ଆଲିବାବାରୁ ଓହରିଲେ ଜ୍ୟାକ୍ ମା, ଡାନିଏଲ୍ ଝାଙ୍ଗ୍ ହେଲେ ନୂଆ ମୁଖ୍ୟ

ଶିକ୍ଷକତାରୁ ଚୀନ୍‌ର ଶୀର୍ଷ ଧନୀ ‘୯୯୬ ବ୍ୟବସ୍ଥା‌’ ପାଇଁ ଚର୍ଚ୍ଚାରେ ଥିଲେ

ବେଜିଂ: ଚୀନ୍‌ର ଇ-କମର୍ସ କମ୍ପାନି ଆଲିବାବାର ପ୍ରତି‌ଷ୍ଠାତା ଜ୍ୟାକ୍ ମା ଆଜି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଆଜି ଜନ୍ମଦିନରେ ସେ କମ୍ପାନିର ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି। ୫୫ ବର୍ଷୀୟ ଜ୍ୟାକ୍ ମା ବର୍ଷକ ‌ପୂର୍ବେ ‌ଏ ନେଇ ଘୋଷଣା କରିଥିଲେ। ଆମେରିକା ଓ ଚୀନ୍‌ ମଧ୍ୟରେ ବାଣିଜ୍ୟ ଲଢ଼େଇ ଚାଲିଥିବାରୁ ବିଶ୍ବ ବାଣିଜ୍ୟରେ ଏବେ ବଡ଼ ଧରଣର ଅନିଶ୍ଚିତତା ରହିଛି। ଏଭଳି ସମୟରେ ଜ୍ୟାକ୍ ମା ଆଲିବାବା ଛାଡ଼ିବା କମ୍ପାନି ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଜ୍ୟାକ୍ ମା ଆଲିବାବା ପାର୍ଟନରସିପ୍‌ର ସଦସ୍ୟ ରହିବେ। ଆଲିବାବା ପାର୍ଟନରସିପ ୩୬ ଜଣ ଲୋକଙ୍କୁ ନେଇ ଗଠନ ହୋଇଛି। ଏମାନେ କମ୍ପାନି ବୋର୍ଡର ଅଧିକାଂଶ ନିର୍ଦ୍ଦେଶକଙ୍କୁ ମନୋନୀତ କରିଥାନ୍ତି। ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ମସିହାରେ ଆଲିବାବାକୁ ଜ୍ୟାକ୍ ମା ପ୍ରତିଷ୍ଠା କରିଥିଲେ। ଚୀନ୍‌ର ରପ୍ତାନିକାରୀମାନଙ୍କୁ ଆମେରିକାର ଖୁଚୁରା କ୍ରେତାଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ସେ ଏହି କମ୍ପାନି ଆରମ୍ଭ କରିଥିଲେ। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ କମ୍ପାନିର ଲକ୍ଷ୍ୟ ପରିବର୍ତ୍ତନ ହୋଇଯାଇଛି। ଚୀନର ବର୍ଦ୍ଧିତ ଗ୍ରାହକଙ୍କ ନିକଟରେ ବିଭିନ୍ନ ଉତ୍ପାଦ ପହଞ୍ଚାଇବା ଉପରେ ଆଲିବାବା ଗୁରୁତ୍ବ ଦେଇଆସୁଛି। ଗତ ଏପ୍ରିଲ ଜୁନ୍ ଅବଧିରେ ଆଲିବାବାର ମୋଟ ବ୍ୟବସାୟ ୧୬.୭ ବିଲିଅନ ଡଲାର ରହିଥିବାବେଳେ ଏଥିରୁ ୬୬ ପ୍ରତିଶତ ବ୍ୟବସାୟ ଚୀନ୍‌ରେ ହୋଇଛି। ଜ୍ୟାକ୍‌ ମାଙ୍କ ସ୍ଥାନରେ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଡାନିଏଲ ଝାଙ୍ଗ୍‌ଙ୍କୁ ନିଯୁକ୍ତି ଦିଆଯାଇଛି।

ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍ ମା ଆଜି ଚୀନ୍‌ର ସବୁଠୁ ବଡ଼ ଧନୀ ବ୍ୟକ୍ତିରେ ପରିଣତ ହୋଇଛନ୍ତି। ତାଙ୍କ ନିଟ୍ ସମ୍ପତ୍ତି ୪୧.୮ ବିଲିଅନ ଡଲାରରେ ପହଞ୍ଚିଛି। ଏଥିପାଇଁ ତାଙ୍କୁ ମାତ୍ର ୨୦ ବର୍ଷ ଲାଗିଛି। ୨୦ ବର୍ଷ ମଧ୍ୟରେ ସେ ଆଲିବାବାକୁ ୪୬୦ ବିଲିଅନ ଡଲାର କମ୍ପାନିରେ ପରିଣତ କରିଛନ୍ତି। ୧୯୯୯ ମସିହାରେ ତାଙ୍କ ଆପାର୍ଟମେଣ୍ଟରୁ ସେ ଆଲିବାବା କମ୍ପାନିର ଯାତ୍ରା ଆରମ୍ଭ କରିଥିଲେ। କମ୍ପାନି ପ୍ରତିଷ୍ଠା କରି ଉଦ୍ୟୋଗୀ ଜୀବନ ଆରମ୍ଭ କରିବା ପୂର୍ବରୁ ଜ୍ୟାକ୍ ଜଣେ ଇଂରାଜୀ ଶିକ୍ଷକ ଥିଲେ। ଆଲିବାବା ଆରମ୍ଭ ପୂର୍ବରୁ ସେ କେଏଫସିରେ ଚାକିରି ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଆବେଦନକୁ କେଏଫସି ପ୍ରତ୍ୟାଖ୍ୟାନ କରିଦେଇଥିଲା ବୋଲି ୨୦୧୫ ମସିହାରେ ଜ୍ୟାକ୍ ଦେଇଥିବା ଏକ ସାକ୍ଷାତକାରରେ ନିଜେ ସୂଚନା ଦେଇଥିଲେ। ଚୀନ୍‌ର ପୂର୍ବରେ ଅବସ୍ଥିତ ହାଙ୍ଗଝୋ ସହରରେ ଏକ ଗରିବ ପରିବାରରେ ଜ୍ୟାକ ୧୯୬୪ ମସିହାରେ ଜନ୍ମଗ୍ରହଣ କରିଥିଲେ। ୩୩ ବର୍ଷ ବୟସରେ ସେ ତାଙ୍କର ପ୍ରଥମ କମ୍ପ୍ୟୁଟର କିଣିଥିଲେ। କମ୍ପ୍ୟୁଟିଂରେ ଆଦୌ ଜ୍ଞାନ ନଥିବା ଜ୍ୟାକ୍ ମା ଅନ୍ୟ କେତେକ ବନ୍ଧୁଙ୍କ ସହ ମିଶି ଆଲିବାବା ଆରମ୍ଭ କରିଥିଲେ। ତେବେ ଉଦ୍ୟୋଗ ସ୍ଥାପନ କରିବାରେ ଆଲିବାବା ଜ୍ୟାକଙ୍କ ତୃତୀୟ ପ୍ରୟାସ ଥିଲା। ତାହା ପୂର୍ବରୁ ସେ ଆଉ ଦୁଇଟି କମ୍ପାନି ପ୍ରତିଷ୍ଠାର ପରୀକ୍ଷା ମଧ୍ୟ କରିଥିଲେ।

‘୯୯୬ ବ୍ୟବସ୍ଥା‌’ ପାଇଁ ଚର୍ଚ୍ଚାରେ ଥିଲେ
ଆଲିବାବାର ସହ ପ୍ରତିଷ୍ଠାତା ଆଲିବାବା ନିକଟରେ ‘୯୯୬ ବ୍ୟବସ୍ଥା’ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଏଥିପାଇଁ ସେ ଚୀନ୍ ଏବଂ ବିଶ୍ବ ଗଣମାଧ୍ୟମର ଚର୍ଚ୍ଚାକୁ ଆସିଥିଲେ। ୯୯୬ ବ୍ୟବସ୍ଥାର ଅର୍ଥ କର୍ମଚାରୀମାନେ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ୧୨ ଘଣ୍ଟା କାମ କରିବେ। ଏହା ପୁଣି ସପ୍ତାହକୁ ୬ ଦିନ। ସପ୍ତାହରେ ୬ ଦିନ ଏବଂ ଦିନକୁ ୧୨ ଘଣ୍ଟା କାର୍ଯ୍ୟ କରିବା ଏକ ଆଶୀର୍ବାଦ ବୋଲି ସେ ମତ ଦେଇଥିଲେ। ଚୀନ୍ ଅର୍ଥନୀତିକୁ ଆହୁରି ଉପରକୁ ନେବାକୁ ହେଲେ ଏହା କରାଯିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ।

ସମ୍ବନ୍ଧିତ ଖବର