ଜ୍ୟାକ୍‌ ମା’ଙ୍କ ଅଡ଼ୁଆ ବଢ଼ିଲା, ଆଲିବାବାକୁ ୨୧ ହଜାର କୋଟିର ଜରିମାନା

ବେଜିଂ: ବିଶ୍ବର ପ୍ରମୁଖ ଇ-କମର୍ସ କମ୍ପାନି ଚୀନ୍‌ର ଆଲିବାବା ଉପରେ ସେ ଦେଶର ନିୟାମକ ସଂସ୍ଥା ପ୍ରାୟ ୧୮୨୦ କୋଟି ଡଲାର ୟୁଆନ (ପ୍ରାୟ ୨୫୦ କୋଟି ଡଲାର)ର ଜରିମାନା ଲାଗୁ କରିଛି। ୧ ଡଲାର ମୂଲ୍ୟ ୭୪ ଟଙ୍କାରେ ହିସାବ କରିଲେ ଏହି ଜରିମାନା ରାଶି ପ୍ରାୟ ୨୦୭୨୦ କୋଟି ଟଙ୍କା ହେବ। ବଜାରରେ ଥିବା ନିଜର ଆଧିପତ୍ୟକୁ ଦୁରୁପଯୋଗ କରିଥିବାରୁ କମ୍ପାନିକୁ ଏଭଳି ଦଣ୍ଡ ଦିଆଯାଇଛି। କମ୍ପାନି ମଧ୍ୟ ଦେଶର ନିୟାମକ ସଂସ୍ଥାର ଏଭଳି ଦଣ୍ଡାଦେଶକୁ ଗ୍ରହଣ କରି ନେଇ ଜରିମାନା ରାଶି ପଇଠ କରିବ ବୋଲି କହିଛି। ଏହି ବଡ଼ ଧରଣର ଜରିମାନା ଫଳରେ କମ୍ପାନିର ପ୍ରତିଷ୍ଠାତା ଜ୍ୟାକ୍‌ ମା’ଙ୍କ ଅଡ଼ୁଆ ବଢ଼ିଛି। ତେବେ ଆସନ୍ତା ସୋମବାର ସକାଳେ ଉକ୍ତ ଜରିମାନା ଉପରେ କମ୍ପାନିର ଏକ ବଡ଼ ଧରଣର ବୈଠକ ଡକାଯାଇଛି।

ଆଲିବାବା ସାଇଟ୍‌ରେ ବ୍ୟବସାୟୀଙ୍କୁ ଚୟନ କରିବା କ୍ଷେତ୍ରରେ ଦୁଇଟିରୁ ଗୋଟିଏ ‌ବାଛନ୍ତୁ ନୀତିକୁ ଆପଣାଉଛି। ଏହାଦ୍ବାରା ଅନ୍ୟ କମ୍ପାନି ଗୁଡ଼ିକ ବାଦ୍ ପଡ଼ୁଛନ୍ତି । ଫଳରେ ଦେଶର ଅନଲାଇନ୍‌ ରିଟେଲ ବଜାରରେ ପ୍ରତିଯୋଗିତା ସୀମିତ ହୋଇଯାଉଛି ବୋଲି କୁହାଯାଇଛି। କମ୍ପାନିକୁ ଏହାର ନୀତିକୁ ପରିବର୍ତ୍ତନ କରିବା ଲାଗି ନିୟାମକ ସଂସ୍ଥା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ୨୦୧୫ ମସିହାରେ ଚୀନ୍‌ର ନିୟାମକ ସଂସ୍ଥା ପକ୍ଷରୁ କ୍ବାଲକମ୍‌ ବିରୋଧରେ ପାଖାପାଖି ୧୦୦ କୋଟି ଡଲାରର ଜରିମାନା ଲଗା ଯାଇଥିଲା। ଏହାଥିଲା ସବୁଠାରୁ ଅଧିକ ଜରିମାନା। କିନ୍ତୁ ସେହି ଜରିମାନାଠାରୁ ବହୁ ଅଧିକ ବର୍ତ୍ତମାନ ଆଲିବାବା ଉପରେ ବସାଯାଇଛି।

