୫ ଦିନ ହେଲା ପେଟ୍ରୋଲ, ଡିଜେଲ୍‌ ଦର ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଦେଶରେ ଗତ ୫ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିଛି। ଶେଷ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ଗତମାସ ୨୭ ତାରିଖରେ ବଢ଼ିଥିଲା। ଫଳରେ ଭୁବନେଶ୍ବରରେ ଲିଟର ପିଛା ପେଟ୍ରୋଲ ଦର ଏବେ ୯୧ ଟଙ୍କା ୯୦ ପଇସା ଓ ଡିଜେଲ ଦର ୮୮ ଟଙ୍କା ୭୯ ପଇସା ରହିଛି। କିନ୍ତୁ ଦେଶର କେତେକ ସ୍ଥାନରେ ପେଟ୍ରୋଲ ଦର ୧୦୦ ଟଙ୍କା ମଧ୍ୟ ଅତିକ୍ରମ କରିସାରିଛି। ତେବେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଏବେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ଉପରେ ବିଚାର କରୁଛି। ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ହ୍ରାସ କରାଯାଇ ପାରେ ବୋଲି ବିଭିନ୍ନ ସ୍ତରରେ ଆଲୋଚନା ହେଉଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧିକୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିର କାରଣ ଭାବେ ଦର୍ଶାଉଛନ୍ତି। ବୁଧବାର ବ୍ରେଣ୍ଟ୍ କ୍ରୁଡ୍‌ ମୂଲ୍ୟ ବ୍ୟାରେଲ ପିଛା ୬୫.୬୯ ଡଲାର ବା ପାଖାପାଖି ୪୮୧୩ ଟଙ୍କା ଥିବାବେଳେ ୱେଷ୍ଟ୍ ଟେକ୍ସାସ୍ ଇଣ୍ଟରମିଡିଏଟ୍‌ ଦର ବ୍ୟାରେଲ ପିଛା ୬୨.୭୦ ଡଲାର ରହିଛି।

ସମ୍ବନ୍ଧିତ ଖବର