ଆଇଆରସିଟିସି ଇ-ଟିକେଟିଂ ରୢାକେଟ୍‌: ଦୁବାଇରୁ ଚାଲେଞ୍ଜ ଦେଲା କିଙ୍ଗପିନ୍‌

ମାସିକ ୨ ଲକ୍ଷ ଟଙ୍କା ଦେଲେ ଠିକ୍‌ କରିଦେବି

ନୂଆଦିଲ୍ଲୀ: ଗତ ୨୧ ତାରିଖରେ ଅନ୍ତର୍ଜାତୀୟ ଇ-ଟିକେଟିଂ ରୢାକେଟର ପର୍ଦ୍ଦାଫାସ ରେଳବାଇ ସୁରକ୍ଷା ବାହିନୀ (ଆର୍‌ପିଏଫ୍‌) କରିବା ପରେ ଏବେ ଏହା ନାଟକୀୟ ମୋଡ଼ ନେଇଛି। ଦୁବାଇରେ ଲୁଚିଥିବା ଇ-ଟିକେଟିଂ ଘୋଟାଲାର କିଙ୍ଗପିନ୍ ହମିଦ ଅସରଫ୍ ଆରପିଏଫ୍‌ ମହାନିର୍ଦ୍ଦେଶକ ଅରୁଣ କୁମାରଙ୍କୁ ଏକ ଇ-‌ମେଲ୍ ସମେତ ହ୍ବାଟସ୍‌ଆପ୍‌ରେ ମେସେଜ୍ ପଠାଇଛି। ଏଥିରେ ସେ ଆରପିଏଫ୍‌କୁ ଏକ ଅଫର୍ ଦେଇଛି। ରେଳବାଇର ଆଇଟି ସୁରକ୍ଷା ବ୍ୟବସ୍ଥାରେ ଅନେକ ତ୍ରୁଟି ବା ଅଭାବ ରହିଛି। ତେଣୁ ଅସରଫକୁ କିମ୍ବା ଅନ୍ୟ କାହାକୁ ଧରିଦେଲେ ଏହି ରୢାକେଟରେ ଅନ୍ତ ଘଟିବ ନାହିଁ। ଅନ୍ୟମାନେ ମଧ୍ୟ ଏହି ଅଭାବ ବା ତ୍ରୁଟିର ଫାଇଦା ନେଇପାରିବେ। ଅନ୍ୟମାନେ ଏଭଳି ବେଆଇନ ସଫ୍ଟଓୟାର ବିକାଶ କରି ତାହାକୁ ବ୍ୟବହାର କରିପାରିବେ। ବରଂ ତାକୁ ମାସିକ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଗଲେ ସେ ଆଇଆରସିଟିସି ୱେବସାଇଟ୍‌ରେ ରହିଥିବା ତ୍ରୁଟିକୁ ସୁଧାରି ଦେବ ବୋଲି କହିଛି। ଏହି ବାର୍ତ୍ତା ସେ ଆରପିଏଫ୍ ଡିଜିଙ୍କୁ ଦେଇଛି। ଆରପିଏଫ୍ ଡିଜିଙ୍କୁ ସେ ଏହା ମଧ୍ୟ କହିଛି ‌ଯଦି ଆପଣ ଏଭଳି ବାଇଟ୍ ଟିଭିରେ ଦେବେ ତାହେଲେ ମୋତେ କେହି ବାହାହେବେ ନାହିଁ।

