ନୂଆଦିଲ୍ଲୀ: ଆଜି ବଜେଟ ଅଧିବେଶନର ପ୍ରଥମ ଦିବସରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅର୍ଥନୈତିକ ସର୍ଭେ ରିପୋର୍ଟ ପାର୍ଲାମେଣ୍ଟରେ ଉପସ୍ଥାପନ କରିଛନ୍ତି। ଆସନ୍ତା ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ହାର ୮ରୁ ୮.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଅର୍ଥନୈତିକ ସର୍ଭେର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ଏହା ଆସନ୍ତା ଆର୍ଥିକ ବର୍ଷରେ ଜିଡିପି ହାର କେତେ ରହିବ ତାର ଏକ ପୂର୍ବାନୁମାନ ବା ପୂର୍ବଆକଳନ ପ୍ରଦାନ କରିଥାଏ । ଅନ୍ୟ ପକ୍ଷରେ ଏହି ସର୍ଭେ ଦେଶର ପରବର୍ତ୍ତୀ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ନୀତି ନିର୍ଦ୍ଧାରଣରେ ସହାୟତା କରିଥାଏ। ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ନେତୃତ୍ବରେ ଅଭିଜ୍ଞ ଅର୍ଥନୀତି ବିଶାରଦ, ବଜାର ବିଶେଷଜ୍ଞ ଓ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କ ଏକ ଟିମ୍ ପ୍ରସ୍ତୁତ କରିଥାଏ।
ଚଳିତ ଥରର ଅର୍ଥନୈତିକ ସର୍ଭେର ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହା ଉପସ୍ଥାପିତ ହେବାର ମାତ୍ର ଦିନ କେଇଟା ପୂର୍ବରୁ ଭାରତ ସରକାର ଜଣେ ନୂତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ନିଯୁକ୍ତ କରିଛନ୍ତି। ତେଣୁ ଆଜି ପ୍ରକାଶିତ ସର୍ଭେ ରିପୋର୍ଟରେ ତାଙ୍କର ଭୂମିକା ନଥିବା ଏକ ସ୍ବାଭାବିକ କଥା। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟିରେ ସଦସ୍ୟ ଥିବା ଭି. ଅନନ୍ତ ନାଗେଶ୍ବରନଙ୍କୁ ୨୮ ତାରିଖରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ଆଇଆଇଏମ ଅହମଦାବାଦର ଜଣେ ଗ୍ରାଜୁଏଟ ନାଗେଶ୍ବରନ ଏବେ ସିଂଗାପୁରର ଏକ ବି-ସ୍କୁଲରେ ଅନ୍ତର୍ଜାତୀୟ ଅର୍ଥନୀତି, ବିନିମୟ ମୁଦ୍ରା, ଉପରେ ଅଧ୍ୟାପନା କରୁଛନ୍ତି । ଗତବର୍ଷ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଥିବା କୃଷ୍ଣମୂର୍ତ୍ତି ସୁବ୍ରମଣିଅନ୍ ନିଜ ପଦରୁ ଇସ୍ତଫା ଦେଇଥିଲେ, ଏହାପରେ ଏହି ପଦବୀ ଖାଲି ଥିଲା।
ଅନ୍ୟ ପକ୍ଷରେ ଅର୍ଥନୈତିକ ସର୍ଭେ ଜିଡିପି ହାରକୁ କରୁଥିବା ଆକଳନ ବହୁ ସମୟରେ ଭୁଲ ପ୍ରମାଣିତ ହୋଇଥାଏ। ଆକଳନରେ ଦିଆଯାଇଥିବା ସଂଖ୍ୟା ଓ ପ୍ରକୃତ ସଂଖ୍ୟା ମଧ୍ୟରେ ବଡ଼ ପାର୍ଥକ୍ୟ ଦେଖାଯାଏ। ୨୦୨୦-୨୧ ଆର୍ଥିକ ବର୍ଷରେ ଅର୍ଥନୈତକ ସର୍ଭେର ଜିଡିପି ହାର ଆକଳନ ୬ରୁ ୬.୫ ପ୍ରତିଶତ ଥିବା ବେଳେ ପ୍ରକୃତରେ ଏହା ୭.୩ ପ୍ରତିଶତ ହୋଇଥିଲା । ଉଲ୍ଲେଖଯାଗ୍ୟ୨୦୨୦ରେ କରୋନା ମହାମାରୀ ଆସିବାର ବେଶ୍ ପୂର୍ବରୁ ଅର୍ଥନୈତିକ ସର୍ଭେ ଉପସ୍ଥାପିତ ହୋଇଥିଲା। ଏଥର ଏହା କେତେ ଦୂର ଠିକ ହେଉଛି ତାହା ଦେଖିବାର କଥା ।