ନୂଆଦିଲ୍ଲୀ: ସୁନା ବନ୍ଧକ ରଖି ଲୋକମାନେ ନେଉଥିବା ଋଣ ପରିମାଣ ଦ୍ରୁତ ଗତିରେ ବଢ଼ିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବେଶ୍‌ ଚିନ୍ତିତ ହୋଇପଡ଼ିଛି। ଆଗକୁ କୌଣସି ବଡ଼ ଧରଣର ଅସୁବିଧା ହେବା ପୂର୍ବରୁ ସୁନା ଋଣକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ସୁନା ଋଣ କ୍ଷେତ୍ରରେ ବେଆଇନ କାରବାର ହେଉଥିବା ସନ୍ଦେହ କରାଯାଉଛି। ତାହା ଦେଶର ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି। ତେଣୁ ଆଗୁଆ ପ୍ରସ୍ତୁତି ସ୍ବରୂପ ରିଜର୍ଭ ବ୍ୟାଙ୍କ ସୁନା ଋଣ ନିୟମକୁ ଆହୁରି କଡ଼ାକଡ଼ି କରିବାକୁ ଚାହୁଛି। ବନ୍ଧକ ରଖାଯାଉଥିବା ସୁନାର ପ୍ରକୃତ ମାଲିକ କିଏ, ନିଆଯାଉଥିବା ଋଣକୁ କେଉଁ କାମରେ ଲଗାଯାଉଛି ତାହା ଜାଣିବା ଲାଗି ଉଦ୍ୟମ କରିବାକୁ ବ୍ୟାଙ୍କ ଓ ସୁନା ଋଣ ଦେଉଥିବା ଅନ୍ୟାନ୍ୟ ସଂସ୍ଥାଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେବ। ଋଣକୁ ନେଇ ରହିଥିବା ନିୟମକୁ ପ୍ରତିଟି ସଂସ୍ଥା କଡ଼ାକଡ଼ି ଭାବେ ପାଳନ କରନ୍ତୁ ବୋଲି ଏହା ଚାହୁଛି। 

Advertisment

୨୦୨୪ ସେପ୍ଟେମ୍ବରରେ ସୁନା ଋଣରେ ୫୦ ପ୍ରତିଶତ ବୃଦ୍ଧି ହୋଇଥିଲା, ଯାହା ଅନ୍ୟ ‌ଯେକୌଣସି ପ୍ରକାର ଋଣ ଅଭିବୃଦ୍ଧିଠାରୁ ଅଧିକ ଥିଲା। ଋଣ ଦେଉଥିବା ସଂସ୍ଥାଗୁଡ଼ିକ ଅନେକ ବେଆଇନ କାରବାରରେ ଲିପ୍ତ ଥିବା ରିଜର୍ଭ ବ୍ୟାଙ୍କ ଜାଣିପାରିଥିଲା। ତେଣୁ ନିଜ ଋଣ ପ୍ରଦାନ ବ୍ୟବସ୍ଥାର ସମୀକ୍ଷା କରିବାକୁ ଏହା ବ୍ୟାଙ୍କ ଓ କମ୍ପାନିଗୁଡ଼ିକୁ କହିଥିଲା। ତ୍ରୁଟି ଧରିବା ଲାଗି ୧୨-୧୬ ମାସ ପର୍ଯ୍ୟନ୍ତ ଅଡିଟ୍ କରାଯାଇଥିଲା। ସେଥିରୁ ଅନେକ କଥା ସାମ୍ନାକୁ ଆସିଥିଲା। ସୁନାର ମୂଲ୍ୟାୟନରେ ହେରଫେର ହେଉଥିବା ବେଳେ ଖିଲାପୀ ଗ୍ରାହକମାନଙ୍କୁ ଆଗୁଆ ସୂଚନା ନ ଦେଇ ସେମାନଙ୍କ ସୁନା ନିଲାମ କରାଯାଉଥିଲା। କୌଣସି ସଂସ୍ଥା ଏକ ନିର୍ଦ୍ଦିଷ୍ଟ ନିୟମ ଅନୁସରଣ କରୁନଥିଲେ। ଯେଉଁ କାମ ବ୍ୟାଙ୍କ କରିବା କଥା, ତାହା ଏଜେଣ୍ଟମାନଙ୍କ ଜରିଆରେ କରାଯାଉଥିବା ଅଡିଟ୍‌ରୁ ଜଣାପଡ଼ିଥିଲା।