ଚୀନ୍‌ ବିନା ବ୍ୟବସାୟ କରିବା କଷ୍ଟକର, ପ୍ରାୟ ସବୁ କ୍ଷେତ୍ର ଚୀନ୍‌ ଉପରେ ନିର୍ଭରଶୀଳ

ଭାରତୀୟ କଂପାନିରେ ବିପୁଳ ନିବେଶ

ନୂଆଦିଲ୍ଲୀ: କରୋନା ସଙ୍କଟ ଓ ସୀମାରେ ବିବାଦ ଦେଖାଦେବା ପରେ ଦେଶରେ ଚୀନ୍ ବିରୋଧୀ ସ୍ଥିତି ସୃଷ୍ଟି ହୋଇଛି। ଚୀନ୍‌ ସାମଗ୍ରୀ ବର୍ଜନ କରିବା ଲାଗି ବ୍ୟବସାୟୀ ସଂଘ ପରାମର୍ଶ ଦେଇଛି। ଦେଶକୁ ଆତ୍ମନିର୍ଭରଶୀଳ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେଇଛନ୍ତି। ଏହି ଲକ୍ଷ୍ୟ ଶୁଣିବାକୁ ଯେତିକି ଭଲ ଲାଗୁଛି ହାସଲ କରିବା କିନ୍ତୁ ସେତିଜି ସହଜ ନୁହେଁ। ଚୀନ୍‌ ଉପରେ ଭାରତର ବ୍ୟବସାୟ ଜଗତ ଅତ୍ୟଧିକ ମାତ୍ରାରେ ନିର୍ଭରଶୀଳ। ସେଥିପାଇଁ ଚୀନ୍‌ ସହିତ ସମ୍ପର୍କକୁ ହଠାତ୍‌ କାଟିହେବ ନାହିଁ। ପ୍ରତିବର୍ଷ ଭାରତ ଚୀନ୍‌କୁ ଯେତିକି ମୂଲ୍ୟର ସାମଗ୍ରର ରପ୍ତାନି କରୁଛି ତା’ଠାରୁ ଚାରି ଗୁଣା ଅଧିକ ମୂଲ୍ୟର ସାମଗ୍ରୀ ଆମଦାନି କରୁଛି। ‌ଅର୍ଥାତ ଚୀନ୍‌ ଆମ ଉପରେ ଯେତିକି ନିର୍ଭରଶୀଳ ନୁହେଁ ଆମେ ଚୀନ୍‌ ଉପରେ ତା’ଠାରୁ ଯଥେଷ୍ଟ ଅଧିକ ନିର୍ଭର କରୁଛୁ। ଭାରତ ଏହାର ଖଣିଜ ପଦାର୍ଥ, ରାସାୟନିକ ସାମଗ୍ରୀ, କୃଷିଜାତ ସାମଗ୍ରୀ, ବୟନ ସାମଗ୍ରୀ ଓ ଧାତବ ଉତ୍ପାଦ ଆଦି ଚୀନ୍‌କୁ ରପ୍ତାନି କରୁଛି। ସେହି ସମୟରେ ଚୀନ୍‌ରୁ ଏହା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ବିଭିନ୍ନ ପ୍ରକାର ମେସିନ, ରାସାୟନିକ ପଦାର୍ଥ, ଧାତବ ଉତ୍ପାଦ ଓ ବୟନ ସାମଗ୍ରୀ ଆମଦାନି କରୁଛି।

ଭାରତର ପ୍ରାୟ ସବୁ କ୍ଷେତ୍ର ଚୀନ୍‌ ଉପରେ ନିର୍ଭରଶୀ। ଭାରତର ଔଷଧ ଶିଳ୍ପର ୬୮% ଉତ୍ପାଦ ଚୀନ୍‌ରୁ ଆମଦାନି ହେଉଛି। ସେହିପରି ଇଲେକ୍ଟ୍ରୋନିକ୍ସ ଶିଳ୍ପ ୪୩, ବୟନ ଶିଳ୍ପ ୨୭ ପ୍ରତିଶତ ଓ ଗାଡ଼ି ଶିଳ୍ପ ୯ ପ୍ରତିଶତ ସାମଗ୍ରୀ ଚୀନ୍‌ରୁ ଆମଦାନି କରୁଛି। ଭାରତର ପ୍ରାୟ ସବୁ ଇଣ୍ଟରନେଟ୍ କଂପାନିରେ ଚୀନ୍ ବିପୁଳ ପରମାଣର ନିବେଶ କରିଛି। ପେଟିଏମ୍‌ରେ ଚୀନ୍‌ର ଆଲିବାବା ଓ ଆଣ୍ଟ୍‌ ଫାଇନାନ୍ସିଆଲ୍ ପୁଞ୍ଜିନିବେଶ କରିଛନ୍ତି। ଓଲାରେ ଚୀନ୍‌ର ଟେନ୍‌ସେଣ୍ଟ୍‌, ଡିଡି ଚୁକ୍ସିଙ୍ଗ୍‌ ଭଳି କଂପାନି ନିବେଶ କରିଥିବା ବେଳେ ଓୟୋ ‌ହୋଟେଲସ୍‌ରେ ମଧ୍ୟ ଚୀନ୍‌ର ଦିଦି ୟୁସିଙ୍ଗ୍ ଓ ହୁଆଝୁହୁଇ ଭଳି କଂପାନି ନିବେଶ କରିଛନ୍ତି। ସ୍ପାନ୍‌ଡିଲ୍‌ରେ ଆଲିବାବା ନିବେଶ କରିଛି। ସ୍ବିଗିରେ ଚୀନ୍‌ର କଂପାନି ଟେନ୍‌ସେଣ୍ଟ୍‌ ଓ ମେଇଟୁଆନ୍ ଭଳି କଂପାନି ପୁଞ୍ଜିନିବେଶ କରିଛନ୍ତି। ଭାରତର ଡଜନେରୁ ଅଧିକ କଂପାନି ଚୀନ୍‌ର ସଂସ୍ଥାଗୁଡ଼ିକ ବିପୁଳ ନିବେଶ କରିଛନ୍ତି। ଚୀନ୍‌ର ଶୁନବାଇ କ୍ୟାପିଟାଲ୍‌ ଭାରତର ୧୬ଟି କଂପାନିରେ ନିବେଶ କରିଥିବା ବେଳେ ଶାଓମି ୮ଟି କଂପାନିରେ, ହିଲ୍‌ହାଉସ୍‌ କ୍ୟାପିଟାଲ୍ ୫ଟି କଂପାନିରେ, ଆଲିବାବା ଗ୍ରୁପ୍ ୩ଟି କଂପାନିରେ ଓ ଏକ୍ସିସ୍ କ୍ୟାପିଟାଲ୍ ପାର୍ଟନର୍ସ ୩ଟି କଂପାନିରେ ବିପୁଳ ପରିମାଣର ପୁଞ୍ଜି ଖଟାଇଛନ୍ତି। ଭାରତର ୨୨୦ଟି କଂପାନିରେ ଚୀନ୍‌ର ଆଇନଗତ ସମ୍ପର୍କ ରହିଛି। ଏହା ବ୍ୟତୀତ ପ୍ରତିବର୍ଷ ଦେଶକୁ ଆସୁଥିବା ଚୀନ୍ ପର୍ଯ୍ୟଟକଙ୍କ ପାଇଁ ପ୍ରାୟ ୪୦୦୦ କୋଟି ଟଙ୍କାର ଆୟ ହେଉଛି।

ସମ୍ବନ୍ଧିତ ଖବର