ଦୁବାଇ ସମେତ ପାକିସ୍ତାନ, ବାଂଲାଦେଶକୁ ଲମ୍ବିଛି ଚେର

ଏହି ରୢାକେଟ୍‌ର ଚେର ପାକିସ୍ତାନ, ଦୁବାଇ ଏବଂ ବାଂଲାଦେଶରେ ରହିଥିବା ଜଣାପଡ଼ିଛି। ଏହି ମାମଲାରେ ଆର୍‌ପିଏଫ୍‌ ଝାଡ଼ଖଣ୍ଡର ଏକ ସଫ୍ଟୱେର ଇଂଜିନିୟର ଗୁଲାମ ମୁସ୍ତାଫାକୁ ପୂର୍ବରୁ ଗିରଫ କରିଛି। ଆର୍‌ପିଏଫ୍‌ ଡିଜି ଅରୁଣ କୁମାର ଏହା ପଛରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ସନ୍ଦେହ କରୁଛନ୍ତି। ଏହି ବହୁ କୋଟି ଟଙ୍କାର ଜାଲିଆତି ମାମଲାର ମୁଖ୍ୟ ସଂଚାଳକମାନେ ପାକିସ୍ତାନ ଏବଂ ଦୁବାଇରେ ଥିବା ଜଣାପଡ଼ିଥିବା ବେଳେ ବାଂଲାଦେଶରେ ମଧ୍ୟ ଏହାର ଚେର ରହିଛି। ଆର୍‌ପିଏଫର ଚଢ଼ଉରେ ଏଏନ୍‌ଏମ୍‌ଏସ୍‌ ନାମକ ସଫ୍‌ଟୱେର ଏବଂ ଦୁଇଟି ଲ୍ୟାପ୍‌ଟପ ଜବତ କରାଯାଇଛି। ଗିରଫ ହୋଇଥିବା ଇଂଜିନିୟର ନିକଟରୁ ୫୬୩ ଜଣଙ୍କ ବ୍ୟକ୍ତିଗତ ପରିଚୟପତ୍ର, ୨୪୦୦ ଏସ୍‌ବିଆଇ ଏବଂ ୬୦୦ ଗ୍ରାମୀଣ ବ୍ୟାଙ୍କ୍‌ର ଆକାଉଣ୍ଟ ମିଳିଥିଲା। ଦୀର୍ଘଦିନ ଧରି ଆଇବି, ସ୍ପେସାଲ ବ୍ୟୁରୋ, ଇଡି, ଏନ୍‌ଆଇଏ ଏବଂ କର୍ଣ୍ଣାଟକ ପୁଲିସ ମୁସ୍ତଫାକୁ ଜେରା କରିଥିବା ଜଣାପଡ଼ିଛି। ଗିରଫ ସମୟରେ ଆର୍‌ପିଏଫ୍‌ର ମହାନିର୍ଦ୍ଦେଶକ କହିଥିଲେ ଯେ ଇ-ଟିକେଟିଂ ରୢାକେଟ ବିରୋଧରେ ଆହୁରି ବ୍ୟାପକ ଖୋଳତାଡ଼ ହେବ। ଦୁବାଇରେ ବସିଥିବା ମୁଖ୍ୟ ସଂଚାଳକ ହମିଦ୍‌ ଅସ୍‌ରଫ୍‌ ଏବଂ ଏହି ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟଙ୍କୁ ଠାବ କରିବା ପାଇଁ ବିଭିନ୍ନ ନିରାପତ୍ତା ସଂସ୍ଥା ଦ୍ବାରା ଅଭିଯାନ ଆରମ୍ଭ ହେବ ବୋଲି ସେ କହିଥିଲେ। ଅସ୍‌ରଫ୍‌ ହିଁ ଇ-ଟିକେଟିଂ ରୢାକେଟ୍‌ର କିଙ୍ଗ୍‌ପିନ ବୋଲି ମିଳିଥିବା ପ୍ରମାଣ ଅନୁଧ୍ୟାନରୁ ଜଣାପଡ଼ିଛି। ଅସ୍‌ରଫ୍‌ ପ୍ରତିମାସରେ ୧୦ରୁ୧୫ କୋଟି ଟଙ୍କା ଜାଲିଆତି ଦ୍ବାରା ହାସଲ କରୁଥିଲା। ୨୦୧୯ରେ ଏକ ବିଦ୍ୟାଳୟରେ ଘଟିଥିବା ବୋମା ବିସ୍ଫୋରଣ ମାମଲାରେ ସେ ସାମିଲ ଥିଲା ଏବଂ ଏହାପରେ ଦୁବାଇ ପଳାଇଯିବାକୁ ସକ୍ଷମ ହୋଇଥିଲା।

