ଫ୍ଲିପ୍‌କାର୍ଟ-ଓ୍ଵାଲମାର୍ଟ ରାଜିନାମା, ଟିକସ ହିସାବ କରୁଛି ଆୟକର ବିଭାଗ

ଫ୍ଲିପକାର୍ଟକୁ ମାଗିବ ସେୟାର କ୍ରୟ ରାଜିନାମା

ନୂଆଦିଲ୍ଲୀ: ଭାରତୀୟ ଇ-କମର୍ସ କମ୍ପାନି ଫ୍ଲିପ୍‌କାର୍ଟର ୭୭ ପ୍ରତିଶତ ଅଂଶଧନକୁ ଆମେରିକାର ପ୍ରମୁଖ ରିଟେଲ କମ୍ପାନି ଓ୍ଵାଲମାର୍ଟ କିଣିବା ଘଟଣା ଏବେ ଚର୍ଚ୍ଚାରେ ରହିଛି। ଓ୍ଵାଲମାର୍ଟ ଏହି କମ୍ପାନିର ୭୭ ପ୍ରତିଶତ ଅଂଶଧନକୁ ପ୍ରାୟ ୧୬ ବିଲିଅନ ଡଲାରରେ କିଣିଛି ବୋଲି ଘୋଷଣା କରିସାରିଛି। ଗୋଟିଏ ପଟେ ଏହା ଉଭୟ କମ୍ପାନି ଏବଂ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଥିବାବେଳେ ଅନ୍ୟପଟରେ ଟିକସ ବିଭାଗ ପାଇଁ ଏହା ଏବେଠାରୁ ମୁଣ୍ଡବିନ୍ଧାର କାରଣ ପାଲଟିଛି। କାରଣ ଏହି ଅଧିଗ୍ରହଣରୁ ଆୟକର ବିଭାଗକୁ କେତେ ଟିକସ ରାଶି ମିଳିବ ତାହା ଏ ଯାଏ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେଣୁ ଆୟକର ବିଭାଗ ପାଇବାକୁ ଥିବା ଟିକସ ରାଶିକୁ ନେଇ ଅଙ୍କକଷା ଆରମ୍ଭ କରିଦେଇଛି।

ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିର୍ଦ୍ଦିଷ୍ଟ ଭାବେ ସରକାରଙ୍କୁ ଏ ବାବଦରେ କେତେ ଟିକସ ରାଶି ମିଳିବ ସେ ନେଇ ରାଜସ୍ୱ ବିଭାଗ ଫ୍ଲିପକାର୍ଟକୁ ଚିଠି ଲେଖିବ। ଏହି ଚିଠିରେ ବିଭାଗ ପକ୍ଷରୁ ଫ୍ଲିପକାର୍ଟ ଓ ଓ୍ଵାଲମାର୍ଟ ମଧ୍ୟରେ ହୋଇଥିବା ସେୟାର କ୍ରୟ ରାଜିନାମା ସମ୍ପର୍କରେ ତଥ୍ୟ ମଗାଯିବ। ଏତଦ୍‌ବ୍ୟତୀତ ଜେନେରାଲ ଆଣ୍ଟି ଆଭଏଡାନ୍ସ ରୁଲ୍ସ ବା ଗାର୍‌କୁ ଏ କ୍ଷେତ୍ରରେ ଲାଗୁ କରାଯାଇ ପାରିବ କି ନାହିଁ ତାହା ମଧ୍ୟ ଅନୁଧ୍ୟାନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବିଭାଗ ପକ୍ଷରୁ ଏବେ ଆୟକର ଆଇନର ଧାରା ୯(୧)କୁ ନିରୀକ୍ଷଣ କରାଯାଉଛି। ଆୟକର ଆଇନର ଏହି ଧାରା ଅନୁସାରେ ସମ୍ପତ୍ତିର ପରୋକ୍ଷ ହସ୍ତାନ୍ତର ବିଷୟକୁ ଦେଖାଯାଇଥାଏ। ଫ୍ଲିପକାର୍ଟ ଓ ଓ୍ଵାଲମାର୍ଟ ଚୁକ୍ତି କ୍ଷେତ୍ରରେ ସିଙ୍ଗାପୁର ଓ ମରିସସ୍‌ ଭଳି ଦେଶ ସହିତ ଭାରତର ରହିଥିବା ଦ୍ୱିପାକ୍ଷିକ ଟିକସ ରାଜିନାମା କାର୍ଯ୍ୟକାରୀ ହେବ କି ନାହିଁ ତାହାକୁ ବିଭାଗ ଦେଖିବ। ଦ୍ୱିପାକ୍ଷିକ ଟିକସ ରାଜିନାମାର ସୁବିଧା ପ୍ଲିପକାର୍ଟକୁ ମିଳିବ କିମ୍ବା ମିଳିବ ନାହିଁ ତାହାକୁ ବିଭାଗ ତର୍ଜମା କରିବ।
ଉଲ୍ଲେଖଯୋଗ୍ୟ ଯେ, ଫ୍ଲିପକାର୍ଟ ଏକ ଭାରତୀୟ କମ୍ପାନି ହୋଇଥିଲେ ମଧ୍ୟ ଏହାର ପଞ୍ଜୀକୃତ କାର୍ଯ୍ୟାଳୟ ଫ୍ଲିପକାର୍ଟ ପ୍ରାଇଭେଟ ଲିମିଟେଡ ନାମରେ ସିଙ୍ଗାପୁରରେ ରହିଛି। ଗତ ସପ୍ତାହରେ ଓ୍ଵାଲମାର୍ଟ ଓ ଫ୍ଲିପକାର୍ଟ ମଧ୍ୟରେ ବିକ୍ରି ସମ୍ପର୍କିତ ସେୟାର କ୍ରୟ ରାଜିନାମା ହୋଇଛି। ବିକ୍ରି ସମ୍ପର୍କିତ ସମସ୍ତ ପ୍ରକାର ଆନୁଷ୍ଠାନିକ କାର୍ଯ୍ୟ ଶେଷ ହେବା ପରେ ଆୟକର ବିଭାଗ କମ୍ପାନି ଠାରୁ ସେୟାର କ୍ରୟ ରାଜିନାମାକୁ ମାଗିବ। ଏହି ଅଧିଗ୍ରହଣ ପରେ କାହା ନିକଟକୁ କେତେ ପାଣ୍ଠି ଯାଇଛି ଏବଂ ପ୍ରକୃତ ହିତାଧିକାରୀ କିଏ ତାହା ଜାଣିବାରେ ଏହି ରାଜିନାମା ସହାୟକ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର