ଲୁହାପଥର ସଙ୍କଟ: କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ କେନ୍ଦ୍ରର ପରାମର୍ଶ

ଭୁବନେଶ୍ବର: ଇସ୍ପାତ ଉତ୍ପାଦନ କରୁଥିବା କଂପାନିଗୁଡ଼ିକର କଞ୍ଚାମାଲ ଅଭାବ ଜନିତ ଭୟକୁ ଦୂର କରିବା ନିମନ୍ତେ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟକୁ କହିଛନ୍ତି। ଆସନ୍ତା ୨୦୨୦ ମାର୍ଚ ୩୧ରେ କେତେକ ଲୁହା ପଥର ଖଣିର ଲିଜ୍ ଅବଧି ଶେଷ ହେଉଥିବାରୁ ରାଜ୍ୟରେ କଞ୍ଚାମାଲ ଅଭାବ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। କଞ୍ଚାମାଲ ସମସ୍ୟା ଯେଭଳି ଦେଖାନଦିଏ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଇସ୍ପାତ କଂପାନିଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଏହାକୁ ନଜରରେ ରଖି କେନ୍ଦ୍ର ଇସ୍ପାତ ସଚିବ ବିନୟ କୁମାର ଓଡ଼ିଶା ସରକାରଙ୍କୁ ଏକ ଚିଠି ଲେଖିଛନ୍ତି। ‌ଯେହେତୁ ଆସନ୍ତା ମାର୍ଚ ୩୧ ସୁଦ୍ଧା ୨୫୦ରୁ ଅଧିକ ଖଣିର ଲିଜ୍ ଅବଧି ଶେଷ ହେଉଛି ତେଣୁ ସେଥିପାଇଁ ସୃଷ୍ଟି ହେବାକୁ ଥିବା ସ୍ଥିତିର ମୁକାବିଲା କରିବା ନିମନ୍ତେ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଇସ୍ପାତ ସଚିବ ଓଡ଼ିଶା ସମେତ ଗୋଆ, କର୍ଣ୍ଣାଟକ, ଛତିଶଗଡ଼ ଓ ଅନ୍ୟ ଖଣି ଭିତ୍ତିକ ରାଜ୍ୟଗୁଡ଼ିକୁ ଏହି ଚିଠି ଲେଖିଛନ୍ତି।

ଏକ ଆକଳନରୁ ଜଣାପଡ଼ିଛି, ଆସନ୍ତା ବର୍ଷ ମାର୍ଚ ପରେ ଖଣି ଲିଜ୍ ଅବଧି ଶେଷ ହେଉଥିବା ଯୋଗୁ ୫୦ ନିୟୁତ ଟନ୍ ଲୁହା ପଥରର ଅଭାବ ଦେଖାଦେବ। ୨୦୨୦-୨୧ ବେଳକୁ ସେହି ଅଭାବ ଆହୁରି ଗୁରୁତର ହେବ। ଦେଶ ଭିତରେ ଲୁହା ପଥର ଉତ୍ପାଦନ କମିଲେ ଆମଦାନି ଜରିଆରେ ‌‌ଅଭାବ ପୂରଣ କରିବାକୁ ପଡ଼ିବ। ଦେଶର ୭୦ ପ୍ରତିଶତ ଇସ୍ପାତ କାରଖାନାର ନିଜସ୍ବ ଖଣି ନାହିଁ। ସେମାନେ ଲୁହା ପଥର ଯୋଗାଣକାରୀ ଉପରେ ନିର୍ଭରଶୀଳ ଅଛନ୍ତି। ବନ୍ଦର ଠାରୁ ବହୁ ଦୂରରେ ଇସ୍ପାତ କାରଖାନା ସ୍ଥାପନ କରିଥିବା କଂପାନିଗୁଡ଼ିକ ଘରୋଇ ଲୁହା ପଥର କଂପାନି ଉପରେ କଞ୍ଚାମାଲ ପାଇଁ ନିର୍ଭର କରନ୍ତି। ତେବେ ଓଡ଼ିଶା ସରକାର ଖଣି ନିଲାମ କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି। ୧୨ଟି ଲୁହା ପଥର ଖଣିର ନିଲାମ ପ୍ରକ୍ରିୟା‌ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର