ଇରାନ ତେଲ ଜାହାଜ ଉପରେ ଆକ୍ରମଣ: ମହଙ୍ଗା ହୋଇପାରେ ପେଟ୍ରୋଲ, ଡିଜେଲ

ଲଣ୍ଡନ: ଆଗାମୀ ଦିନରେ ଭାରତରେ ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ମହଙ୍ଗା ହୋଇପାରେ। ସାଉଦି ଆରବର ସରକାରୀ ତେଲ କମ୍ପାନି ସାଉଦି ଆରାମ୍‌‌କୋର ଉତ୍ପାଦନ କେନ୍ଦ୍ରରେ ଡ୍ରୋନ୍ ଆକ୍ରମଣ ପରେ ଭାରତରେ କିଛିଦିନ ଧରି ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଥିଲା। କିନ୍ତୁ ସେଠାରେ ଉତ୍ପାଦନ ସ୍ବାଭାବିକ ହେବା ପରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର କମିବାରେ ଲାଗିଛି। କିନ୍ତୁ ଆଜି ପୁଣି ସାଉଦି ଆରବର ଜେଦ୍ଦା ସହର ନିକଟବର୍ତ୍ତୀ ଲୋହିତ ସାଗରରେ ‌ ଇରାନର ତେଲ ଜାହାଜ ଉପରେ ସନ୍ଦିଗ୍ଧ ଆକ୍ରମଣ ପରେ ଅଶୋଧିତ ତେଲ ଦର ବୃଦ୍ଧି ପାଇଛି।

ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ୍ କ୍ରୁଡ୍ ଦର ବ୍ୟାରେଲ ପିଛା ୨.୧ ପ୍ରତିଶତ ବୃଦ୍ଧି ଘଟି ୬୦.୪୬ ଡଲାରରେ ପହଞ୍ଚିଥିବାବେଳେ ୟୁଏସ୍ ୱେଷ୍ଟ୍ ଟେକ୍ସାସ୍ ଇଣ୍ଟରମିଡିଏଟ୍‌ ଦର ୨.୧ ପ୍ରତିଶତ ବୃଦ୍ଧି ଘଟି ୫୪.୬୯ ଡଲାରରେ ପହଞ୍ଚିଛି। ନିକଟ ଭବିଷ୍ୟତରେ ‌ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୫ରୁ ୬ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଅଶୋଧିତ ତେଲ ଦର ବୃଦ୍ଧି ଘଟିଲେ ଏହାର ଅଧିକ ପ୍ରଭାବ ଭାରତ ଭଳି ରାଷ୍ଟ୍ର ଉପରେ ପଡ଼ିଥ‌ା‌ଏ। ଆଜି ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ଜାହାଜଟି ଇରାନର ସରକାରୀ ତେଲ କମ୍ପାନି ଏନ୍‌ଆଇଓସିର ବୋଲି କୁହାଯାଉଛି। ଜେଦ୍ଦା ସହରଠାରୁ ପ୍ରାୟ ୯୭ କିମି ଦୂରରେ ଏହି ଆକ୍ରମଣ ହୋଇଛି। ଏଥିରେ ‌ତେଲ ଜାହାଜର ଦୁଇଟି ମୁଖ୍ୟ ଭଣ୍ଡାର କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁ ଲୋହିତ ସାଗରର ଜଳରାଶିରେ ଅଶୋଧିତ ତେଲ ଲିକ୍ ହୋଇଛି। ତେବେ ଏହି ଆକ୍ରମଣରେ କେହି ମୃତାହତ ହୋଇ ନଥିବା କୁହାଯାଉଛି। ତେଲ ଜାହାଜକୁ ଦୁଇଥର ଆକ୍ରମଣ କରାଯାଇଛି ବୋଲି ଇରାନର ବୈଦେଶିକ ମନ୍ତ୍ରାଳୟ ଦାବି କରିଥିଲେ ମଧ୍ୟ ଏ ସଂକ୍ରାନ୍ତରେ ଅଧିକ କିଛି ରିପୋର୍ଟ ଦେଇନାହିଁ। ଆକ୍ରମଣ ସମ୍ପର୍କରେ ଏପର୍ଯ୍ୟନ୍ତ ଯାଞ୍ଚ ହୋଇନାହିଁ। ସେହିଭଳି ଜାହାଜଟିର ନାମ ସିନୋପା ବୋଲି ଇରାନର ସରକାରୀ ଟିଭି ପ୍ରଥମେ କହିଥିଲାବେଳେ ପରେ ଏହି ଜାହାଜର ନାମ ସାବିତି ବୋଲି ଏନ୍‌ଆଇଓସି କହିଛି।

ସମ୍ବନ୍ଧିତ ଖବର