ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସଂସ୍କରଣ ଫାଇନାଲ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ପ୍ରବେଶ କରିଥିବାରୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି। ଏହାର ପ୍ରଭାବରେ ଫାଇନାଲ୍ ମ୍ୟାଚ୍ ପାଇଁ ବିଜ୍ଞାପନ ଦରରେ ମଧ୍ୟ ବୃଦ୍ଧି ଘଟିଛି। ଆଇପିଏଲ୍ ଫାଇନାଲ୍ର ୧୦ ସେକେଣ୍ଡ୍ର ଟିଭି ବିଜ୍ଞାପନ ଦାମ୍ ୧୮ ଲକ୍ଷ ଟଙ୍କା ହୋଇଛି। ଗତବର୍ଷ ଫାଇନାଲ୍ର ବିଜ୍ଞାପନ ଦର ତୁଳନାରେ ଏହା ୧୦ ପ୍ରତିଶତ ଅଧିକ।
ବିରାଟ କୋହଲିଙ୍କ ପାଇଁ ମଧ୍ୟ ଦର୍ଶକମାନେ ବେଶ୍ ଉତ୍ସାହିତ ଅଛନ୍ତି। ତେବେ ମୋଟ୍ ଉପରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଆଇପିଏଲ୍ ଋତୁରେ କିନ୍ତୁ ବିଜ୍ଞାପନ ଚାହିଦା ୨୦-୨୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି। ପରିବେଶ ଅନୁକୂଳ ନ ଥିବାରୁ ବିଜ୍ଞାପନ ଚାହିଦା କମ୍ ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି। କିନ୍ତୁ ଆର୍ସିବି ଫାଇନାଲ୍ରେ ପ୍ରବେଶ କରିବା ଦର୍ଶକମାନଙ୍କ ଉତ୍ସାହକୁ ବଢ଼ାଇଛି।
ଏଥର ଆଇପିଏଲ୍ ଫାଇନାଲ୍ ମ୍ୟାଚ୍ ପାଇଁ ବିଜ୍ଞାପନ ସ୍ଲଟ୍ ବୁକିଂ କରିବାରେ ଏଫ୍ଏମ୍ସିଜି, ଅଟୋମୋବାଇଲ୍, ପ୍ରଯୁକ୍ତି, ଗେମିଂ ଓ ଉପଭୋକ୍ତା କମ୍ପାନିଗୁଡ଼ିକ ବିଜ୍ଞାପନ ଦେବାରେ ଆଗରେ ରହିଛନ୍ତି। ଚଳିତ ଆଇପିଏଲ୍ ଋତୁର ପ୍ରଥମ ୬୨ଟି ମ୍ୟାଚ୍ ପାଇଁ ୧୦୦ରୁ ଅଧିକ ବିଜ୍ଞାପନଦାତା ଓ ୧୮୦ରୁ ଅଧିକ ବ୍ରାଣ୍ଡ୍ ବିଜ୍ଞାପନ ଦୌଡ଼ରେ ଥିଲେ। ଗତବର୍ଷ ତୁଳନାରେ ଏହା ୨୬ ପ୍ରତିଶତ ଅଧିକ ଥିବା ଜଣାପଡ଼ିଛି।