୫୦ ହଜାର ଲୋକଙ୍କୁ ଆୟକର ନୋଟିସ୍‌

ବେନାମୀ ସମ୍ପତ୍ତି ଖୋଳତାଡ଼

ମୁମ୍ବାଇ: ବେନାମୀ ସମ୍ପତ୍ତି ରଖିଥିବା ବ୍ୟକ୍ତିଙ୍କ ବିରୋଧରେ ଆୟକର ବିଭାଗ ଖୋଳତାଡ଼ ଆରମ୍ଭ କରିଛି। ବିଶେଷକରି ମ୍ୟୁଚୁଆଲ ଫଣ୍ଡ୍‌ ନୋମିନି, ଅତି ଧନୀ ବ୍ୟକ୍ତିଙ୍କ ପତ୍ନୀ ଯେଉଁମାନେ ଆୟକର ରିଟର୍ଣ୍ଣ ଫାଇଲ୍‌ କରୁନାହାନ୍ତି, ଗତ କିଛି ବର୍ଷ ମଧ୍ୟରେ ବିଦେଶରେ ରହି ଭାରତରେ ସମ୍ପତ୍ତି ବିକ୍ରି କରିଥିବା ପ୍ରବାସୀ ଭାରତୀୟ ଏବଂ ବିମୁଦ୍ରାକରଣ ସମୟରେ ୧ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଜମା କରିଥିବା ବ୍ୟକ୍ତିମାନେ ଆୟକର ବିଭାଗର ନଜରରେ ରହିଛନ୍ତି। ଆୟକର ବିଭାଗ ପକ୍ଷରୁ ଏସବୁ ବ୍ୟକ୍ତିମାନଙ୍କ ନିକଟକୁ ନୋଟିସ ପଠାଯାଇଛି। ଯଦିଓ ନିର୍ଦ୍ଦିଷ୍ଟଭାବେ କେତେ ସଂଖ୍ୟକ ଲୋକଙ୍କ ନିକଟକୁ ନୋଟିସ ପଠାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ତଥାପି ପ୍ରାୟ ୫୦ ହଜାର ଲୋକଙ୍କ ନିକଟକୁ ନୋଟିସ ପଠାଯାଇଛି ବୋଲି ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।ଆୟକର ବିଭାଗ ଏଭଳି ଲୋକଙ୍କର ବିଗତ ଦିନର ଆର୍ଥିକ କାରବାର ସମ୍ପର୍କରେ ଅଧିକ ସୂଚନା ମାଗିଛି। ଏଥିସହିତ ସେମାନଙ୍କ ଆୟର ଉତ୍ସ ମଧ୍ୟ ମାଗିଛି। ଯେଉଁମାନେ ରିଟର୍ଣ୍ଣ ଦାଖଲ କରିନାହାନ୍ତି ସେମାନଙ୍କୁ ଏହା କରିବା ଲାଗି ବିଭାଗ କହିଛି। ନୋଟିସ ପଠାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କେତେକଙ୍କୁ ବଡ଼ ଧରଣର ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିପାରେ। ପୂର୍ବରୁ ଯେଭଳି କେବଳ ଜରିମାନା ଦେଇ ମୁକୁଳି ଯାଉଥିଲେ ଏ କ୍ଷେତ୍ରରେ ତାହା ହେବ ନାହିଁ। ବେନାମୀ କାରବାର ଉପରେ ବିଭାଗ ଖୋଳତାଡ଼ କରୁଥିବାରୁ ଯେଉଁଠି ସନ୍ଦେହ ଉପୁଜୁଛି ସେଠାରେ ନୋଟିସ୍‌ ଜାରି କରାଯାଉଛି ବୋଲି ଜଣେ ଆୟକର ଅଧିକାରୀ କହିଛନ୍ତି। ତେବେ ନୋଟିସ ଜାରି ହୋଇଥିବା ସମସ୍ତ ୫୦ ହଜାର ବ୍ୟକ୍ତିଙ୍କ ବିରୋଧରେ ବଡ଼ ଧରଣର ଦଣ୍ଡବିଧାନ ହୋଇ ନପାରେ ।

ଟିକସ ବିଶେଷଜ୍ଞଙ୍କ କହିବାନୁଯାୟୀ, ଆୟକର ବିଭାଗର ନୋଟିସ ପାଇଥିବା ଧନୀ ବ୍ୟକ୍ତିମାନଙ୍କୁ ଜରିମାନା ଏବଂ ଟିକସ ବାବଦ ଅର୍ଥ ସହିତ ଏହାର ସୁଧ ପ୍ରଦାନ କରିବାକୁ ପଡ଼ିପାରେ। ତେବେ ଅନ୍ୟ କେତେକଙ୍କୁ ଅଧିକ ଜରିମାନା ଏବଂ ସୁଧ ଦେବାକୁ ପଡ଼ିପାରେ। ଟିକସ ଆକଳନ ସମୟରେ ଯେଉଁ ବ୍ୟକ୍ତିମାନେ ଅଧିକ ସମ୍ପତ୍ତି ଯୋଡ଼ିଛନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ବର୍ତମାନ ସୁଦ୍ଧା ଏସବୁ କ୍ଷେତ୍ରରେ ଟିକସଦାତାମାନେ ଅଧିକ ଟିକସ ଓ ଜରିମାନା ଦେଲେ ସେମାନଙ୍କୁ ଛାଡ଼ି ଦିଆଯାଉଥିଲା। କିନ୍ତୁ ଏବେ ସେମାନଙ୍କୁ ଜେଲ ଦଣ୍ଡ ହୋଇପାରେ। ଏହା ହିଁ ଟିକସଦାତାମାନଙ୍କୁ ଆତଙ୍କିତ କରିଛି ବୋଲି କେପିବି ଆଣ୍ଡ ଆସୋସିଏଟ୍ସ୍‌ ନାମକ ଟିକସ ପରାମର୍ଶଦାତା ଫାର୍ମର ପାର୍ଟନର ପାରସ୍‌ ସାଭ୍‌ଲା କହିଛନ୍ତି। ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ ଯେଉଁମାନେ ଜାଣିଶୁଣି ଟିକସ ଫାଙ୍କିବାକୁ ଉଦ୍ୟମ କରିଛନ୍ତି କେବଳ ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରେ। ଟିକସଦାତାମାନେ ପ୍ରଦାନ କରୁଥିବା ଉତ୍ତରକୁ ଯଦି ଟିକସ ଆକଳନ ଅଧିକାରୀ ପ୍ରତ୍ୟାଖ୍ୟାନ କରନ୍ତି ତାହେଲେ ସେହି ମାମଲାର ସମାଧାନ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହୋଇପାରେ। ଲୋକଙ୍କ ବିଭିନ୍ନ ପ୍ରକାର ତଥ୍ୟକୁ ବିଶ୍ଳେଷଣ କରିବା ପରେ ଆୟକର ବିଭାଗ ଏହି ଅଭିଯାନ ଆରମ୍ଭ କରିଛି। ଲୋକଙ୍କ ଫୋନ୍‌ ରେକର୍ଡ, କ୍ରେଡିଟ୍‌ କାର୍ଡ ଏବଂ ପାନ୍‌କାର୍ଡ ତଥ୍ୟ, ଟିକସ ରିଟର୍ଣ୍ଣ ଏବଂ ସୋସିଆଲ ମିଡିଆରେ ଉପଲବ୍ଧ ତଥ୍ୟକୁ ବିଶ୍ଳେଷଣ କରାଯାଇ ନୋଟିସ ଦିଆଯାଇଛି। ନୋଟିସ ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବେନାମୀ ସମ୍ପତ୍ତି ଠୁଳ କରିଥିବା କେତେକ ଧନୀ ବ୍ୟକ୍ତିଙ୍କ ଡ୍ରାଇଭର, ସମ୍ପତ୍ତି କିଣିବା ସହିତ ଟିକସ ଦେଇ ନଥିବା ବ୍ୟକ୍ତିମାନଙ୍କ ପତ୍ନୀ ଓ ସମ୍ପର୍କୀୟମାନେ ରହିଛନ୍ତି।

ସମ୍ବନ୍ଧିତ ଖବର