ଜେଟ୍‌ଲିଙ୍କ ଏମ୍‌ଏସ୍‌ପି ଫର୍ମୁଲା

ଏ୨+ଏଫ୍‌ଏଲ୍‌ ସୂତ୍ରରେ ଚାଷୀ ପାଇବେ ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ: କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଆସନ୍ତା ଖରିଫ ଋତୁରୁ ଦେଢ଼ ଗୁଣ କରାଯିବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ବଜେଟ୍‌ରେ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀଙ୍କ ଏହି ଘୋଷଣା ପରେ କୃଷିଜାତ ସାମଗ୍ରୀର ଉତ୍ପାଦନ ମୂଲ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। କାରଣ କେଉଁ ଆଧାରରେ ଉତ୍ପାଦନ ମୂଲ୍ୟ ନିର୍ଧାରଣ କରାଯିବ ତାହାକୁ ଅର୍ଥମନ୍ତ୍ରୀ ବଜେଟ୍‌ରେ ସ୍ପଷ୍ଟ କରି ନଥିଲେ। କିନ୍ତୁ ଗତକାଲି ରାଜ୍ୟସଭାରେ ବଜେଟ ବିତର୍କରେ ଭାଗ ନେଇ ଅର୍ଥମନ୍ତ୍ରୀ ଏହାକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଧାରଣ ପାଇଁ କୃଷି ସମ୍ପର୍କିତ ଉତ୍ପାଦନ ଖର୍ଚ ଓ ଦର ଆୟୋଗ (ସିଏସିପି) ଦ୍ୱାରା ବିଭିନ୍ନ ପ୍ରକାର ଫର୍ମୁଲା ରହିଛି। ତେବେ ସରକାର ଏବେ ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଧାରଣ କରିବେ ତାହା ଏ୨+ଏଫ୍‌ଏଲ୍‌ ଫର୍ମୁଲାରେ ହେବ। ଏ୨+ଏଫ୍‌ଏଲ୍‌ ଫର୍ମୁଲାରେ କୃଷକମାନେ ଚାଷରେ ବିଭିନ୍ନ ଇନ୍‌ପୁଟ୍‌ ବାବଦରେ ବହନ କରୁଥିବା ଖର୍ଚ ସହିତ ପାରିବାରିକ ଶ୍ରମର ମୂଲ୍ୟ ହିସାବକୁ ନିଆଯାଇଥାଏ। କିନ୍ତୁ ସି୨(କମ୍ପ୍ରିହେନ୍‌ସିଭ କଷ୍ଟ୍‍)ରେ ଏ୨ ବାବଦ ମୂଲ୍ୟ ସହିତ ପାରିବାରିକ ଶ୍ରମ ଏବଂ ଜମି ଓ ପୁଞ୍ଜି ବାବଦରେ ଚାଷୀ ଯେଉଁ ଭଡ଼ା ଓ ସୁଧ ପାଇଥାନ୍ତା ତାହାକୁ ବିଚାରକୁ ନିଆଯାଇଥାଏ। ଅର୍ଥମନ୍ତ୍ରୀ ଏ୨+ ଏଫ୍‌ଏଲ୍‌ ଆଧାରରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଧାରଣ ହେବ ବୋଲି ଯାହା ଘୋଷଣା କରିଛନ୍ତି ତାହା କୃଷକମାନଙ୍କୁ ସନ୍ତୁଷ୍ଟ କରି ନପାରେ। କାରଣ ଅଧିକାଂଶ ଚାଷୀ ‘ସି୨’ ଫର୍ମୁଲା ଆଧାରରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ଦାବି କରି ଆସୁଛନ୍ତି।
କୃଷକମାନଙ୍କ ପାଇଁ ଲଢ଼େଇ କରୁଥିବା ସଂସ୍ଥା ‘ଆଲାଏନ୍ସ ଫର୍‌ ସଷ୍ଟେନେବଲ୍‌ ଆଣ୍ଡ ହୋଲିଷ୍ଟିକ୍‌ ଏଗ୍ରିକଲ୍‌ଚର’ର ଆବାହକ କେ. କୁରୁଗାଣ୍ଟି କହିଛନ୍ତି, କୃଷକମାନେ ଫସଲ ପାଇଁ ଯେଉଁ କମ୍‌ ଦର ପାଉଛନ୍ତି ତାହାର ବାସ୍ତବ ସମାଧାନ ହେବା ଆବଶ୍ୟକ। ସରକାର କୃଷକମାନଙ୍କୁ ଠକୁଛନ୍ତି। ପୂର୍ବର ଉପା ସରକାରଙ୍କ ଅମଳରେ ଅଧିକାଂଶ ଫସଲ ପାଇଁ କୃଷକମାନେ ଏ୨+ଏଫ୍‌ଏଲ୍‌ ଉପରେ ଅଧିକ ଦର ପାଉଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ନିର୍ବାଚନ ପ୍ରଚାର ବେଳେ ଏହାକୁ ସମାଲୋଚନା କରିଥିଲେ। କୃଷକମାନଙ୍କୁ ଉତ୍ତମ ମୂଲ୍ୟ ଦେବେ ବୋଲି ମଧ୍ୟ ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ ବୋଲି ଶ୍ରୀ କୁରୁଗାଣ୍ଟି କହିଛନ୍ତି।

