ମାନ୍ଦାବସ୍ଥାକୁ ମାନିଲେ ଜେଟ୍‌ଲି

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ମାନ୍ଦାବସ୍ଥାରେ ପଡ଼ିଯାଇଛି। ଏ କଥାକୁ ଆଜି ଏକପ୍ରକାର ମାନିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି। ୨୦୧୫-୧୬ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୮ ପ୍ରତିଶତ ଥିବାବେଳେ ୨୦୧୬-୧୭ରେ ଏହା ୭.୧ ପ୍ରତିଶତକୁ ଖସିଆସିଥିବା ସେ କହିଛନ୍ତି। ଅର୍ଥନୈତିକ ଅଭିବୃଦ୍ଧିରେ ଦେଖାଦେଇଥିବା ମନ୍ଥରତା ପାଇଁ ସେ ଉଭୟ ଘରୋଇ ଏବଂ ବାହ୍ୟ କାରକକୁ ଦାୟୀ କରିଛନ୍ତି। ଲୋକସଭାରେ ପ୍ରଶ୍ନୋତ୍ତର କାଳରେ ଜେଟ୍‌ଲି ଏହା କହିଛନ୍ତି ଯେ, ୨୦୧୬ରେ ବିଶ୍ୱରେ ଅର୍ଥନତୈିକ ଅଭିବୃଦ୍ଧି ହାର କମ୍‌ ରହିଥିଲା। ଏଥିସହିତ ଦେଶରେ ନିବେଶ ଓ ଜିଡିପି ଅନୁପାତ କମ୍‌ ରହିବା, କମ୍ପାନି ଗୁଡ଼ିକର ଆୟବ୍ୟୟ ହିସାବଫର୍ଦ ଚାପଗ୍ରସ୍ତ ରହିବା, ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକୁ କମ୍‌ ମାତ୍ରାରେ ଋଣ ପ୍ରଦାନ ଆଦି ଯୋଗୁଁ ୨୦୧୬-୧୭ର ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଇଛି। ଢାଞ୍ଚାଗତ, ବାହ୍ୟ ଏବଂ ବିତ୍ତୀୟ କାରଣ ଆଦି ଯୋଗୁଁ ମଧ୍ୟ ଗୋଟିଏ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପ୍ରଭାବିତ ହୋଇଥାଏ ବୋଲି ସେ ଏହି ପରିପ୍ରେକ୍ଷୀରେ କହିଛନ୍ତି। କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସ୍‌ଓ)ର ରିପୋର୍ଟ ଅନୁଯାୟୀ, ୨୦୧୪-୧୫ରେ ଦେଶର ଜିଡିପି ଅଭିବୃଦ୍ଧି ୭.୫ ପ୍ରତିଶତ ଥିବାବେଳେ ୨୦୧୫-୧୬ରେ ୮ ପ୍ରତିଶତ ଏବଂ ୨୦୧୬-୧୭ରେ ୭.୧ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର