ଭୁବନେଶ୍ବର: ଜାପାନର ତିତୋରି ଅଞ୍ଚଳର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସି ମୁଖ୍ୟ ସଚିବ ମନୋଜ ଆହୁଜା ଓ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବୈଠକରେ ପାରସ୍ପରିକ ସହଯୋଗିତା ବଢ଼ାଇବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଓଡ଼ିଶାର ଆର୍ଥିକ, ଶିଳ୍ପ ଓ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗିତା ବଢ଼ାଇବା ଉପରେ ଉନ୍ନୟନ କମିସନର ଶ୍ରୀମତୀ ଗର୍ଗ ଜୋର ଦେଇଥିଲେ।
ତିତୋରିର ପ୍ରତିନିଧିମାନେ କହିଥିଲେ ଯେ ଜାପାନର ବୈଷୟିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ସ୍ବତନ୍ତ୍ର ଦକ୍ଷ କର୍ମଚାରୀ ଯୋଜନାରେ ଭାରତର ଯୁବକଯୁବତୀମାନେ ତାଲିମ ନେଉଛନ୍ତି। ସେମାନେ ତିତୋରି ସମେତ ସାରା ଜାପାନରେ ଶିଳ୍ପ, କୃଷି, ନର୍ସିଂ ସେବା ଓ ଉତ୍ପାଦନଭିତ୍ତିକ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି। ଏହି ପ୍ରତିନିଧି ଦଳ ବିଶ୍ବ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଥିଲେ। ଦକ୍ଷ ମାନବ ସମ୍ବଳ, ସ୍ମାର୍ଟ କୃଷି ପ୍ରଯୁକ୍ତି ହସ୍ତାନ୍ତର, ଜଳ, ପରିମଳ ଓ ବର୍ଜ୍ୟ ଜଳ ପରିଚାଳନା କ୍ଷେତ୍ରରେ ସହଯୋଗିତା ବଢ଼ାଇବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଓ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପରିଦର୍ଶନ କରି ସମ୍ଭାବ୍ୟ ସହଯୋଗିତା କରିବାକୁ ପ୍ରତିନିଧିମାନଙ୍କୁ ପରାମର୍ଶ ଦିଆଯାଇଥିଲା। ବୈଠକରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଓ ଅନ୍ୟମାନେ ଉପସ୍ଥିତି ଥିଲେ।