ଏମ୍‌ଏସ୍‌ପି ଧାର୍ଯ୍ୟର ୩ ସୂତ୍ର
କୃଷି ସମ୍ପର୍କିତ ଉତ୍ପାଦନ ଖର୍ଚ ଓ ଦର ଆୟୋଗ ବା କମିସନ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ କଷ୍ଟ୍‍ସ ଆଣ୍ଡ୍‌ ପ୍ରାଇସେସ୍‌ (ସିଏସିପି) ଅନୁଯାୟୀ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଧାରଣ ଲାଗି ୩ଟି ସୂତ୍ର ରହିଛି। ସେଗୁଡ଼ିକ ହେଲା ଏ୨, ଏ୨+ଏଫ୍‌ଏଲ୍‌ ଏବଂ ସି୨।
ଏ୨: ଏ୨ରେ ଚାଷୀ ବହନ ଅର୍ଥ ଏବଂ ସାମଗ୍ରୀ ଆକାରରେ ବହନ କରୁଥିବା ବିଭିନ୍ନ ଖର୍ଚ ଯଥା ମଞ୍ଜି, ସାର, ରସାୟନିକ ସାମଗ୍ରୀ, ଭଡ଼ାରେ ଅଣାଯାଉଥିବା ଶ୍ରମିକ, ଇନ୍ଧନ ଏବଂ ଜଳସେଚନ ଆଦି ବାବଦରେ ହେଉଥିବା ଖର୍ଚକୁ ବିଚାରକୁ ନିଆଯାଇଥାଏ।
ଏ୨+ଏଫ୍‌ଏଲ୍‌: ବାସ୍ତବରେ ଚାଷୀ ବହନ କରୁଥିବା ବିଭିନ୍ନ ଖର୍ଚ ସହିତ ପରିବାର ଲୋକଙ୍କ ଶ୍ରମ(ଫ୍ୟାମିଲି ଲେବର-ଏଫ୍‌ଏଲ୍‌)କୁ ହିସାବକୁ ନିଆଯାଇ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏହି ଫର୍ମୁଲାରେ ଧାର୍ଯ୍ୟ କରାଯାଇଥାଏ।
ସି୨: ସି୨ ବା କମ୍ପ୍ରିହେନ୍‌ସିଭ କଷ୍ଟ୍‍ ଫର୍ମୁଲା ହେଉଛି ପୂର୍ବ ଦୁଇ ଫର୍ମୁଲା ତୁଳନାରେ ଅଧିକ ବ୍ୟାପକ। ଏଥିରେ ଏ୨+ଏଫ୍‌ଏଲ୍‌ ସହିତ ଚାଷୀ ଜମି ବାବଦରେ ପାଇବାକୁ ଥିବା ଭଡ଼ା ଏବଂ ପୁଞ୍ଜି ବାବଦରେ ପାଇବାକୁ ଥିବା ସୁଧ ଆଦି ଯେଉଁଗୁଡ଼ିକୁ କୃଷକମାନେ ହରାଇଥାନ୍ତି ତାହାକୁ ବିଚାରକୁ ନିଆଯାଇଥାଏ।

ସମ୍ବନ୍ଧିତ ଖବର