ପୂର୍ବତନ ବ୍ୟାଙ୍କ ମୁଖ୍ୟଙ୍କୁ ଗିରଫ ଦୁର୍ଭାଗ୍ୟଜନକ: ୟୁନିୟନ୍ ବ୍ୟାଙ୍କ ସିଇଓ

ଭୁବନେଶ୍ବର: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ମୁଖ୍ୟ ପ୍ରତୀପ ଚୌଧୁରୀଙ୍କୁ ଗିରଫ କରାଯିବା ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏମ୍‌ଡି ତଥା ସିଇଓ ରାଜକିରଣ ରାଏ ଜି କହିଛନ୍ତି। ବ୍ୟାଙ୍କର ତ୍ରୟମାସିକ ଫଳାଫଳ ଘୋଷଣା କରିବା ଅବସରରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଜଣେ ବ୍ୟାଙ୍କରଙ୍କୁ ଗିରଫ କରିବା ଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ନ୍ୟାୟିକ କର୍ତ୍ତୃପକ୍ଷ ଓ ତଦନ୍ତକାରୀ କର୍ତ୍ତୃପକ୍ଷ ପ୍ରଥମେ ସମସ୍ୟାଟିକୁ ବ୍ୟାଙ୍କ ଅଧିକାରୀଙ୍କ ଦୃଷ୍ଟିକୋଣରୁ ପରଖିବାର ଥିଲା।

କୌଣସି ନୋଟିସ୍‌ କିମ୍ବା ସମନ୍ ଜାରି ନକରି ତାଙ୍କୁ ଗିରଫ କରିବା ‌ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବ୍ୟାଙ୍କରେ ନିଷ୍ପତ୍ତି ଗ୍ରହଣ କରୁଥିବା ଲୋକମାନଙ୍କ ପାଇଁ ଏହି ଘଟଣା ବେଶ୍ ଚିନ୍ତାଜନକ ବିଷୟ। ସେମାନେ ଚାପଗ୍ରସ୍ତ ହେବେ। ଷ୍ଟେଟ୍‌ ବ୍ୟାଙ୍କ ଭଳି ଏକ ବଡ଼ ବ୍ୟାଙ୍କର ଜଣେ ପୂର୍ବତନ ଅଧ୍ୟକ୍ଷଙ୍କୁ ୨୫ କୋଟି ଟଙ୍କା ଭଳି ଏକ ଛୋଟ ଋଣ ମାମଲାରେ ଗିରଫ କରାଯାଇଛି। ଏଭଳି କମ୍ ପରିମାଣର ଋଣ ମଞ୍ଜୁର ନିଷ୍ପତ୍ତି କେବେ ହେଲେ ଅଧ୍ୟକ୍ଷଙ୍କ ସ୍ତରରେ ଗ୍ରହଣ କରାଯାଏ ନାହିଁ। ଏହି ନିଷ୍ପତ୍ତି ତଳସ୍ତରରେ ହୋଇଯିବ। ସେଭଳି ଏକ ଘଟଣାରେ ଜଣେ ବ୍ୟାଙ୍କରଙ୍କୁ ଗିରଫ କରାଯିବା ଆଦୌଁ ସ୍ବାଗତଯୋଗ୍ୟ ପଦକ୍ଷେପ ନୁହେଁ ବୋଲି ସେ କହିଛନ୍ତି।
ଏହି ଅବସରରେ ସେ ସୂଚନା ଦେଇଛନ୍ତି ଯେ ଋଣ ରାଶି ପୁନଃ ଆଦାୟ କରିବାରେ ୟୁନିୟନ୍ ବ୍ୟାଙ୍କ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଚଳିତ ଆର୍ଥିକ ବର୍ଷ ସାରାରେ ୧୩ ହଜାର କୋଟି ଟଙ୍କା ଆଦାୟ କରିବା ଲାଗି ଯୋଜନା ଥିଲା। ମାତ୍ର ବର୍ଷର ପ୍ରଥମ ଛଅ ମାସରେ ୧୦ ହଜାର କୋଟି ଟଙ୍କାରୁ ଅଧିକ ଆଦାୟ ହୋଇସାରିଲାଣି। ସେଥିପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଲକ୍ଷ୍ୟକୁ ୧୬ ହଜାର କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଋଣ ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ୟୁନିୟନ୍ ବ୍ୟାଙ୍କର ଋଣ ଅଭିବୃଦ୍ଧି ୬-୮% ଭଳି ସ୍ତରରେ ରହିବ। ରିଟେଲ୍, କୃଷି ଓ ଏମ୍ଏସ୍‌ଏମ୍ଇ ଋଣରେ ହାରାହାରି ୮.୫% ବୃଦ୍ଧି ହାସଲ ହୋଇଛି। ରିଟେଲ୍ ଓ କୃଷି ଋଣରେ ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ହୋଇଛି। କର୍ପୋରେଟ୍ ଜଗତକୁ ୫୫ ହଜାର କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି। କିନ୍ତୁ ସେମାନଙ୍କ ଖାତାକୁ ତାହା ହସ୍ତାନ୍ତର କରାଯାଇନାହିଁ। ଅର୍ଥନୀତିରେ ସୁଧାର ହେଉଥିବାରୁ ଆସନ୍ତା ତ୍ରୟମାସରେ ସେଥିରେ ସୁଧାର ଏବଂ ଶେଷ ତ୍ରୟମାସରେ ପୂର୍ଣ୍ଣ ସୁଧାର ହୋଇଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
ୟୁନିୟନ୍ ବ୍ୟାଙ୍କ ପକ୍ଷରୁ ଶ୍ରେୟୀ ଏନ୍‌ବିଏଫ୍‌ସି ୨୫୫୮ କୋଟି ଟଙ୍କାର ଋଣ ଦିଆଯାଇଥିଲା। ତାହାର ୬୫% ଭାଗ ପରିଶୋଧ ହୋଇନାହିଁ। ସେହି ସ୍ଥିତିର ମୁକାବିଲା କରିବା ଲାଗି ବ୍ୟାଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରୋଭିଜନିଂର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର