ଆଇଫୋନ୍ ନିର୍ମାତା ‘ଆପଲ୍’ ମୂଲ୍ୟ ଭାରତୀୟ ଅର୍ଥନୀତିଠୁ ବଡ଼: ୩ ଟ୍ରିଲିଅନ୍ ଡଲାର କ୍ଲବ୍‌ରେ ସାମିଲ

ବିଶ୍ବର ସବୁଠୁ ମୂଲ୍ୟବାନ କଂପାନି

ନୂଆଦିଲ୍ଲୀ: ଆଇଫୋନ୍ ନିର୍ମାତା ଆମେରିକୀୟ କଂପାନି ଆପଲ୍‌ ଏବେ ୩ ଲକ୍ଷ କୋଟି ଡଲାର ବା ୩ ଟ୍ରିଲିଅନ୍ ଡଲାର କଂପାନିରେ ପରିଣତ ହୋଇଛି। କଂପାନିର ସେୟାର ପିଛା ଦାମ୍ ୧୮୨.୮୬ ଡଲାରରେ ପହଞ୍ଚିଥିବା ପରେ ଆପଲ୍ ଏହି ସଫଳତା ହାସଲ କରିଛି। ବିଶ୍ବର ଅନ୍ୟ କୌଣସି ସଂସ୍ଥା ଆଜି ପର୍ଯ୍ୟନ୍ତ ଏଭଳି ମାଇଲଖୁଣ୍ଟ ହାସଲ କରିନାହାନ୍ତି। ଭାରତୀୟ ଅର୍ଥନୀତିର ମୂଲ୍ୟ ୨.୮୨ ଲକ୍ଷ କୋଟି ଡଲାର ଥିବା ବେଳେ ଆପଲ ମୂଲ୍ୟ ଏହାଠାରୁ ଅଧିକ। ନଗଦ ରାଶି ଅନୁସାରେ ଆପଲ୍ ହେଉଛି ବିଶ୍ବର ସବୁଠୁ ବିତ୍ତଶାଳୀ କଂପାନି। ଭାରତର ସମସ୍ତ ଆଇଟି କଂପାନିଗୁଡ଼ିକର ମୋଟ ମୂଲ୍ୟ ଠାରୁ ଆପଲ୍‌ ବଡ଼।

କେବଳ ଭାରତ ନୁହେଁ ବିଶ୍ବର ୧୮୬ଟି ଦେଶର ଅର୍ଥନୀତିକୁ ଆପଲ୍ ପଛରେ ପକାଇ ଦେଇଛି। ମାତ୍ର ଚାରିଟି ଦେଶର ଅର୍ଥନୀତି ଆପଲ୍‌ ଠାରୁ ଅଧିକ ମୂଲ୍ୟବାନ ଅଛନ୍ତି। ସେମାନେ ହେଉଛନ୍ତି ଆମେରିକା, ଚୀନ୍, ଜାପାନ ଓ ଜର୍ମାନି। ବୋଇଙ୍ଗ, କୋକା-କୋଲା, ଡିଜ୍‌ନି, ଏକ୍ସନ୍-ମୋବିଲ, ମ୍ୟାକ୍‌ଡୋନାଲ୍ଡସ, ନେଟ୍‌ଫ୍ଲିକ୍ସ ଓ ୱାଲ୍‌ମାର୍ଟର ମିଳିତ ମୂଲ୍ୟ ଠାରୁ ଆପଲ୍‌ ବଡ଼। ଆପଲ୍‌ ପଛରେ ଥିବା ବିଶ୍ବର ଅନ୍ୟ ମୂଲ୍ୟବାନ କଂପାନିଗୁଡ଼ିକ ହେଉଛି ମାଇକ୍ରୋସଫ୍ଟ (୨.୫୧ ଟ୍ରିଲିଅନ ଡଲାର), ଆଲ୍‌ଫାବେଟ୍‌ (୧.୯୨ ଟ୍ରିଲିଅନ୍ ଡଲାର), ସାଉଦି ଆରାମ୍‌କୋ (୧.୯ ଟ୍ରିଲିଅନ ଡଲାର) ଓ ଆମାଜନ (୧.୭୩ ଟ୍ରିଲିଅନ ଡଲାର)।

ଆମେରିକାର ସିଲିକନ୍ ଭ୍ୟାଲିରୁ ସୃଷ୍ଟି ହୋଇଥିବା ଆପଲ୍ ୩୮ ବର୍ଷ କାରବାର କରିବା ପରେ ୨୦୧୮ରେ ଏହାର ମୂଲ୍ୟ ୧ ଟ୍ରିଲିଅନ୍ ଡଲାର ଅତିକ୍ରମ କରିଥିଲା। ଏହାପରେ ଦ୍ରୁତ ଗତିରେ କଂପାନିର ମୂଲ୍ୟ ବଢ଼ିଥିଲା। ୨୦୨୦ ଅଗଷ୍ଟରେ ଆପଲ୍‌ ଦୁଇ ଟ୍ରିଲିଅନ ଡଲାର କଂପାନି କ୍ଲବ୍‌ରେ ସାମିଲ ହୋଇଥିଲା। ମାତ୍ର ୨୪ ମାସରେ କଂପାନି ଏହି ସଫଳତା ହାସଲ କରିଥିଲା। ଆଉ ଏକ ଟ୍ରିଲିଅନ୍ ‌ଡଲାର ଯୋଡ଼ିବାକୁ କଂପାନି ୧୬ ମାସ ସମୟ ନେଇଛି। ଗତ ୧୫ ବର୍ଷ ଭିତରେ ମାତ୍ର ତିନିଟି ବର୍ଷରେ କଂପାନି ବିଯୁକ୍ତାତ୍ମକ ରିଟର୍ଣ୍ଣ ଦେଇଥିଲା। କରୋନା ମହାମାରୀ ପ୍ରଭାବ ସତ୍ତ୍ବେ କଂପାନି ଗତ ତ୍ରୟମାସରେ ୨୦୬୦ କୋଟି ଡଲାର ଲାଭ ହାସଲ କରିଛି।

ସମ୍ବନ୍ଧିତ ଖବର