ବିଶ୍ଳେଷକମାନେ ମତ ଦେଇଛନ୍ତି ବଡ଼ ଇଣ୍ଟରନେଟ୍ କମ୍ପାନିଙ୍କ ବିରୋଧରେ ଚୀନ୍‌ର ଆଭିମୁଖ୍ୟ ଏହି ଜରିମାନା ଲଗାଇବା ଘଟଣାରୁ ଜଣାପଡ଼ୁଛି। ପ୍ରଯୁକ୍ତି କ୍ଷେତ୍ରର ବଡ଼ କମ୍ପାନିଙ୍କ ଉପରେ ସରକାର ଖପ୍ପା ଅଛନ୍ତି। ସେମାନଙ୍କ ଦବ୍‌ଦବାକୁ ରୋକିବା ପାଇଁ ସରକାର ଯୋଜନା ଚଳାଇଛନ୍ତି। ଚୀନର ଘରେ ଘରେ ଆଲିବାବା କମ୍ପାନି ପରିଚିତ। ଏପରିକି ଏହାକୁ ଚୀନର ଆମାଜନ ବୋଲି ଅନେକ ବ୍ୟକ୍ତି କୁହନ୍ତି। ରିଟେଲ୍ ବା ଇ-କମର୍ସ ଯଦିଓ ଏହାର ମୁଖ୍ୟ ବ୍ୟବସାୟ ତଥାପି ଡିଜିଟାଲ ପେମେଣ୍ଟ୍, କ୍ରେଡିଟ୍ ଏବଂ କ୍ଲାଉଡ୍ କମ୍ପ୍ୟୁଟିଂ କ୍ଷେତ୍ରକୁ କମ୍ପାନିର ବ୍ୟବସାୟ ପରିବ୍ୟାପ୍ତ ହୋଇଛି। ଆଲିବାବା ଉପରେ ଯେତିକି ପରିମାଣର ଜରିମାନା ଲାଗୁ କରାଯାଇଛି ତାହା କମ୍ପାନିର ୨୦୧୯ ବର୍ଷର ରାଜସ୍ବର ପ୍ରାୟ ୪ ପ୍ରତିଶତ। ୨୦୧୯ରେ କମ୍ପାନିର ମୋଟ ରାଜସ୍ବ ୪୫୫.୭୧ ବିଲିୟନ ୟୁଆନ୍ ବା ୬୯.୫ ବିଲିଅନ ଡଲାର ରହିଥିଲା। ଆଲିବାବା ଛୋଟ ବିକ୍ରେତାଙ୍କ ବିକ୍ରିରେ ବାଧା ପହଞ୍ଚାଇଛି। ପ୍ରତିଯୋଗିତାକୁ ସୀମିତ କରିଦେବା ସହିତ ଗ୍ରାହକଙ୍କୁ ଅବାଧରେ ସାମଗ୍ରୀ ପହଞ୍ଚାଇବା କ୍ଷେତ୍ରରେ ପ୍ରତିବନ୍ଧକ ଠିଆ କରିଛି। ଏଥିପାଇଁ ଦେଶର ପ୍ରତିଯୋଗିତା ନିୟାମକ କମ୍ପାନି ଉପରେ ଜରିମାନା ଲଗାଇଛି।

ଆଗାମୀ ଦିନରେ ଅନ୍ୟ ବଡ଼ ପ୍ରଯୁକ୍ତି କମ୍ପାନି ଗୁଡ଼ିକ ଉପରେ ମଧ୍ୟ ଚୀନ କର୍ତ୍ତୃପକ୍ଷ ଏ ପ୍ରକାର ପଦକ୍ଷେପ ନେବା ଆଶଙ୍କା କରାଯାଉଛି। କମ୍ପାନିଗୁଡ଼ିକ ଏ ନେଇ ଚିନ୍ତିତ ମଧ୍ୟ ଅଛନ୍ତି। ଗତମାସରେ ୧୨ଟି କମ୍ପାନି ଉପରେ ଚୀନ କର୍ତ୍ତୃପକ୍ଷ ଜରିମାନା ଲାଗୁ କରିଛନ୍ତି। ଏକଚାଟିଆ ବ୍ୟବସାୟ ନିରୋଧ ଆଇନର ଖିଲାପ କରିଥିବା ଅଭିଯୋଗରେ ଟେନ୍‌ସେଣ୍ଟ୍‌, ବାଇଦୁ, ଦିଦି ଚୁଙ୍ଗିଙ୍ଗ୍‌, ସଫ୍ଟବ୍ୟାଙ୍କ ଆଦି କମ୍ପାନି ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ହୋଇଛି। ଚୀନର ନିୟାମକ ବ୍ୟବସ୍ଥା ବିରୋଧରେ ଜ୍ୟାକ୍ ମା’ ଗତ ବର୍ଷ ମୁହଁ‌ ଖୋଲିଥିଲେ। ଏହାପରେ ଚୀନ୍ ସରକାରଙ୍କ ସହିତ ତାଙ୍କର ସଂପର୍କ ବିଗିଡ଼ି ଯାଇଛି।

ସମ୍ବନ୍ଧିତ ଖବର