ଜୁନ୍ ସୁଦ୍ଧା ଜଲାନ୍ କମିଟି ରିପୋର୍ଟ

ରିଜର୍ଭ ବ୍ୟାଙ୍କ-ସରକାର ବିବାଦ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ଅର୍ଥନୈତିକ ପୁଞ୍ଜି ଢାଞ୍ଚା ଅନୁଧ୍ୟାନ କରିବା ପାଇଁ ଗଠିତ ବିମଲ ଜଲାନ୍ କମିଟି ଏହାର ରିପୋର୍ଟ ଆସନ୍ତା ଜୁନ୍ ସୁଦ୍ଧା ପ୍ରଦାନ କରିବ। କମିଟିର ବୈଠକ ‌ପରେ ଏହା ଜଣାଯାଇଛି। ରିଜର୍ଭ ବ୍ୟାଙ୍କ ନିକଟରେ ଥିବା ବଳକା ପାଣ୍ଠିକୁ କେନ୍ଦ୍ରର ମୋଦୀ ସରକାର ଆଣିବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି। କିନ୍ତୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇ ଆସୁଛି। ଏହାକୁ ନେଇ କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ମୁହାଁମୁହିଁ ପରିସ୍ଥିତିକୁ ଆସିବା ପରେ ‌ରିଜର୍ଭ ବ୍ୟାଙ୍କର ଅର୍ଥନୈତିକ ପୁଞ୍ଜି ଢାଞ୍ଚାକୁ ଅନୁଧ୍ୟାନ କରିବା ଲାଗି ଏକ କମିଟି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗଠନ କରାଯାଇଛି। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ବିମଲ ଜଲାନଙ୍କ ଅଧ୍ୟକ୍ଷତାରେ ଉକ୍ତ କମିଟି ଗଠନ ହୋଇଛି। କମିଟି ଏବେ ରିଜର୍ଭ ବ୍ୟାଙ୍କର ପୁଞ୍ଜି ଢାଞ୍ଚା ଅନୁଧ୍ୟାନ କରୁଛି। ରିଜର୍ଭ ବ୍ୟାଙ୍କ ଏହାର ବଳକା ରାଶିକୁ କିଭଳି ପରିଚାଳନା କରିବ ଏବଂ ସରକାରଙ୍କୁ କେତେ ରାଶି ହସ୍ତାନ୍ତର କରାଯାଇ ପାରିବ ସେ ସମ୍ପର୍କରେ କମିଟି ସୁପାରିସ କରିବ। କମିଟି ଗତ ଡିସେମ୍ବରରେ ଘୋଷଣା ହୋଇଥିଲା। କମିଟିର ପ୍ରଥମ ବୈଠକ ବସିବାର ୯୦ ଦିନ ମଧ୍ୟରେ ରିପୋର୍ଟ ଆସିବ ବୋଲି ଆଶା ରହିଥିଲା। କିନ୍ତୁ ଏହି ‌ସମୟ ସୁଦ୍ଧା ରିପୋର୍ଟ ଆସିବା ସମ୍ଭାବନା ନାହିଁ। ମେ ଏବଂ ଜୁନ୍‌ରେ ରିପୋର୍ଟ ଚୂଡ଼ାନ୍ତ ହେବ ବୋଲି କମିଟିର ବୈଠକ ପରେ ଜଲାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର