ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ମାର୍ଚ୍ଚ ୧୫କୁ ବୃଦ୍ଧି

ନୂଆଦିଲ୍ଲୀ : ୨୦୨୧-୨୨ ଆସେସମେଣ୍ଟ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବଢାଇଦିଆଯାଇଛି । ଏ ସମ୍ପର୍କରେ ଆଜି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଟୁଇଟ୍ କରି ଘୋଷଣା କରାଯାଇଛି ।

କୋଭିଡ ମହାମାରୀର ୩ୟ ଲହର ଆସିବା ଓ ଇଲେକ୍ଟ୍ରୋନିକ ଫାଇଲିଂରେ ସମସ୍ୟା ଯୋଗୁଁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ପୁଣି ବଢାଇବାକୁ ଦାବି ହୋଇଆସୁଥିଲା । ଏସବୁ ଦାବିକୁ ସମ୍ମାନ ଜଣାଇ ସିବିଡିଟି ପକ୍ଷରୁ ଶେଷତାରିଖକୁ ବଢାଇ ଦିଆଯାଇଥିବା କୁହାଯାଇଛି ।

୨୦୨୧-୨୨ ଆସେସମେଣ୍ଟ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ପୂର୍ବରୁ ନଭେମ୍ବର ୩୦ ଥିଲା । କିନ୍ତୁ ପରେ ଏହାକୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏବେ ଏହାକୁ ଆଉ ଥରେ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

କେବଳ ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ନୁହେଁ, ବିଭିନ୍ନ ଅଡିଟ ରିପୋର୍ଟ ଫାଇଲ କରିବାର ଶେଷ ତାରିଖକୁ ଆସନ୍ତା ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୨୦୨୦-୨୧ ବର୍ଷ ପାଇଁ ଅଡିଟ ରିପୋର୍ଟ ଦାଖଲ କରିବାର ଶେଷ ତାରିଖ ପୂର୍ବରୁ ୩୦ ସେପ୍ଟେମ୍ବର ଥିଲା । ପରେ ତାହାକୁ ୩୧ ଅକ୍ଟୋବର, ୧୫ ଜାନୁଆରି ୨୦୨୨କୁ ବୃଦ୍ଧି କରାଯାଇଥିଲା ।  ଏବେ ଏହାକୁ ଆଉ ଥରେ ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ସମ୍ବନ୍ଧିତ ଖବର