର୍ଯ୍ୟାଳୟରେ ନିଜ ବ୍ୟାଙ୍କର ବ୍ୟବସାୟ, ଭବିଷ୍ୟତ ଯୋଜନା, ଶାଖା ସମ୍ପ୍ରସାରଣ ଏବଂ ଏନ୍‌ପିଏ ବିଷୟରେ ଯାହା କହିଥିଲେ ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି। ତାଙ୍କ ସହିତ ଉପସ୍ଥିତ ଥିଲେ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ଆର୍‌ ଶଙ୍କର ରାଓ

ଆଇଓବିର କ୍ଷତି ହ୍ରାସ ପାଇଁ ଆପଣଙ୍କ ଯୋଜନା କ’ଣ ରହିଛି?
ରାଷ୍ଟ୍ରାୟତ୍ତ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ(ଆଇଓବି)ର କ୍ଷତି ପରିମାଣ କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି। ପ୍ରତି ତ୍ରୟମାସରେ ବ୍ୟାଙ୍କର କ୍ଷତି ଯେଉଁ ହାରରେ ହ୍ରାସ ପାଉଛି ଆସନ୍ତା ୨୦୧୮-୧୯ ବର୍ଷ ଶେଷ ସୁଦ୍ଧା ଆଇଓବି ଲାଭଦାୟକ ବ୍ୟାଙ୍କରେ ପରିଣତ ହେବା ଆଶା ରଖିଛି। କିଛି ମାସ ପୂର୍ବେ ବ୍ୟାଙ୍କର ୨୧ ପ୍ରତିଶତ ଶାଖା କ୍ଷତି କରୁଥିବାବେଳେ ଏବେ ଏହା ୧୩ ପ୍ରତିଶତକୁ କମିଗଲାଣି। ଆଗାମୀ ଦିନରେ ବ୍ୟାଙ୍କର ପ୍ରତ୍ୟେକ ଶାଖାକୁ ଲାଭଦାୟକ ଶାଖାରେ ପରିଣତ କରିବା ଲାଗି ପ୍ରୟାସ ଜାରି ରହିଛି।

ନୂଆ ଶାଖା ଓ ଏଟିଏମ୍‌ ଖୋଲିବା ଯୋଜନା ରହିଛି କିି?
ବ୍ୟାଙ୍କର ଏବେ ୩୩୪୨ଟି ଶାଖା ସହିତ ୩୨୭୮ଟି ଏଟିଏମ୍‌ ରହିଛି। ଏବେ ଶାଖାଗୁଡ଼ିକୁ ଲାଭଦାୟକ କରିବା ଲକ୍ଷ୍ୟ ରହିଥିବାରୁ ନୂଆ ଶାଖା ସମ୍ପ୍ରସାରଣ ଯୋଜନା ନାହିଁ। କିନ୍ତୁ ଆସନ୍ତା ମାର୍ଚ ସୁଦ୍ଧା ବ୍ୟାଙ୍କ ୧୪୦୦ ନୂଆ ଓ ଅତ୍ୟାଧୁନିକ ଏଟିଏମ୍‌ ସ୍ଥାପନ କରିବ। ଏହି ୧୪୦୦ ଏଟିଏମ୍‌ ମଧ୍ୟରୁ ୭୦୦ ଅତ୍ୟାଧୁନିକ ଏଟିଏମ୍‌ ଏବଂ ୭୦୦ଟି କ୍ୟାସ୍‌ ଡିପୋଜିଟ୍‌ ମେସିନ୍‌(ସିଡିଏମ୍‌) ସ୍ଥାପନ କରାଯିବ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ର ଏଲ୍‌ଓୟୁ(ଲେଟର୍‌ ଅଫ୍‌ ଅଣ୍ଡରଟେକିଂ) ମାଧ୍ୟମରେ ଆଇଓବି କ୍ଷତିଗ୍ରସ୍ତ ହୋଇଛି କି?
ପିଏନ୍‌ବିରୁ ହୀରା ବ୍ୟବସାୟୀ ନିରବ ମୋଦି ନେଇଥିବା ଏଲ୍‌ଓୟୁ ମାଧ୍ୟମରେ ଏବେ ଯେଉଁ କେତେକ ବ୍ୟାଙ୍କ ପ୍ରଭାବିତ ହୋଇଛନ୍ତି ସେଥିରେ ଆଇଓବି ନାହିଁ।

କେଉଁ କ୍ଷେତ୍ରକୁ ଋଣ ପ୍ରଦାନ ଉପରେ ବ୍ୟାଙ୍କ ଏବେ ଗୁରୁତ୍ୱ ଦେଉଛି?
ଆଇଓବି ଏବେ କୃଷି, ଏମ୍‌ଏସ୍‌ଏମ୍‌ଇ ଓ ଖୁଚୁରା କ୍ଷେତ୍ରକୁ ଋଣ ପ୍ରଦାନ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛି। ବ୍ୟାଙ୍କର ଖୁଚୁରା କ୍ଷେତ୍ରର ଋଣ ଅଭିବୃଦ୍ଧି ୩୦ ପ୍ରତିଶତ, ଗୃହ ଋଣ ଅଭିବୃଦ୍ଧି ୩୨ ପ୍ରତିଶତ ଏବଂ ଗାଡ଼ି ଋଣ ଅଭିବୃଦ୍ଧି ୩୩ ପ୍ରତିଶତ ରହିଛି।

କୃଷି ଓ ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନରେ ଆଇଓବି କେତେ ଆଗରେ?
ମୋଟ ଋଣର ୧୮ ପ୍ରତିଶତ କୃଷି କ୍ଷେତ୍ରକୁ ପ୍ରଦାନ କରାଯିବାର ନିୟମ ରହିଥିବାବେଳେ ଆଇଓବି ପକ୍ଷରୁ ୨୧ ପ୍ରତିଶତ ଋଣ ପ୍ରଦାନ କରାଯାଇଛି। ସେହିଭଳି ଅଗ୍ରାଧିକାର କ୍ଷେତ୍ରକୁ ୪୦ ପ୍ରତିଶତ ଋଣ ପ୍ରଦାନର ନିୟମ ରହିଥିବାବେଳେ ଆଇଓବି ପକ୍ଷରୁ ୪୮ ପ୍ରତିଶତ ଋଣ ଯୋଗାଇ ଦିଆଯାଇଛି।

ବଡ଼ କମ୍ପାନିକୁ ଋଣ ପ୍ରଦାନରେ ଆଇଓବିର ଯୋଗଦାନ କିଭଳି ରହିଛି?
ଆଇଓବି ଏହାର ମୋଟ ଋଣ ମଧ୍ୟରୁ ବଡ଼ କମ୍ପାନିକୁ କିଛିମାସ ପୂର୍ବେ ୫୮ ପ୍ରତିଶତ ଋଣ ପ୍ରଦାନ କରିଥିବାବେଳେ ଏବେ ଏହା ୪୬ ପ୍ରତିଶତକୁ ହ୍ରାସ ପାଇଛି। ବୃହତ୍‌ କମ୍ପାନିକୁ ଅଧିକ ଋଣ ପ୍ରଦାନ କରିବା ଦ୍ୱାରା ରିସ୍କ ଗୋଟିଏ ସ୍ଥାନରେ କେନ୍ଦ୍ରିତ ହୋଇ ରହୁଛି। ଏହାକୁ ଦୃଷ୍ଟିରୁ କର୍ପୋରେଟ କ୍ଷେତ୍ରକୁ ବ୍ୟାଙ୍କ ଋଣ ପରିମାଣ କମାଇଛି।

ଆଇଓବିର ଏନ୍‌ପିଏ ସ୍ଥିତି କ’ଣ?
ଆଇଓବି ଏନ୍‌ପିଏ ହ୍ରାସ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି। ମୋଟ ଏନ୍‌ପିଏ କିଛିମାସ ପୂର୍ବେ ପ୍ରାୟ ୩୫ ହଜାର କୋଟି ଟଙ୍କା ଥିବାବେଳେ ଏବେ ଏହା ୩୩ ହଜାର କୋଟି ଟଙ୍କା ସ୍ତରକୁ ଖସିଆସିଛି। ସେହିଭଳି ବ୍ୟାଙ୍କର ନିଟ୍‌ ଏନ୍‌ପିଏ ମଧ୍ୟ କିଛି ମାସ ପୂର୍ବେ ୧୯ ହଜାର ୭ ଶହ କୋଟି ଟଙ୍କା ଥିବାବେଳେ ଏବେ ପ୍ରାୟ ୧୩ ହଜାର କୋଟି ଟଙ୍କାକୁ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର