ଘୋର ସଙ୍କଟରେ ଜେଟ୍ ଟଙ୍କା, ସ୍ପେୟାର୍‌ ପାର୍ଟସ୍‌ କିଛି ନାହିଁ

ଡଜନେରୁ ଅଧିକ ବିମାନ ଠିଆ ହୋଇଛି

ମୁମ୍ବାଇ: ଦେଶର ଅଗ୍ରଣୀ ଘରୋଇ ବିମାନ କଂପାନି ଜେଟ୍‌ ଏୟାର‌ୱେଜ୍ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି କଂପାନି ପାଖରେ ଟଙ୍କା ନାହିଁ କିମ୍ବା ବିମାନଗୁଡ଼ିକର ମରାମତି ପାଇଁ ସ୍ପେୟାର ପାର୍ଟସ୍‌ ମଧ୍ୟ ନାହିଁ। ଯେଉଁ ସଂସ୍ଥା ଠାରୁ କଂପାନି ଭଡ଼ାରେ ବିମାନ ଆଣିଥିଲା ସେମାନଙ୍କୁ ପେମେଣ୍ଟ୍‌ କରିପାରୁନାହିଁ। ତେଣୁ ବାଧ୍ୟ ହୋଇ ଡଜନେରୁ ଅଧିକ ବିମାନକୁ ଜେଟ୍‌ ଏୟାରୱେଜ୍ ଠିଆ କରାଇ ଦେଇଛି। ଜେଟ୍ ପାଖରେ ପୂର୍ବରୁ ୧୨୩ଟି ବିମାନ ଥିଲା। ସେହି ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ଆଗାମୀ ଏପ୍ରିଲ୍‌ ଭିତରେ ବିମାନଗୁଡ଼ିକର ସଂଖ୍ୟା ଏକ ତୃତୀୟାଂଶ ସ୍ତରକୁ ଖସିଯିବ ବୋଲି କୁହାଯାଉଛି। କଂପାନିର ଅନେକ ବିମାନର ମରାମତି ହୋଇପାରୁନଥିବାରୁ ସେଗୁଡ଼ିକ ଠିଆ ହୋଇରହିଛି। ମରାମତି ପାଇଁ କଂପାନି ପାଖରେ ସ୍ପେୟାର ପାର୍ଟସ୍‌ ନାହିଁ। ଜେଟ୍‌ର ଆର୍ଥିକ ସଙ୍କଟ ନୂଆ ନୁହେଁ। ଯାତ୍ରୀମାନଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଥିବା ଏହି କଂପାନି କିଛି ମାସ ହେଲାଣି ତିଷ୍ଠି ରହିବାକୁ ସଂଘର୍ଷ କରୁଛି। ଏହା ମୁଣ୍ଡରେ ବିପୁଳ ପରିମାଣର ଋଣ ରହିଛି। ତାହାକୁ କଂପାନି ପରିଶୋଧ କରିପାରୁନାହିଁ। ସେଥିପାଇଁ କଂପାନିର ମାଲିକାନା ନରେଶ ଗୋୟଲ୍‌ଙ୍କ ହାତରୁ ଚାଲିଯାଇଛି। ଯେଉଁ ସଂସ୍ଥା କଂପାନିକୁ ଋଣ ଦେଇଥିଲେ ଏବେ ସେମାନଙ୍କ ହାତରେ କଂପାନିର ସିଂହ ଭାଗ ଅଂଶଧନ ରହିଛି। ୟୁଏଇର ବିମାନ କଂପାନି ଏତିହାଦ୍‌ର ଜେଟ୍‌ରେ ୨୪% ଅଂଶଧନ ରହିଛି। ଜେଟ୍‌ର ସ୍ଥିତି ଯାହା ତାକୁ ଦେଖି ଏତିହାଦ୍‌ ଆଉ ଅଧିକ ପୁଞ୍ଜି ଖଟାଇବାକୁ ଚାହୁଁନାହିଁ। ପରୋକ୍ଷରେ ଏହା ବ୍ୟାଙ୍କଗୁଡ଼ିକୁ ଅଧିକ ପାଣ୍ଠି ଦେବା ପାଇଁ ଚାପ ପକାଉଛି।

ସମ୍ବନ୍ଧିତ ଖବର