ତ୍ରୁଟି ସୁଧାରିବା ପାଇଁ ସରକାରୀ ଅଧିକାରୀଙ୍କୁ ଅପରାଧୀ ଅସରଫ୍‌ର ପରାମର୍ଶ
ସରକାରୀ ଅଧିକାରୀମାନେ ଏହି ତ୍ରୁଟିକୁ ସଜାଡ଼ି ପାରୁନାହାନ୍ତି। ଏପରିକି ସେ ୫୦୦ ଇମେଲ୍ ଏବଂ ହ୍ବାଟସଆପ୍ ମେସେଜ୍‌ର ବିସ୍ତୃତ ବିବରଣୀ ଦେବା ପରେ ମଧ୍ୟ ସରକାରୀ ଅଧିକାରୀମାନେ ୱେବସାଇଟ୍‌ରେ ଥିବା ତ୍ରୁଟିକୁ ସଜାଡ଼ି ପାରୁନାହାନ୍ତି। ଫଳରେ ଅସରଫ୍ ସରକାରୀ ଅଧିକାରାମାନଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ଅସରଫ୍ ‌ଆରପିଏଫ୍ ଡିଜିଙ୍କୁ ଦେଇଥିବା ମେଲ୍‌ରେ ଏହା ମଧ୍ୟ ଜଣାଇଛି ଯେ, ଇ-ଟିକଟ ଠକେଇ ପାଇଁ ବ୍ୟବହାର କରାଯାଉଥିବା ବେଆଇନ ସଫ୍ଟଓୟାର ଏଏନ୍‌ଏମ୍‌ଏସ୍‌କୁ ଜାନୁଆରି ୨୫ରୁ ସବୁଦିନ ପାଇଁ ବନ୍ଦ କରି ଦିଆଯିବ। କିନ୍ତୁ ଆଇଆରସିଟିସି ପୋର୍ଟାଲରେ ଥିବା ସୁରକ୍ଷାଜନିତ ତ୍ରୁଟିକୁ ସୁଧାରିବା ଲାଗି ସେ ଚ୍ୟାଲେଞ୍ଜ ଦେଇଛି। ସେ କହିଛି ଫେସବୁକ୍ ଏବଂ ଗୁଗୁଲ୍ ଭଳି ଆଇଆରସିଟିସିର ନିଜସ୍ବ ସୁରକ୍ଷା ବ୍ୟବସ୍ଥା ନାହିଁ। ତେଣୁ ଏଏନ୍‌ଏମ୍‌ଏସ୍‌କୁ ବନ୍ଦ ପରେ ବଜାରରେ ମିଳୁଥିବା ଅନ୍ୟ ବେଆଇନ ସଫ୍ଟଓୟାରକୁ ବନ୍ଦ କରିବା ପାଇଁ ସେ ଆରପିଏଫକୁ ଚାଲେଞ୍ଜ କରିଛନ୍ତି। ଆଇଆରସିଟିସି ବ୍ୟବସ୍ଥାରେ ରହିଥିବା ତ୍ରୁଟିକୁ ସୁଧାରିଲେ ସାଧାରଣ ଲୋକ ସହଜରେ ଟିକଟ ପାଇପାରିବେ ବୋଲି ଅସରଫ୍ କହିଛି। ଗୋଟିଏ ୟୁଜର ଆଇଡି ପାଇଁ ଗୋଟିଏ ଆଇପି ଆଡ୍ରେସ୍‌କୁ ଅନୁମତି ଦେବା ଲାଗି ସେ କହିଛି। ଏଥିସହିତ ଅନ୍ୟାନ୍ୟ କେତେକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛି। ଆଇଆରସିଟିସିରେ ଥିବା ତ୍ରୁଟି ସମ୍ପର୍କରେ ସେ ସେଣ୍ଟର ଫର୍ ରେଲୱେ ଇନଫର୍ମେସନ ସିଷ୍ଟମ୍ସ (କ୍ରିସ୍‌)କୁ ପୂର୍ବରୁ ଅବଗତ କରାଇଥିବା କହିଛି। କିନ୍ତୁ ଏଥିପାଇଁ କିଛି ଧ୍ୟାନ ଦିଆଯାଇନାହିଁ। ତେବେ ଶେଷରେ ସେ ତାର ଦୋଷ ସ୍ବୀକାର କରିଛି ଏବଂ ଏହି ସଫ୍ଟଓୟାରକୁ ଆଉ ଦୁରୁପଯୋଗ କରିବ ନାହିଁ ବୋଲି କହିଛି।

ସମ୍ବନ୍ଧିତ ଖବର