ନୂଆଦିଲ୍ଲୀ/ଭୁବନେଶ୍ବର: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଗତ କିଛି ସପ୍ତାହ ହେଲା କମିଛି। ସଂପ୍ରତି ଏହା ବ୍ୟାରେଲ୍‌ ପିଛା ୭୪ ଡଲାରକୁ ଖସିଆସିଛି। ଏହାଦ୍ବାରା ତୈଳ କମ୍ପାନିଗୁଡ଼ିକ ଭଲ ଲାଗ କରୁଛନ୍ତି। ଫଳରେ କମ୍ପାନିଗୁଡ଼ିକ ଗ୍ରାହକଙ୍କୁ ମଧ୍ୟ ଏହାର ଲାଭ ଦେଇପାରନ୍ତି। ଏହାଦ୍ବାରା ‌ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୨ରୁ ୩ ଟଙ୍କା କମିପାରେ ବୋଲି ରେଟିଂ ଏଜେନ୍ସି ‘ଇକ୍ରା’ ପକ୍ଷରୁ ଆଜି କୁହାଯାଇଛି।

Advertisment

ମାର୍ଚ୍ଚ ମାସରେ ଭାରତ ବ୍ୟାରେଲ ପିଛା ୮୩ ଡଲାରରେ ଅଶୋଧିତ ତେଲ କିଣୁଥିଲା। କିନ୍ତୁ ସେପ୍ଟେମ୍ବରରେ ଏହାର ଦାମ୍‌ ବ୍ୟାରେଲ ପିଛା ୭୪ ଡଲାରକୁ କମିଛି। କିନ୍ତୁ ଶେଷ ଥର ପାଇଁ ତେଲ କମ୍ପାନିଗୁଡ଼ିକ ସାଧାରଣ ନିର୍ବାଚନ ପୂର୍ବରୁ ମାର୍ଚ୍ଚରେ ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌ ଲିଟର ପିଛା ୨ ଟଙ୍କା କମାଇଥିଲେ। ତାହା ପରଠାରୁ ଏହା ଅପରିବର୍ତ୍ତିତ ରହିଛି। ଇକ୍ରା ପକ୍ଷରୁ କୁହାଯାଇଛି ଯେ ପେଟ୍ରୋଲ ଏବଂ ଡିଜେଲ ବିକ୍ରିରେ ତୈଳ ବିପଣନ କମ୍ପାନିଗୁଡ଼ିକର ଲାଭ ବଢ଼ିଛି। ତେଣୁ ଯଦି ଅଶୋଧିତ ତେଲ ଦର ସ୍ଥିର ରହେ ତା’ହେଲେ କମ୍ପାନିଗୁଡ଼ିକ ପାଇଁ ପେଟ୍ରୋଲ ଓ ଡିଜେଲ ଦର କମାଇବା ସୁଯୋଗ ରହିଛି। ‘ଇକ୍ରା’ର ଗ୍ରୁପ୍‌ ହେଡ୍‌ (କମ୍ପାନି ବ୍ୟାପାର) ତଥା ବରିଷ୍ଠ ଉପସଭାପତି ଗିରିଶ କୁମାର କଦମ କୁହନ୍ତି, ତେଲ ବିଶୋଧନ ଏବଂ ବିକ୍ରି ଜନିତ ଲାଭ ପେଟ୍ରୋଲରେ ୧୫ ଟଙ୍କା ଏବଂ ଡିଜେଲରେ ୧୨ ଟଙ୍କା ରହିଛି। ସେପ୍ଟେମ୍ବର ମାସରେ ୧୭ ତାରିଖ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରକୁ ଆଧାର କରି ସେ ଏହା କହିଛନ୍ତି। ଏଥିଯୋଗୁ ଦର ହ୍ରାସ  ସମ୍ଭାବନା ରହିଥିବା ସେ କହିଛନ୍ତି। ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ଦୁର୍ବଳ ରହିବା ସହିତ ଆମେରିକା ଅଧିକ ମାତ୍ରାରେ ତେଲ ଉତ୍ପାଦନ କରିବା ଏବଂ ଓପେକ୍‌ ପ୍ଲସ୍‌ ଦେଶଗୁଡ଼ିକ ଉତ୍ପାଦନ ହ୍ରାସ ନିଷ୍ପତ୍ତିକୁ ଘୁଞ୍ଚାଇବା ଫଳରେ ଅଶୋଧିତ ତେଲ ଦରରେ ବଡ଼ଧରଣର ହ୍ରାସ ଦେଖାଦେଇଛି। 

ଅନ୍ୟପକ୍ଷରେ ପେଟ୍ରୋଲ ଏବଂ ଡିଜେଲ ଦର ନିର୍ଦ୍ଧାରଣକୁ ସରକାର ଯଦିଓ ନିୟନ୍ତ୍ରଣମୁକ୍ତ କରି କମ୍ପାନିଙ୍କ ହାତରେ ହ୍ରାସବୃଦ୍ଧି କ୍ଷମତ‌ା ପ୍ରଦାନ କରିଛନ୍ତି କିନ୍ତୁ କମ୍ପାନିଗୁଡ଼ିକ ଦୀର୍ଘଦିନ ହେଲା ଏହା କରୁନାହାନ୍ତି। ଅର୍ଥାତ୍‌ ପେଟ୍ରୋଲ ଏବଂ ଡିଜେଲ ଦରକୁ ସରକାର ପ୍ରତ୍ୟକ୍ଷ ଭାବେ ନହେଲେ ମଧ୍ୟ ପରୋକ୍ଷ ଭାବେ ନିୟନ୍ତ୍ରଣ କରୁଛନ୍ତି। ତେଣୁ ପେଟ୍ରୋଲ ଓ ଡିଜେଲ ଦର କେବଳ ତେଲ କମ୍ପାନିଙ୍କ ଅର୍ଥନୀତି ସହିତ ନୁହେଁ ବରଂ ସରକାରଙ୍କ ରାଜନୀତି ସହ ମଧ୍ୟ ଯୋଡ଼ି‌ ହୋଇଗଲାଣି। ହରିୟାଣା ଏବଂ ଜମ୍ମୁ କଶ୍ମୀରରେ ଏବେ ନିର୍ବାଚନ ଚାଲିଛି। ଜମ୍ମୁ କଶ୍ମୀରରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ହେବାକୁ ଅଛି। ଏଥିସହିତ ହରିୟାଣା ନିର୍ବାଚନ ମଧ୍ୟ ଅକ୍ଟୋବର ୫ରେ ଗୋଟିଏ ପର୍ଯ୍ୟାୟରେ ହେବ। ସରକାର ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ କରିବାର ଥିଲେ ଜମ୍ମୁ କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ କରି ରାଜନୈତିକ ଫାଇଦା ନେଇଥାନ୍ତେ।

ଏହାବ୍ୟତୀତ ଅନ୍ତର୍ଜାତୀୟ ସ୍ଥିତିକୁ ଦେଖିଲେ ଇସ୍ରାଏଲ-ହେଜବୁଲ୍ଲା ସଂଘର୍ଷ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଯଦି ଏହା ଜାରି ରହେ କିମ୍ବା ଅଧିକ ଘନୀଭୂତ ହୁଏ ତା’ହେଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ପୁଣି ବଢ଼ିବା ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଭାରତ ସରକାର ବା ତେଲ କମ୍ପାନିଗୁଡ଼ିକ ବର୍ତ୍ତମାନ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମ କିଛି କମାଇ ଆଗାମୀ ଦିନରେ ପୁଣି ବଢ଼ାଇବାକୁ ପସନ୍ଦ କରି ନପାରନ୍ତି। କାରଣ ଗ୍ରାହକମାନେ ଦୀର୍ଘଦିନ ହେଲା ବର୍ତ୍ତମାନର ଦର ସହିତ ଅଭ୍ୟସ୍ତ ହୋଇଗଲେଣି ବା ବର୍ତ୍ତମାନର ଦର ସେମାନଙ୍କ ଦେହସୁହା ହୋଇଗଲାଣି। ଯଦି ଏବେ କମାଇ ଆଗାମୀ ଦିନରେ ପୁଣି ବଢ଼ାଇବେ ତା’ହେଲେ ସରକାରଙ୍କୁ ଆକ୍ରମଣ କରିବା ପାଇଁ ବିରୋଧୀ ଦଳଗୁଡ଼ିକୁ ଅସ୍ତ୍ର ମିଳିଯିବ। ତେଣୁ ସରକାର ବର୍ତ୍ତମାନ ଦର କମାଇବା ସମ୍ଭାବନା ‌ଆଉ ଦେଖାଯାଉନାହିଁ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ମହାସଚିବ ସଞ୍ଜୟ ଲାଠ କହିଛନ୍ତି।