୧୧ ଶହ କୋଟି ନିବେଶ କରିବ ଆଇଓସିଏଲ୍‌ : ଖୋର୍ଦ୍ଧା, ବ୍ରହ୍ମପୁର, ପାରାଦୀପରେ ହେବ ପ୍ରକଳ୍ପ

ଜଟଣୀ : ରାଷ୍ଟ୍ରାୟତ୍ତ ତୈଳ କଂପାନି ଭାରତୀୟ ତୈଳ ନିଗମ (ଆଇଓସିଏଲ୍) ପକ୍ଷରୁ ଓଡ଼ିଶାର ଖୋର୍ଦ୍ଧା, ବ୍ରହ୍ମପୁର, ପାରାଦୀପରେ ନୂତନ ପ୍ରକଳ୍ପ ସ୍ଥାପନ କରାଯିବ। ଏଥିପାଇଁ କଂପାନି ୧୧୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ବୋଲି ଜଣାପଡ଼ିଛି। ସେଥି ମଧ୍ୟରେ ପାରାଦ୍ବୀପରେ ଏକ ଏଲ୍‌ପିଜି ଟର୍ମିନାଲ ନିର୍ମାଣ କରାଯିବା ସହ ଖୋର୍ଦ୍ଧାରେ ଏଲ୍‌ପିଜି ବଟ୍ଲିଂ ପ୍ଲାଣ୍ଟ ଏବଂ ବ୍ରହ୍ମପୁରରେ ଅନ୍ୟ ତୈଳ କମ୍ପାନି ସହ ମିଶି ଡିପୋ ସ୍ଥାପନ କରାଯିବ। ଆଜି ଆଇଓସିଏଲ୍‌ର ସ୍ଥାନୀୟ ସ୍ମାର୍ଟ ଟର୍ମିିନାଲ ପରିସରରେ ସୁରକ୍ଷା ଉପରେ ମକ୍ ଡ୍ରିଲ୍ ଅବସରରେ ଯୋଗ ଦେଇ କଂପାନିର ଓଡ଼ିଶା ମୁଖ୍ୟ ମହା ପ୍ରବନ୍ଧକ ଶୁଭଜିତ ଘୋଷ ଏହା ପ୍ରକାଶ କରିଛନ୍ତି। ଏହି ତିନିଟି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ ପ୍ରକାଶ କରିଛନ୍ତି। ରାଜ୍ୟରେ ଥିବା ଆଇଓସିଏଲ୍‌ ପେଟ୍ରୋଲ ପମ୍ପଗୁଡ଼ିକରେ ସୋଲାର୍ ବ୍ୟବସ୍ଥା ପାଇଁ ପ୍ରୋତ୍ସାହନ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ତେଲ ଚୋରି ରୋକିବା ପାଇଁ ପାଇଁ ଲକିଂ ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। କଂପାନି ଏହାର ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍) କାର୍ଯ୍ୟକ୍ରମରେ ରାଜ୍ୟରେ ପରିବେଶ, ସ୍ବାସ୍ଥ୍ୟସେବା, ପରିମଳ, ପାନୀୟ ଜଳ ଯୋଗାଣ, ଶିକ୍ଷା, ଦକ୍ଷତା ବୃଦ୍ଧି, ମହିଳା ସଶକ୍ତୀକରଣ ଦିଗରେ କାର୍ଯ୍ୟ ହାତକୁ ନେଇଥିବା ଶ୍ରୀ ଘୋଷ କହିଛନ୍ତି। ଜଟଣୀ ସ୍ଥିତସ୍ମାର୍ଟ ଟମିର୍ନାଲ ମକଡ୍ରିଲ କାର୍ଯ୍ୟକ୍ରମରେ ସିଜିଏମ୍ ଶ୍ରୀ ଘୋଷଙ୍କ ସମେତ ଜିଏମ୍ (ଅପରେସନ) ରବି କୁମାର, ଜିଏମ୍ (ଟର୍ମିନାଲ) ଏନ୍‌ ସି ସେଠୀ, ଜିଏମ୍‌ (କର୍ପୋରେଟ୍‌ କମ୍ୟୁନିକେସନ) ଅରୂପ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର