୩ ବର୍ଷରେ ଏମିତି ବଢ଼ିନଥିଲା: ପେଟ୍ରୋଲ ୭୬, ଡିଜେଲ ୭୨ ଟଙ୍କା ଟପିଲା

ନୂଆଦିଲ୍ଲୀ: ଦେଶରେ ତୈଳ ଦର ଆଜି ରେକର୍ଡ ପରିମାଣରେ ବଢ଼ିଛି। ପେଟ୍ରୋଲ ଦର ଲିଟର ପିଛା ଦିଲ୍ଲୀରେ ଲିଟର ପିଛା ୬୨ ପଇସା ଓ ଡିଜେଲ ଦର ୬୪ ପଇସା ବୃଦ୍ଧି ଘଟିଛି। ଭୁବନେଶ୍ବରରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୬୩ ପଇସା ଲେଖାଏଁ ବଢ଼ିଛି। ୨୦୧୭ ଜୁନ ମାସରୁ ସରକାର ତେଲ କମ୍ପାନି ଗୁଡ଼ିକୁ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ସଂଶୋଧନ ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ଏହି ୩ ବର୍ଷ ମଧ୍ୟରେ କୌଣସି ଗୋଟିଏ ଦିନରେ ପେଟ୍ରୋଲ ଓ ଡିଜେଲ ଦରରେ ଏତେ ଅଧିକ ବୃଦ୍ଧି ହୋଇ ନଥିଲା। ଗୋଟିଏ ପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ୁଥିବାବେଳେ ଅନ୍ୟପଟେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ହେଉଥିବାରୁ ତେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଅଶୋଧିତ ତେଲ ଦର ହ୍ରାସ ଏବଂ ଡଲାର ତୁଳନାରେ ଟଙ୍କା ସବଳ ଥିବାବେଳେ ଯଦିଓ କମ୍ପାନି ଗୁଡ଼ିକ ଦର କମାଇଥାନ୍ତି ତଥାପି ଏହାର ସମ୍ପୂର୍ଣ୍ଣ ପ୍ରତିଫଳନ ବା ଲାଭ ଗ୍ରାହକଙ୍କୁ ମିଳି ନଥାଏ। ସରକାର ଓ ତେଲ କମ୍ପାନି ମିଳିମିଶି ଏହାର ଲାଭ ନେଇଥାନ୍ତି। ଅନ୍ୟପକ୍ଷରେ ଅଶୋଧିତ ତେଲ ଦର ବଢ଼ିଲେ ଏବଂ ଟଙ୍କା ଦୁର୍ବଳ ହେଲେ କମ୍ପାନି କିଭଳି ଗ୍ରାହକଙ୍କ ମୁଣ୍ଡରେ ଦର ବୃଦ୍ଧିର ବୋଝ ଲଦିଥାନ୍ତି ତାହା ଆଜିର ଦର ବୃଦ୍ଧିରୁ ସ୍ପଷ୍ଟ ହୋଇଯାଇଛି।

କରୋନା ମହାମାରୀ ସମୟରେ ତେଲ କମ୍ପାନି ଗୁଡ଼ିକ ଦୀର୍ଘ ୮୨ ଦିନ ଧରି ପେଟ୍ରୋଲ, ଡିଜେଲ ସଂଶୋଧନ କରି ନଥିଲେ। କିନ୍ତୁ ଗତ ୭ ତାରିଖରୁ ଦର କ୍ରମାଗତ ବଢ଼ୁଛି। ଗତ କିଛିଦିନର ଦରବୃଦ୍ଧି ଉପରେ ନଜର ପକାଇଲେ ଜଣାଯାଏ ଗତ ୬ ତାରିଖରେ ଭୁବନେଶ୍ବରରେ ପେଟ୍ରୋଲ ଦର ୭୧ ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ ଦର ୬୭ ଟଙ୍କା ୭୩ ପଇସା ଥିଲା। କିନ୍ତୁ ଆଜି ଭୁବନେଶ୍ବରରେ ଭାରତୀୟ ତୈଳ ନିଗମ ଟାଙ୍କିରେ ପେଟ୍ରୋଲ ମୂଲ୍ୟ ୭୬ ଟଙ୍କା ଟପି ୭୬ ଟଙ୍କା ୩୦ ପଇସାରେ ଏବଂ ଡିଜେଲ ଦର ୭୨ ଟଙ୍କା ଟପି ୭୨ ଟଙ୍କା ୩୦ ପଇସାରେ ପହଞ୍ଚିଯାଇଛି। ଫଳରେ ଗତ ୮ ଦିନ ମଧ୍ୟରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୪ ଟଙ୍କା ୫୮ ପଇସା ଓ ଡିଜେଲ ଦର ୪ ଟଙ୍କା ୫୭ ପଇସା ମହଙ୍ଗା ହୋଇଯାଇଛି। ବିଭିନ୍ନ ରାଜ୍ୟରେ ଭାଟ୍ ଭିନ୍ନ ଭିନ୍ନ ରହୁଥିବାରୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିରେ ଏହି ପାର୍ଥକ୍ୟ ରହୁଛି। ସରକାର ଚଳିତବର୍ଷ ମାର୍ଚ୍ଚ ୧୪ରେ ପ୍ରଥମେ ପେଟ୍ରୋଲ ଓ ଡିଜେଲର ଉତ୍ପାଦନ ଶୁଳ୍କ ଲିଟର ପିଛା ୩ ଟଙ୍କା ବଢ଼ାଇଥିଲେ। ଏହାପରେ, ମେ ୫ ତାରିଖରେ ପେଟ୍ରୋଲ ଉପରେ ୧୦ ଟଙ୍କା ଏବଂ ଡିଜେଲ ଉପରେ ୧୩ ଟଙ୍କା ଟିକସ ବଢ଼ାଇଥିଲେ। ଫଳରେ ଦୁଇ ମାସରୁ କମ ସମୟ ମଧ୍ୟରେ ସରକାର ପେଟ୍ରୋଲ ଏବଂ ଡିଜେଲ ଗ୍ରାହକଙ୍କ ଉପରେ ଉତ୍ପାଦନ ଶୁଳ୍କ ଓ ସେସ୍‌ ବାବଦରେ ଯଥାକ୍ରମେ ୧୩ ଟଙ୍କା ଏବଂ ୧୬ ଟଙ୍କାର ବୋଝ ଲଦିଦେଲେ। ସରକାର ବାର୍ଷିକ ଅତିରିକ୍ତ ୨ ଲକ୍ଷ ‌କୋଟି ଟଙ୍କାର ଟିକସ ଆଦାୟ କରିବା ଲକ୍ଷ୍ୟରେ ଏହି ଟିକସ ବୃଦ୍ଧି କରିଦେଲେ। ଅନ୍ତର୍ଜାତୀୟ ବଜାରରେ ଯେତେବେଳେ ‌ଅଶୋଧିତ ତେଲ ଦର ଦୁଇ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା ସରକାର ତାହାର ମଉକା ନେଇ ଏହି ଟିକସ ବଢ଼ାଇ ଦେଇଥିଲେ। ଏହା ପରେ ବିଭିନ୍ନ ରାଜ୍ୟ ସରକାରମାନେ ମଧ୍ୟ ତେଲ ଉପରେ ଭାଟ୍ ବଢ଼ାଇଦେଲେ। ଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ବୃଦ୍ଧି ଜନିତ ବୋଝକୁ ଗ୍ରାହକ ବୋହିଲେ। ଏବେ ଚୀନ ସମେତ କେତେକ ଦେଶରେ ଲକଡାଉନ୍ ନିୟମ କୋହଳ ହେବା କାରଣରୁ ତେଲ ଚାହିଦା ବୃଦ୍ଧି ପାଇଲାଣି। ଏଥିଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ବଢ଼ିବାରେ ଲାଗିଛି। ଏବେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ପାଖାପାଖି ୪୦ ଡଲାର ରହିଛି। ଡଲାର ତୁଳନାରେ ଟଙ୍କା ମଧ୍ୟ ଦୁର୍ବଳ ହୋଇ ୭୫ ଉପରେ ରହିଛି। ତେଣୁ କମ୍ପାନି ଗୁଡ଼ିକ ଏହାର ବୋଝ ଗ୍ରାହକଙ୍କ ଉପରେ ଲଦିବା ଆରମ୍ଭ କରିଦେଇଛନ୍ତି। ଏସବୁ ପ୍ରଭାବରେ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ଆହୁରି ମହଙ୍ଗା ହେବ ବୋଲି ମଧ୍ୟ ସର୍ବ ଭାରତୀୟ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ଅଜୟ ବନସଲ କହିଛନ୍ତି। ସରକାର ଯଦି ଉତ୍ପାଦ ଶୁଳ୍କରେ ରିହାତି ନଦିଅନ୍ତି ତା‌ହେଲେ ଦର ଆହୁରି ବଢ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ସରକାର ଯଦି ଅଶୋଧିତ ତେଲ ହ୍ରାସର ସମ୍ପୂର୍ଣ୍ଣ ଲାଭ ଗ୍ରାହକଙ୍କୁ ପ୍ରଦାନ କରିଥାନ୍ତେ ତାହେଲେ ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ ଦର ୩୦ ଟଙ୍କା କମିଯାଇଥାନ୍ତା ବୋଲି ବନସଲ କହିଛନ୍ତି।

ସମ୍ବନ୍ଧିତ ଖବର