ଭୁବନେଶ୍ବର: ସୂଚନା ପ୍ରଯୁକ୍ତି ବିପ୍ଳବରେ ଆଗରେ ରହିବା ଓ ଏହାର ଲାଭକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପହଞ୍ଚାଇବା ଲକ୍ଷ୍ୟ ନେଇ ବ୍ରହ୍ମପୁର ଓ ରାଉରକେଲାରେ ଦୁଇଟି ଆଇଟି ଟାୱାର ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଘରୋଇ ସରକାରୀ ସହଭାଗିତା (ପିପିପି) ମୋଡ୍‌ରେ ଡିଜାଇନ୍, ନିର୍ମାଣ, ଫାଇନାନ୍ସ, ପରିଚାଳନା ଓ ସ୍ଥାନାନ୍ତର (ଡିବିଏଫ୍ଓଟି) ଆଧାରରେ ଏହି ଦୁଇ ଟାୱାର ବିକାଶ କରାଯିବ। ଏଥିପାଇଁ ଇଡ୍‌କୋ ପକ୍ଷରୁ ଆଗ୍ରହୀ ସଂସ୍ଥାମାନଙ୍କଠାରୁ ଏକ୍ସପ୍ରେସନ୍ ଅଫ୍ ଇଣ୍ଟ୍ରେଷ୍ଟ୍‌ (ଇଓଆଇ) ଆହ୍ବାନ କରାଯାଇଛି।
ସୂଚନା ଅନୁଯାୟୀ, ବ୍ରହ୍ମପୁରରେ ୧୩ ମହଲା ବିଶିଷ୍ଟ ଆଇଟି ଟାୱାର ସ୍ଥାପନ କରାଯିବ। ସେଥିରେ ବେସ୍‌ମେଣ୍ଟ୍‌ ଓ ଗ୍ରାଉଣ୍ଡ୍‌ ଫ୍ଲୋର୍‌ ସହ ୧୧ ମହଲା କୋଠା ରହିବ। ରାଉରକେଲାରେ ସ୍ଥାପନ କରାଯିବାକୁ ଥିବା ଆଇଟି ଟାୱାର୍‌ ୯ ମହଲା ବିଶିଷ୍ଟ ହେବ। ସେଥିରେ ମଧ୍ୟ ବେସ୍‌ମେଣ୍ଟ୍‌ ଓ ଗ୍ରାଉଣ୍ଡ୍‌ ଫ୍ଲୋର୍‌ ସହ ୧୧ ମହଲା କୋଠା ରହିବ। ଭାରତ ସରକାରଙ୍କ ଜାତୀୟ ବିନିର୍ମାଣ ନୀତି ଅଧୀନରେ ଜାତୀୟ ନିବେଶ ବିନିର୍ମାଣ ଜୋନ୍ ଭାବେ ଆଇଟି ଟାୱାର୍‌ଗୁଡ଼ିକୁ ବିକାଶ କରାଯିବ। ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ଶିଳ୍ପନୀତି ଓ ପ୍ରସାର ବିଭାଗ ଅନୁମୋଦନ ପ୍ରଦାନ କରିଛି। ବ୍ରହ୍ମପୁରରେ ଏସ୍‌ଟିପିଆଇ ଓ ଜାତୀୟ ରାଜପଥ ୫୯ ନିକଟରେ ନୂଆ ଆଇଟି ଟାୱାର ସ୍ଥାପନ କରାଯିବ। ସେଥିପାଇଁ ଇଡ୍‌କୋ ପକ୍ଷରୁ ୩.୭୩ ଏକର ଜମି ଚିହ୍ନଟ କରାଯାଇଛି। ରାଉରକେଲାରେ ସ୍ଥାପନ କରାଯିବାକୁ ଥିବା ଆଇଟି ଟାୱାର୍‌କୁ ରିଙ୍ଗ୍‌ ରୋଡ୍ ଓ ଏନ୍‌୩୨୦ଡି ପାଖାପାଖି ସ୍ଥାପନ କରାଯିବ। ସେଥିପାଇଁ ରିଙ୍ଗ ରୋଡ୍‌ ପାଖରେ ଇଡ୍‌କୋ ପକ୍ଷରୁ ୨.୯୦ ଏକର ଜମି ଚିହ୍ନଟ କରାଯାଇଛି। ଆଇଟି, ଷ୍ଟାର୍ଟଅପ୍, ବହୁଦେଶୀୟ କମ୍ପାନି, କର୍ପୋରେଟ୍ ସଂସ୍ଥା ଓ ବାଣିଜ୍ୟିକ ସଂସ୍ଥାର ଆବଶ୍ୟକତାକୁ ନଜରରେ ରଖି ଏହି ଟାୱାର ବିକାଶ କରାଯିବ। ସେଥିରେ ପାର୍କିଂ, ଅଫିସ ସ୍ଥାନ, ଡାଟା ସେଣ୍ଟର୍‌ ଓ ସର୍ଭର୍‌ କୋଠରି ରହିବ। ଉଭୟ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ନୀତିଗତ ଅନୁମୋଦନ ମିଳିଛି।