ସାଙ୍ଘାଇ: ଅଂଶୀଦାରମାନେ କେତେଗୁଡ଼ିଏ ‘ସେୟାର୍ହୋଲ୍ଡିଙ୍ଗ୍ ଆଡ୍ଜଷ୍ଟମେଣ୍ଟ୍’ କରିବାକୁ ରାଜି ହୋଇଥିବାରୁ ଚୀନା ‘ଫିନ୍ଟେକ୍’ କମ୍ପାନି ‘ଆଣ୍ଟ୍ ଗ୍ରୁପ୍’ ଉପରୁ ସଂସ୍ଥାପକ ଜ୍ୟାକ୍ ମା ନିୟନ୍ତ୍ରଣ ହରାଇବେ ବୋଲି ଆଜି କମ୍ପାନି କହିଛି। ‘ସେୟାର୍ ହୋଲ୍ଡିଙ୍ଗ୍ ଆଡ୍ଜଷ୍ଟମେଣ୍ଟ୍’ କରାଯିବାଦ୍ବାରା ମା’ଙ୍କର ଭୋଟିଙ୍ଗ୍ ଅଧିକାର ହ୍ରାସ ପାଇବ।
‘ରଏଟର୍ସ’ ଆକଳନ ଅନୁସାରେ, ପୂର୍ବରୁ ମା’ଙ୍କର ‘ଆଣ୍ଟ୍ ଗ୍ରୁପ୍’ରେ ୫୦%ରୁ ଅଧିକ ଭୋଟିଙ୍ଗ୍ ଅଧିକାର ଥିଲା। କିନ୍ତୁ, ଉପରୋକ୍ତ ପରିବର୍ତ୍ତନ ଯୋଗୁଁ ତାଙ୍କର ସେୟାର୍ ୬.୨%କୁ ହ୍ରାସ ପାଇବ।
ସୂଚନାଯୋଗ୍ୟ, ‘ଆଣ୍ଟ୍ ଗ୍ରୁପ୍’ରେ ମା’ଙ୍କର ମାତ୍ର ୧୦% ସେୟାର୍ ରହିଛି। କିନ୍ତୁ, ତାଙ୍କ ନିୟନ୍ତ୍ରଣରେ ଥିବା ଅନ୍ୟ ପ୍ରତିଷ୍ଠାନ ସବୁ ଖରିଦ କରିଥିବା ସେୟାର୍ ବଳରେ ସେ ‘ଆଣ୍ଟ୍ ଗ୍ରୁପ୍’କୁ ନିୟନ୍ତ୍ରଣ କରୁଥିଲେ। ଉକ୍ତ ଦୁଇଟି ପ୍ରତିଷ୍ଠାନ ମା’ଙ୍କ ଆର୍ଥିକ ବିନିଯୋଗରେ ସହାୟକ ହେଉଥିବା ‘ହାଙ୍ଗ୍ଜୌ ୟୁନ୍ବୋ’ ନିୟନ୍ତ୍ରଣରେ ରହିଛି। ମିଳିତ ଭାବେ ଦୁଇ ପ୍ରତିଷ୍ଠାନର ‘ଆଣ୍ଟ୍ ଗ୍ରୁପ୍’ର ୫୦.୫% ସେୟାର୍ ରହିଛି।
ଶନିବାର ଦିନ ଜାରି କରିଥିବା ବିବୃତିରେ କମ୍ପାନି କହିଛି, ‘ଆଡ୍ଜଷ୍ଟମେଣ୍ଟ୍’ ସମ୍ପୂର୍ଣ୍ଣ ହେବା ପରେ ଏକାକୀ ହେଉ କି, ଅନ୍ୟ ପକ୍ଷମାନଙ୍କ ସହିତ ମିଳିତ ଭାବେ ହେଉ, କୌଣସି ସେୟାର୍ହୋଲ୍ଡର୍ଙ୍କର ‘ଆଣ୍ଟ୍ ଗ୍ରୁପ୍’ ଉପରେ ନିୟନ୍ତ୍ରଣ ରହିବ ନାହିଁ।
ଉଲ୍ଲେଖଯୋଗ୍ୟ, ପ୍ରଯୁକ୍ତିବିଦ୍ୟା ସୁପର୍ଷ୍ଟାର୍ ପାଲଟିଥିବା ପୂର୍ବତନ ଇଂରାଜୀ ଶିକ୍ଷକ ଜ୍ୟାକ୍ ମା ହେଉଛନ୍ତି ‘ଆଲିବାବା’ର ସଂସ୍ଥାପକ ତଥା ଚୀନ୍ର ସବୁଠୁ ଧନୀ ବ୍ୟକ୍ତି। ଦୁଇ ବର୍ଷ ପୂର୍ବେ ସାଙ୍ଘାଇରେ ଆୟୋଜିତ ଶିଖର ସମ୍ମିଳନୀରେ ‘ଟେକ୍ କମ୍ପାନି’ଙ୍କ ପ୍ରତି ଚୀନା ସରକାରଙ୍କ ନୀତିକୁ ସମାଲୋଚନା କରିବା ପରଠାରୁ ସେ ଆଉ ସର୍ବସାଧାରଣରେ ବିଶେଷ ଦେଖାଯାଉ ନାହାନ୍ତି।