ଦୁଇ ମାସ ହେଲା ଦେଖିବାକୁ ମିଳୁନାହାନ୍ତି ଆଲିବାବା ଗ୍ରୁପ୍‌ର ପ୍ରତିଷ୍ଠାତା ଜ୍ୟାକ୍‌ ମା’, ଜିନ୍‌ପିଙ୍ଗ୍‌ଙ୍କ ଆକ୍ରୋଶର ଶିକାର !

ଚୀନ୍ ସରକାରଙ୍କ ବିରୋଧରେ ମୁହଁ ଖୋଲିଥିଲେ, କେନ୍ଦ୍ରୀୟ ବ୍ୟାଙ୍କକୁ ବୁଢ଼ା ଲୋକଙ୍କ କ୍ଲବ୍ କହିଥିଲେ

ନୂଆଦିଲ୍ଲୀ: ନିଜର ବିଚକ୍ଷଣ ବ୍ୟବସାୟ ପରିଚାଳନା କଳା ତାଙ୍କୁ ସାରା ଦୁନିଆରେ ପରିଚିତ କରାଇଛି। କେବଳ ଚୀନ୍ ନୁହେଁ ସମଗ୍ର ବିଶ୍ବର ଅନେକ ଉଦୀୟମାନ ଉଦ୍ୟୋଗୀଙ୍କ ପାଇଁ ସେ ପ୍ରେରଣାର ଉତ୍ସ। ଭାରତର ଅନେକ ଷ୍ଟାର୍ଟ-ଅପ୍ ସଂସ୍ଥାରେ ତାଙ୍କ କଂପାନି ପୁଞ୍ଜିନିବେଶ କରିଛି। ଚୀନ୍‌ର ସେହି ପ୍ରମୁଖ ଧନୀ ବ୍ୟକ୍ତି ହେଉଛନ୍ତି ଜ୍ୟାକ୍‌ ମା’। ବିଗତ ଦୁଇ ମାସ ଧରି ତାଙ୍କ ବିଷୟରେ କୌଣସି ଖବର ସାମ୍ନାକୁ ଆସୁନାହିଁ। ସର୍ବଦା ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଥିବା ଜ୍ୟାକ୍‌ ଏଭଳି ହଠାତ୍‌ ନିଖୋଜ ହୋଇଯିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ପଛରେ ଚୀନ୍‌ ସରକାରଙ୍କ ହାତ ଥିବା ସନ୍ଦେହ କରାଯାଉଛି।

image source-dnaindia.com

ଜ୍ୟାକ୍ ମା’ ହେଉଛନ୍ତି ଆଲିବାବା ଗ୍ରୁପ୍‌ର ପ୍ରତିଷ୍ଠାତା। ସେ କେବଳ ଚୀନ୍ ନୁହେଁ ଏସିଆର ଅନ୍ୟତମ ପ୍ରମୁଖ ଧନୀ। କିଛି ମାସ ତଳେ ତାଙ୍କ ଅନ୍ୟତମ ସଂସ୍ଥା ‘ଆଣ୍ଟ୍‌ ଗ୍ରୁପ୍‌’କୁ ସେ ହଂକଂ ଆଣ୍ଡ୍‌ ସାଂଘାଇ ଷ୍ଟକ ଏକ୍ସଚେଞ୍ଜ୍‌ରେ ତାଲିକାଭୁକ୍ତ କରିବାକୁ ଉଦ୍ୟମ କରିଥିଲେ। ସେ ୩୭୦୦ କୋଟି ଟଙ୍କାର ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଆଣିବାକୁ ଯୋଜନା ରଖିଥିଲେ। ତାହାକୁ ଚୀନ୍‌ ସରକାର ଅଟକାଇ ଦେଇଥିଲେ। ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ର ନିର୍ଦେଶରେ ତାଙ୍କ ଆଇପିଓକୁ ଅଟକା ଦିଆଯାଇଥିଲା ବୋଲି ଚର୍ଚା ହେଉଛି। ସେ ଚୀନ୍ ସରକାର ଏବଂ ସେଠାକାର ନିୟାମକ ବ୍ୟବସ୍ଥା ବିରୋଧରେ ମୁହଁ ଖୋଲିଥିଲେ। ଚୀନ୍‌ର କେନ୍ଦ୍ରୀୟ ବ୍ୟାଙ୍କକୁ ସେ ବୁଢ଼ା ଲୋକମାନଙ୍କ କ୍ଲବ୍ ବୋଲି କହିବାକୁ ପଛାଇନଥିଲେ। ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ବ୍ୟାଙ୍କଗୁଡ଼ିକୁ ମଧ୍ୟ କଡ଼ା ସମାଲୋଚନା କରିଥିଲେ। ଗତ ଅକ୍ଟୋବର ୨୪ରେ ଏହି ଘଟଣା ଘଟିଥିଲା। ତାଙ୍କର ସେହି ମନ୍ତବ୍ୟକୁ ନେଇ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି‌ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲା। ଏହା ପରେ ଜ୍ୟାକ୍‌ଙ୍କ ଅଧୀନରେ ପରିଚାଳିତ ହେଉଥିବା ବିଭିନ୍ନ ସଂସ୍ଥା ଉପରେ ସରକାର କଟକଣା ଲଗାଇବା ଆରମ୍ଭ କରିଥିଲେ। ସେହି ଦିନଠାରୁ ତାଙ୍କୁ ଆଉ ଦେଖିବାକୁ ମିଳିନାହିଁ। ‘ଆଫ୍ରିକାଜ୍ ବିଜନେସ୍ ହିରୋଜ୍‌’ ନାମରେ ତାଙ୍କର ଏକ ନିଜସ୍ବ ସୋ’ ଚାଲୁଥିଲା। ତାହାର ଶେଷ ଅଧ୍ୟାୟରେ ମଧ୍ୟ ଜ୍ୟାକ୍‌ଙ୍କୁ ଦେଖିବାକୁ ମିଳିନଥିଲା। ସେହି ସୋ’ର ପୋର୍ଟାଲ୍‌ରୁ ତାଙ୍କ ନାମ ହଟାଇ ଦିଆଯାଇଛି। ସେଥିପାଇଁ ତାଙ୍କୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି।

ବ୍ଲୁମ୍‌ବର୍ଗରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଜ୍ୟାକ୍ ମା’ଙ୍କ ସଂସ୍ଥା ବିରୋଧରେ ଚୀନ୍‌ରେ ତଦନ୍ତ ଚାଲିଛି। ‌ଚୀନ୍ ବାହାରକୁ ନଯିବା ଲାଗି ତାଙ୍କୁ କୁହାଯାଇଛି। ଗତ ଅକ୍ଟୋବରର ବିବାଦୀୟ ବୟାନ ପରଠାରୁ ଜ୍ୟାକ୍‌ଙ୍କ ସମ୍ପତ୍ତି ଦ୍ରୁତ ଗତିରେ ହ୍ରାସ ପାଇଛି। ସେ ଚୀନ୍‌ ଧନୀ ତାଲିକାରେ ତୃତୀୟ ସ୍ଥାନକୁ ଖସିଆସିଛନ୍ତି। ଜାତିସଂଘ ଓ ବିଶ୍ବସ୍ତରୀୟ ଦାତବ୍ୟ କାର୍ଯ୍ୟରେ ଜ୍ୟାକ୍‌ଙ୍କ ସଂପୃକ୍ତି ଥିଲା। ସେଥିପାଇଁ ସେ ସାରା ବିଶ୍ବରେ ପରିଚିତ ଥିଲେ। କରୋନା ମହାମାରୀ ସମୟରେ ସାରା ବିଶ୍ବରେ ସେ ମାସ୍କ ବାଣ୍ଟିଥିଲେ। କିଛି ଦିନ ହେଲାଣି ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରୁ ଗୋଟିଏ ବି ଟୁଇଟ୍‌ କରାଯାଇନାହିଁ। ଏହା ପୂର୍ବରୁ ସେ ନିୟମିତ ଟୁଇଟ୍‌ କରୁଥିଲେ। ଚୀନ୍‌ରେ ସି ଜିନ୍‌ପିଙ୍ଗ୍‌ଙ୍କ ସରକାର ବିରୋଧରେ ମୁହଁ ଖୋଲୁଥିବା ଲୋକମାନଙ୍କୁ ନଜରବନ୍ଦୀ କରି ରଖାଯିବା ଘଟଣା ନୂଆ ନୁହେଁ। କିଛି ମାସ ତଳେ ଚୀନ୍ ସରକାରଙ୍କୁ ସମାଲୋଚନା କରିଥିବା ରିଅଲ ଇଷ୍ଟେଟ୍‌ ବ୍ୟବସାୟୀ ରାନ୍ ଝିକିୟାଙ୍ଗ୍‌ ନିଖୋଜ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର