ନୂଆଦିଲ୍ଲୀ: ଦୁଇ ଦିନିଆ ମସ୍କୋ ଗସ୍ତରେ ଥିବା ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ରୁଷ୍ଠାରୁ ଭାରତ ଅଶୋଧିତ ତେଲ କିଣିବା ସଂପର୍କିତ ଆଭିମୁଖ୍ୟକୁ ପୁଣିଥରେ ସ୍ପଷ୍ଟ କରିଛନ୍ତି। ଭାରତ ନିଜର ସୁବିଧା ପାଇଁ ଋଷରୁ ତେଲ କିଣୁଛି ଏବଂ ଏହା ମଧ୍ୟ ଜାରି ରଖିବ ବୋଲି ସେ କହିଛନ୍ତି। ରୁଷ୍ ପ୍ରତିପକ୍ଷ ସର୍ଗି ଲାଭରୋଭଙ୍କୁ ଭେଟିବା ପରେ ମସ୍କୋଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି। ଯୋଗାଣ ଦୃଷ୍ଟିରୁ ବିଶ୍ବ ତେଲ ବଜାର ଉପରେ ଏବେ ଚାପ ରହିଛି।
ଏହା ସତ୍ତ୍ବେ ଦେଶର ଗ୍ରାହକଙ୍କୁ ଯଥାସମ୍ଭବ ସୁବିଧାଜନକ ମୂଲ୍ୟରେ ଅନ୍ତର୍ଜାତୀୟ ବଜାରରୁ ତେଲ ଆଣି ଯୋଗାଇ ଦେବା ହେଉଛି ସରକାରଙ୍କର ମୌଳିକ ଦାୟିତ୍ବ। ଜୟଶଙ୍କର କହିଛନ୍ତି, ଭାରତ ବିଶ୍ବର ତୃତୀୟ ବୃହତ୍ ତୈଳ ଓ ଗ୍ୟାସ ବ୍ୟବହାରକାରୀ ରାଷ୍ଟ୍ର। ଏଥିସହିତ ଭାରତୀୟଙ୍କର ଆୟ ମଧ୍ୟ ସେତେଟା ଅଧିକ ନୁହେଁ। ତେଣୁ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବା ଇନ୍ଧନର ଉତ୍ସ ଖୋଜିବା ଆବଶ୍ୟକତା ଭାରତ ପାଇଁ ରହିଛି। ଭାରତ ଏବଂ ରୁଷ୍ ମଧ୍ୟରେ ରହିଥିବା ସଂପର୍କରୁ ଭାରତ ଲାଭ ଉଠାଉଛି। ତେଣୁ ଆମେ ତେଲକିଣା ଜାରି ରଖିବୁ ବୋଲି ଜୟଶଙ୍କର କହିଛନ୍ତି।