ଏହି ବୁଧବାରଦିନ ମାଲାମାଲ ହୋଇଯିବେ ଗୁଗୁଲ ସିଇଓ ସୁନ୍ଦର ପିଚାଇ, କିପରି ଜାଣନ୍ତୁ

ମାଉଣ୍ଟେନ ଭିଉ (କାଲିଫର୍ଣ୍ଣିଆ) : ମାଲାମାଲ ହେବାକୁ ଯାଉଛନ୍ତି ଗୁଗୁଲର ସିଇଓ ସୁନ୍ଦର ପିଚାଇ । ଆସନ୍ତା ବୁଧବାରଦିନ ତାଙ୍କୁ ଗୁଗୁଲର ହୋଲଡିଂ କମ୍ପାନି ଆଲଫାବେଟ୍‌ ଇଙ୍କର ପ୍ରାୟ ୩୫୩,୯୩୯ଟି ସେୟାର ମିଳିବ । ୨୦୧୪ରେ ସେ କମ୍ପାନିରେ ଏକ ପଦୋନ୍ନତି ପାଇବା ପରେ ତାଙ୍କୁ ଏହି ସେୟାର ପ୍ରଦାନ କରାଯାଇଥିଲା । ଏବେ ଏଗୁଡ଼ିକର ମୋଟ ବଜାର ମୂଲ୍ୟ ୩୮୦ ନିୟୁତ ଡଲାର ରହିଛି । ଫଳରେ ଜଣେ ପବ୍ଲିକ ଲିମିଟେଡ କମ୍ପାନିର କର୍ମଚାରୀଭାବେ ଏତେବଡ଼ ପରିମାଣ ପାଇବାରେ ସେ ହେବେ ପ୍ରଥମ ବ୍ୟକ୍ତି । ୨୦୧୪ରେ ସୁନ୍ଦର ପିଚାଇଙ୍କୁ ଏକ ପଦୋନ୍ନତି ଦିଆଯାଇ ସିନିୟର ଭାଇସ ପ୍ରେସିଡେଣ୍ଟ (ପ୍ରଡକ୍ଟ) କରାଯାଇଥିଲା । ଏହି ପଦୋନ୍ନତି ସମୟରେ ହିଁ ତାଙ୍କୁ ଏହି ପରିମାଣର ସେୟାର ଦିଆଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଆଲଫାବେଟ୍‌ କମ୍ପାନିର ସେୟାର ମୂଲ୍ୟ ୯୦ ପ୍ରତିଶତ ବୃଦ୍ଧି ପାଇଛି । ଏହି ବୃଦ୍ଧି ସହ ତାଙ୍କର ସେୟାରଗୁଡ଼ିକର ମୂଲ୍ୟ ମଧ୍ୟ ବଢିଚାଲିଛି । ଆହୁରି ମଧ୍ୟ ୨୦୧୫ ଓ ୨୦୧୬ରେ ମଧ୍ୟ କମ୍ପାନି ତରଫରୁ ତାଙ୍କୁ ସେୟାର ପ୍ରଦାନ କରାଯାଇଥିଲା । ତେବେ ୨୦୧୭ ପାଇଁ କେତେ ସେୟାର ଦିଆଯିବ ଏପର୍ଯ୍ୟନ୍ତ କମ୍ପାନି ପକ୍ଷରୁ ଘୋଷଣା କରାଯାଇନାହିଁ ।

ସମ୍ବନ୍ଧିତ ଖବର