ନୂଆଦିଲ୍ଲୀ: ବଜାରରେ ବିକ୍ରି ହେଉଥିବା ଏକ ସାମଗ୍ରୀର ଦାମ୍ ଶୂନ ତଳକୁ ଖସିଯାଇଥିଲା। ଏହି ବାକ୍ୟଟି ପଢ଼ିବାକୁ ଅଖାଡ଼ୁଆ ଲାଗୁଥିଲେ ମଧ୍ୟ ତାହା ସତ। ନିକଟରେ ଆମେରିକା ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦାମ୍ ବିଯୁକ୍ତ ୩୭ ଡଲାର ହୋଇଯାଇଥିଲା। ଅଶୋଧିତ ତୈଳ ହେଉଛି ଲକ ଜୀବାଶ୍ମ ଇନ୍ଧନ। ମାଟି ତଳେ ରହିଥିବା ଏହି ସାମଗ୍ରୀ ବ୍ୟବହାର ହେବା ସହିତ ଏକ ନିର୍ଦିଷ୍ଟ ସମୟ ପରେ ଶେଷ ହୋଇଯିବ। ଏହି ସତ୍ୟକୁ ବିଚାରକୁ ନେଇ ବିଶ୍ବର ଦୁଇ ପ୍ରମୁଖ ଅର୍ଥନୀତିଜ୍ଞ ଡେଭିଡ୍ ରିକାର୍ଡୋ ଓ ହାରୋଲଡ୍ ହୋଟେଲିଂ କହିଥିଲେ ଯେ କ୍ଷୟ ହୋଇଯାଉଥିବା ସମ୍ପଦର ମୂଲ୍ୟ ତାହା ଯେତେ ଅଧିକ ବ୍ୟବହାର ହେବ ସେତେ ବଢ଼ିବ। ଏହି ଦୁଇ ଅର୍ଥନୀତିଜ୍ଞ କେବେ ସ୍ବପ୍ନରେ ଭାବିନଥିଲେ ଯେ ଏଭଳି ଏକ ଦିନ ଆସିବ ଯେଉଁଦିନ କ୍ଷୟ ହେଉଥିବା ଏକ ସମ୍ପଦର ମୂଲ୍ୟ ଋଣାତ୍ମକ ହୋଇଯିବ। ସେମାନଙ୍କ ସିଦ୍ଧାନ୍ତକୁ ଭୁଲ ପ୍ରମାଣିତ କରି ଚଳିତ ମାସ ୨୦ ତାରିଖରେ ଆମେରିକାରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ବିଯୁକ୍ତ ୩୭ ଡଲାର ହୋଇଥିଲା।
ଏହାର ପ୍ରମୁଖ କାରଣ ହେଉଛି କରୋନା ଭୂତାଣୁ ବ୍ୟାପିବା ପରେ ବିଭିନ୍ନ ସ୍ଥାନରେ ଘୋଷଣା କରାଯାଇଥିବା ଲକ୍ଡାଉନ୍। ବିମାନ ଉଡ଼ାଣ ଠାରୁ ଆରମ୍ଭ କରି ଗାଡ଼ି ମଟର ପର୍ଯ୍ୟନ୍ତ ସବୁ କିଛି ବନ୍ଦ ହୋଇଯାଇଥିବାରୁ ତୈଳ ଚାହିଦା ହ୍ରାସ ପାଇଛି। ତୈଳ କାରବାରରେ 'ପରିବହନ ଖର୍ଚ୍ଚ' ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ବ୍ୟତୀତ ତୈଳ ପରିବହନର ବୀମା, ସୁଧ ଏବଂ ସଂରକ୍ଷିତ ରଖିବାର ଖର୍ଚ୍ଚ ମଧ୍ୟ ରହିଛି। ଏହି ସବୁ ଖର୍ଚ୍ଚକୁ ଏବେ ବହନ କରିବାକୁ ଗ୍ରାହକମାନେ ଚାହୁନାହାନ୍ତି। କାରଣ ସେମାନଙ୍କ ପାଖରେ ଚାହିଦା ଠାରୁ ଅଧିକ ତେଲ ରହିଛି। ଅଧିକ ତେଲ କିଣିଲେ ତାହାକୁ ରଖିବା ଲାଗି ସ୍ଥାନ ନାହିଁ।
ଅଶୋଧିତ ତୈଳ ସାଧାରଣତଃ ସମୁଦ୍ର ପଥରେ ଜାହାଜ ଜରିଆରେ ପରିବହନ କରାଯାଇଥାଏ। କରୋନା ପରେ ସୃଷ୍ଟି ହୋଇଥିବା ସ୍ଥିତିକୁ ନଜରରେ ରଖି ଜାହାଜ କଂପାନିଗୁଡ଼ିକ ପରିବହନ ଖର୍ଚ୍ଚ ବଢ଼ାଇ ଦେଇଛନ୍ତି। ଯେହେତୁ ବିଭିନ୍ନ ଦେଶରେ ତେଲ ରଖିବା ଲାଗି ଥିବା ଭଣ୍ଡାରଗୁଡ଼ିକ ପୂର୍ଣ୍ଣ ହୋଇଯାଇଛି ତେଣୁ କିଛି ଗ୍ରାହକ ଜାହାଜରେ ତେଲ ରଖିବାକୁ ଆଗ୍ରହ ଦେଖାଇଥିଲେ। ଏହା ପରେ ପରିବହନ ଖର୍ଚ୍ଚରେ ବଡ଼ ଧରଣର ବୃଦ୍ଧି ଘଟିଥିଲା। ଏତେ ଅଧିକ ଦାମ୍ ଦେଇ ତେଲ ନେବାକୁ ଗ୍ରାହକମାନେ ଆଗ୍ରହ ଦେଖାଇଲେ ନାହିଁ। ତୈଳ ବ୍ୟବସାୟର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଭବିଷ୍ୟତ ପାଇଁ ଆଗୁଆ ତୈଳ ବରାଦ ଗ୍ରହଣ କରାଯାଇଥାଏ। ତାହାକୁ ଫ୍ୟୁଚର ଟ୍ରେଡିଂ କୁହାଯାଏ। ଅର୍ଥାତ ଆସନ୍ତା ମେ' ମାସ ପାଇଁ ତୈଳ ବିକ୍ରି ଏପ୍ରିଲ୍ରେ କରାଯାଏ। ଯେଉଁ ଗ୍ରାହକ ଯେତିକି ତେଲ ପାଇଁ ବରାଦ ଦିଅନ୍ତି ବିକ୍ରେତାମାନେ ସେତିକି ତୈଳ ଯୋଗାଡ଼ କରିଥାନ୍ତି। ଆମେରିକାରେ ଗ୍ରାହକମାନେ ଅଧିକ ତେଲ କିଣିବାକୁ ବରାଦ ଦେଇଥିଲେ। ମାତ୍ର ଚାହିଦା କମିଯିବାରୁ ସେହି ଦାମ୍ରେ ଆଉ ସେମାନେ ତେଲ ନେବାକୁ ଚାହିଁଲେ ନାହିଁ।