ନୂଆଦିଲ୍ଲୀ: ଆମେରିକାରେ ଆପଲ୍ର ଆଇଫୋନ୍ ୧୫ ଉନ୍ମୋଚନ ହେବା ସହ ଭାରତକୁ ଦୁଇଟି ବଡ଼ ସଫଳତା ମିଳିଛି। ସେ ବିଷୟରେ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ନ୍ୟୁୟର୍କ ଓ ଲଣ୍ଡନ ଭଳି ସହର ସମେତ ଭାରତରେ ସମାନ ଦିନରେ ଏହି ନୂଆ ଫୋନ୍ ଉପଲବ୍ଧ ହେବ। ଅନ୍ୟ ବଡ଼ ଉପଲବ୍ଧି ହେଉଛି ଆଇଫୋନ୍ ୧୫ରେ ଇସ୍ରୋ ବିକାଶ କରିଥିବା ଉପଗ୍ରହ ବ୍ୟବସ୍ଥା ବ୍ୟବହାର କରାଯାଇଛି। ଆଇଫୋନ୍ ୧୫ରେ ଥିବା ଏନ୍ଏଭିଆଇସି ଉପଗ୍ରହ ବ୍ୟବସ୍ଥାକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବିକାଶ କରିଛି।
ଆପଲ୍ର ନୂଆ ଆଇଫୋନ୍ ୧୫କୁ ଭାରତରେ ତିଆରି କରାଯାଉଥିଲେ ମଧ୍ୟ ଆମେରିକା ଓ ଦୁବାଇ ତୁଳନାରେ ଏହାର ଦାମ୍ ଅଧିକ ରହିଛି। ଦେଶ ଭିତରେ ଆଇଫୋନ୍ ଉତ୍ପାଦନ ହେବା ପରେ ତାହା କମ୍ ଦାମ୍ରେ ମିଳିବ ବୋଲି ଭାବୁଥିବା ଗ୍ରାହକମାନେ ନିରାଶ ହୋଇଛନ୍ତି। ଆଇଫୋନ୍ ୧୫ ପ୍ରୋ ମାକ୍ସର ୧ ଟିବି ମଡେଲ୍ ଦାମ୍ ୧,୯୯,୯୦୦ ଟଙ୍କା ରହିଛି। ଆମେରିକାରେ ସେହି ମଡେଲ୍ର ଦାମ୍ ଭାରତୀୟ ମୁଦ୍ରାରେ ୧,୩୨,୭୧୭ ଟଙ୍କା ରହିଛି। ଅର୍ଥାତ ଆମେରିକା ବଜାର ତୁଳନାରେ ଭାରତୀୟ ଗ୍ରାହକମାନେ ୫୭% ଅଧିକ ଦାମ୍ ଗଣିଲେ ସେହି ଫୋନ୍ କିଣିପାରିବେ। ଅବଶ୍ୟ ଏହି ମଡେଲ୍କୁ ଭାରତରେ ତିଆରି କରାଯାଉନାହିଁ। ଦେଶ ଭିତରେ ଉତ୍ପାଦନ କରାଯାଉଥିବା ଆଇଫୋନ୍ ୧୫ ମଡେଲ୍ ମୂଲ୍ୟରେ ମଧ୍ୟ ୨୦ ପ୍ରତିଶତ ଅନ୍ତର ରହିଛି।
ଆଇଫୋନ୍ର ପ୍ରୋ ମଡେଲ୍ ଉପରେ ୨୨ ପ୍ରତିଶତ ଆମଦାନି ଶୁଳ୍କ ଲଗାଯାଇଛି। ଆମେରିକାରେ ଆଇଫୋନ୍ ୧୫ ପ୍ରୋ ଦାମ୍ ୮୨,୯୧୭ ଟଙ୍କା ଥିବା ବେଳେ ଶୁଳ୍କ ପାଇଁ ଭାରତରେ ସେହି ଦାମ୍ ୧,୩୪,୯୦୦ ଟଙ୍କା ରହିଛି। ସେହି ମଡେଲ୍ ଦୁବାଇରେ ୯୨,୧୫୭ ଟଙ୍କା ଭଳି କମ୍ ଦାମ୍ରେ ମିଳୁଛି। ଆଇଫୋନ୍ ୧୫ ପ୍ରୋ ପାଇଁ ଭାରତୀୟ ଗ୍ରାହକଙ୍କୁ ୪୧,୧୯୩ ଟଙ୍କା, ଆଇଫୋନ୍ ପ୍ରୋ ମ୍ୟାକ୍ସ (୨୫୬ ଜିବି) ଉପରେ ୪୮,୮୨୭ ଟଙ୍କା ଏବଂ ଆଇଫୋନ୍ ପ୍ରୋ ଉପର ୨୦,୬୧୫ ଟଙ୍କାର ଟିକସ ଗଣିବାକୁ ପଡ଼ିବ। ଆପଲ୍ ଯେଉଁ ନୂଆ ଆଇଫୋନ୍ ଉନ୍ମୋଚନ କରୁଛି ତାହାର ତଳ ମଡେଲ୍ଟି ଭାରତରେ ଅଧିକ ବିକ୍ରି ହେଉଛି।