ଦେଶର ପ୍ରମୁଖ ଆଇଟି କମ୍ପାନିମାନେ ଏବର୍ଷ ୬୦ ହଜାର ମହିଳାଙ୍କୁ କ୍ୟାମ୍ପସ ନିଯୁକ୍ତି ଦେବେ

ନୂଆଦିଲ୍ଲୀ : ଦେଶର ପ୍ରମୁଖ ୪ଟି ଆଇଟି କମ୍ପାନି ଟିସିଏସ, ଇନଫୋସିସ୍, ଓ୍ବିପ୍ରୋ ଓ ଏଚସିଏଲ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୬୦ ହଜାର ମହିଳା କର୍ମଚାରୀଙ୍କୁ କ୍ୟାମ୍ପସ୍ ନିଯୁକ୍ତ ଦେବାର ସମ୍ଭାବନା ରହିଛି । ଇଂରାଜୀ ଖବରକାଗଜ ଦ ଇକନୋମିକ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆଇଟି କମ୍ପାନିମାନେ ଅଧିକ ସଂଖ୍ୟକ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦେଇ ନିଜ ନିଜ କ୍ୟାମ୍ପସରେ ଲିଙ୍ଗଗତ ବିଭେଦତା ଦୂର କରିବାକୁ ଉଦ୍ୟମ କରୁଛନ୍ତି ।

ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ବେ ଆଇଟି ଉଦ୍ୟୋଗରେ ବଢିଚାଲିଥିବା ନିଯୁକ୍ତି ସୁଯୋଗ ଆଶା ସୃଷ୍ଟି କରିଛି । ଗତ ଜୁନ ମାସରେ ଆଇଟି ଓ ବିପିଓ କମ୍ପାନିମାନଙ୍କ ସଂଘ ନାସକମ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର ପ୍ରମୁଖ ୫ଟି ସଫ୍ଟଓ୍ବାର କମ୍ପାନି ଚଳିତ ବର୍ଷ ମୋଟ ୯୬ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି । କେବଳ ଦେଶର ବୃହତ୍ତମ ଆଇଟି କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ପ୍ରାୟ ୪୦ ହଜାର କ୍ୟାମ୍ପସ୍ ନିଯୁକ୍ତି ପ୍ରଦାନ କରିବାକୁ ଘୋଷଣା କରିଛି ।

ସମ୍ବନ୍ଧିତ ଖବର