ଏତେ ବଡ଼ ଦେଶକୁ କେନ୍ଦ୍ର ଏକା ସମ୍ଭାଳିବା ସମ୍ଭବ ନୁହେଁ: ରାଜନ

ନୂଆଦିଲ୍ଲୀ: ଭାରତ ଏକ ବହୁତ ବଡ଼ ଦେଶ। କେନ୍ଦ୍ର ସରକାର ଏକାକୀ ଏହାକୁ ସମ୍ଭାଳିବା ସମ୍ଭବ ନୁହେଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। ତାମିଲନାଡୁର ଅର୍ଥମନ୍ତ୍ରୀ ପି ତ୍ୟାଗରାଜନଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ଭାରତ ଭଳି ଦେଶ ପାଇଁ କେନ୍ଦ୍ର ସରକାର ଜରୁରୀ। ଏହା ସହିତ ରାଜ୍ୟଗୁଡ଼ିକୁ ମଧ୍ୟ ଅଧିକ କ୍ଷମତା ଦେବାର ଆବଶ୍ୟକତା ରହିଛି। ଭାରତ ଭଳି ବିଶାଳ ଦେଶକୁ କେନ୍ଦ୍ର ଏକାକୀ ସମ୍ଭାଳିପାରିବ ନାହିଁ। ରାଜ୍ୟ ସରକାରଙ୍କ ଠାରୁ ପଞ୍ଚାୟତିରାଜ ସଂସ୍ଥା ପର୍ଯ୍ୟନ୍ତ ସମସ୍ତଙ୍କୁ ଅଧିକ କ୍ଷମତା ଦରକାର। ଏହା ହେଲେ ଗଣତନ୍ତ୍ର ଦୃଢ଼ ହେବ ବୋଲି ସେ କହିଛନ୍ତି। ସେହିପରି, କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ୍‌ଙ୍କ ସହ ଘରୋଇକରଣ ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି ସରକାରଙ୍କୁ ପ୍ରଥମେ ଘରୋଇ ‌କ୍ଷେତ୍ର ଓ ସମବାୟ କ୍ଷେତ୍ରର ଭୂମିକା କ’ଣ ତାହା ନିର୍ଧାରଣ କରିବାକୁ ହେବ। ସାର୍ବଜନୀନ ସାମଗ୍ରୀ, ସେବା ଓ ଭିତ୍ତିଭୂମି ସରକାରଙ୍କ ପାଖରେ ରହିବା ଦରକାର।

ବ୍ୟାଙ୍କ ଭଳି କ୍ଷେତ୍ରରେ ପିଏସ୍‌ୟୁ ସଂସ୍ଥାଗୁଡ଼ିକର ଆବଶ୍ୟକତା ରହିଛି। ଯଦି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ଘରୋଇ କ୍ଷେତ୍ର ହାତକୁ ଟେକି ଦିଆଯିବ ତେବେ ସେମାନେ ସରକାରୀ ସଂସ୍ଥାଗୁଡ଼ିକୁ କୋଣଠେସା କରି ରଖିବେ ଓ ଏକଚାଟିଆ ମନୋଭାବ ରଖି କାମ କରିବେ। ସରକାରୀ ସଂସ୍ଥାଗୁଡ଼ିକର ପ୍ରଶାସନିକ ବ୍ୟବସ୍ଥାକୁ କାହିଁକି ଉନ୍ନତ କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜନ କହିଛନ୍ତି ‌ଯେ ଯଦି ଘରୋଇକରଣ କରିବାକୁ ଚାହୁଛ ତେବେ ସେୟାର ବିକ୍ରି କର। ସେଥିରେ ସାର୍ବଜନୀନ ନିବେଶକମାନେ ଭାଗ ନେଇପାରିବେ। ଏହିଭଳି ଭାବେ ଆଇସିଆଇସିଆଇ ବ୍ୟାଙ୍କର ଘରୋଇକରଣ ହୋଇଥିଲା। କିନ୍ତୁ ତାହା ଏକ ସରକାରୀ ବ୍ୟାଙ୍କ ଠାରୁ ଅଧିକ ଭଲ ରହିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର