ଇସ୍ପାତ ଶିଳ୍ପରେ ଲୁହାପଥର ସଙ୍କଟ, ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଶିଳ୍ପ ସଂଘ

ଭୁବନେଶ୍ବର : ଲୁହାପଥର ଉପଲବ୍ଧତା ନେଇ ରାଜ୍ୟରେ ଇସ୍ପାତ କାରଖାନା ସ୍ଥାପନ କରିଥିବା କଂପାନିଗୁଡ଼ିକ ଚିନ୍ତା ପ୍ରକଟ କରିଛନ୍ତି। ଶିଳ୍ପ ସଂଘଗୁଡ଼ିକ ଜରିଆରେ ସେମା‌ନେ ନିଜ ସମସ୍ୟା ବିଷୟରେ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି। ଏହି ସମସ୍ୟାର ତୁରନ୍ତ ସମାଧାନ ଲାଗି ଶିଳ୍ପ ସଂଘଗୁଡ଼ିକ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ), ‌ପେଲେଟ୍‌ ମାନୁଫାକ୍‌ଚର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ପିଏମ୍‌ଏଆଇ) ଓ ଓଡ଼ିଶା ସ୍ପଞ୍ଜ ଆଇରନ୍ ନିର୍ମାତା ସଂଘ (ଓଏସ୍‌ଆଇଏମ୍ଏ) ପକ୍ଷରୁ ଲୁହାପଥର ସମସ୍ୟା‌ ବିଷୟରେ ସରକାରଙ୍କୁ ଅବଗତ କରାଯାଇଛି।

ସିଆଇଆଇ ଓଡ଼ିଶାର ଅଧ୍ୟକ୍ଷ ମନିଷ ଖରବନ୍ଦା ଏନେଇ ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି। ସେଥିରେ ସେ ଜଣାଇଛନ୍ତି ଯେ ମହାମାରୀ ବାହାନାରେ କୃତ୍ରିମ ଉପା‌ୟରେ ଲୁହାପଥର ଦାମ୍ ବୃଦ୍ଧି କରାଯାଉଥିବାରୁ ଇସ୍ପାତ ଶିଳ୍ପ ସହିତ ଜଡ଼ିତ ଥିବା ଲୋକମାନଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି ହୋଇଛି। ବିପୁଳ ପୁଞ୍ଜିନିବେଶ କରି ଯେଉଁ ସଂସ୍ଥାଗୁଡ଼ିକ ରାଜ୍ୟରେ ମୂଲ୍ୟ ଯୋଗ କରିବା ଲାଗି ସଂସ୍ଥା ସ୍ଥାପନ କରିଛନ୍ତି ସେମାନଙ୍କୁ ଠିକ୍ ସମୟରେ କଞ୍ଚାମାଲ୍ ମିଳୁନାହିଁ। ଏହା ସେମାନଙ୍କ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ରାଜ୍ୟ ଭିତରେ ଲୁହାପଥର ଉପଲବ୍ଧତା ବଢ଼ାଇବା ଲାଗି ତୁରନ୍ତ ରାଜ୍ୟ ସରକାର ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଲୁହାପଥର ଉତ୍ପାଦନ ହ୍ରାସ ପାଇବା ଓ ବାହାର ରାଜ୍ୟକୁ ବିପୁଳ ପରିମାଣର ଲୁହାପଥର ପ୍ରେରଣ କରାଯାଉଥିବାରୁ ରାଜ୍ୟ ଭିତରେ କାରଖାନା ସ୍ଥାପନ କରିଥିବା ସଂସ୍ଥାଗୁଡ଼ିକ ପାଇଁ ଲୁହାପଥର ଅଭାବ ଦେଖାଦେଇଛି। ପୂର୍ବରୁ ପ୍ରଚଳନରେ ଥିବା ପ୍ରି-ଏମ୍ପ୍‌ସନ୍ ଅଧିକାରକୁ ପୁନଃ ଲାଗୁ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି। ଏହି ଅଧିକାର ଲାଗୁ ହେଲେ ରାଜ୍ୟ ଭିତରେ କାରଖାନା ସ୍ଥାପନ କରିଥିବା ସଂସ୍ଥାଗୁଡ଼ିକ ଏଠାରେ ଉତ୍ପାଦନ ହେଉଥିବା ଲୁହାପଥର କିଣିବା ଉପରେ ଅଗ୍ରାଧିକାର ପାଇବେ। ଏମ୍‌ଏମ୍‌ଡିଆର ନିୟମ ଲାଗୁ ହେବା ପରେ ରାଜ୍ୟ ସରକାର ପ୍ରି-ଏମ୍ପ୍‌ସନ୍‌ ଅଧିକାରକୁ ହଟାଇ ଦେଇଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ବିପୁଳ ପରିମାଣର ଲୁହାପଥର ଗୁଜରାଟ ଓ କର୍ଣ୍ଣାଟକ ଭଳି ରାଜ୍ୟକୁ ପଠାଯାଉଥିବାରୁ ରାଜ୍ୟ ଭିତରେ ଅଭାବ ସୃଷ୍ଟି ହୋଇଛି। ସେହି ସ୍ଥିତିର ମୁକାବିଲା ଲାଗି ପ୍ରି-ଏମ୍ପ୍‌ସନ୍ ଅଧିକାର ପୁଣି ଥରେ ଲାଗୁ କରିବା ଜରୁରୀ ହୋଇପଡ଼ିଛି ବୋଲି ଶିଳ୍ପ ସଂଘଗୁଡ଼ିକ ଜଣାଇଛନ୍ତି। ରାଜ୍ୟରେ ଏବେ ଲୁହାପଥରର ଟନ୍ ପିଛା ଦାମ୍ ୧୧ ହଜାର ଟଙ୍କା ଭଳି ଉଚ୍ଚ ସ୍ତରରେ ରହିଛି। କର୍ଣ୍ଣାଟକ ସରକାର ଯେଭଳି ବାହାରକୁ ଲୁହାପଥର ପଠାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଛନ୍ତି ସେଭଳି ପଦକ୍ଷେପ ଗ୍ରହଣ କରିବାକୁ ଶିଳ୍ପସଂଘଗୁଡ଼ିକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର