ଦେବାଳିଆ କୋର୍ଟକୁ ଟଣାହେବ ଜେଟ୍‌: ଋଣ ଟଙ୍କା ପାଇଁ ଷ୍ଟେଟ୍‌ ବ୍ୟାଙ୍କ ଟାଣିବ

ନୂଆଦିଲ୍ଲୀ: ଋଣ ଜାଲ କିଭଳି ପ୍ରତିଷ୍ଠିତ କଂପାନିଗୁଡ଼ିକୁ ବରବାଦ କରିଦିଏ ତାହାର ଆଉ ଏକ ଉଦାହରଣ ହେଉଛି ଜେଟ୍ ଏୟାରୱେଜ୍। ବିମାନ ଶିଳ୍ପରେ ଏକଦା ଶୀର୍ଷ ସ୍ଥାନରେ ଥିବା ଏହି କଂପାନି ଏବେ ବଞ୍ଚି ରହିବାକୁ ସଂଘର୍ଷ କରୁଛି। କଂପାନିକୁ ଚାଲୁ ରଖିବା ପାଇଁ ପାଖରେ ପାଣ୍ଠି ନାହିଁ। ଏହି କଂପାନିକୁ ବିପୁଳ ପରିମାଣର ଋଣ ଦେଇଥିବା ଭାରତୀୟ ‌ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ) ନିଜ ଋଣ ଅର୍ଥ ଫେରି ପାଇବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ଉପରେ ବିଚାର କରୁଛି। ଜେଟ୍‌କୁ ଦେବାଳିଆ କୋର୍ଟକୁ ଟାଣିବା ପାଇଁ ବିଚାର କରୁଛି। ଦେବାଳିଆ ଘୋଷିତ ହେଉଥିବା କଂପାନିଗୁଡ଼ିକର ମାମଲା ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍ (ଏନ୍‌ସିଏଲ୍‌ଟି‌)ରେ କରାଯାଉଛି। ଜେଟ୍‌କୁ ଏନ୍‌ସିଏଲ୍‌ଟିକୁ ଟାଣି ନିଜ ଋଣ ଅର୍ଥ ବାହାର କରିବାକୁ ଷ୍ଟେଟ୍‌ ବ୍ୟାଙ୍କ ଚାହୁଁଛି। ବ୍ୟାଙ୍କ ଭାବୁଛି ଯେ ଜେଟ୍‌ ପାଖରେ ଆଗକୁ ବଢ଼ିବା ପାଇଁ ଆବଶ୍ୟକ ପାଣ୍ଠି ନାହିଁ। ତେଣୁ ଯେତେ‌ ଶୀଘ୍ର ଏହା ଠାରୁ ଋଣ ଅର୍ଥ ମିଳିଯିବ ସେତେ ଭଲ ରହିବ। ଷ୍ଟେଟ୍‌ ବ୍ୟାଙ୍କ, ପିଏନ୍‌ବି ସମେତ କେତେକ ବ୍ୟାଙ୍କ ମିଳିତ ଭାବେ ଜେଟ୍‌ ଏୟାରୱେଜ୍‌କୁ ଋଣ ଦେଇଥିଲେ। ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି) ଆଇନ ମାଧ୍ୟମରେ ଜେଟ୍‌କୁ ଏନ୍‌ସିଏଲ୍‌ଟିକୁ ଟାଣିବାକୁ ଯୋଜନା ପ୍ରସ୍ତୁତ ହେଉଛି। ଚଳିତ ସପ୍ତାହରେ ଜେଟ୍‌ ଏୟାରୱେଜ୍‌ର ବୋର୍ଡ ବୈଠକ ବସିଥିଲା। ଋଣ ପ୍ରଦାନ କରିଥିବା ସଂସ୍ଥାଗୁଡ଼ିକୁ କଂପାନିର ସର୍ବାଧିକ ଅଂଶଧନ ପ୍ରଦାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ନରେଶ ଗୋୟଲଙ୍କ ହାତରୁ କଂପାନିର ମାଲିକାନା ଚାଲିଯାଇଥିଲା ଏବଂ ସବୁଠୁ ବଡ଼ ଅଂଶଧନକାରୀ ଭାବେ ଷ୍ଟେଟ୍‌ ବ୍ୟାଙ୍କ ଉଭା ହୋଇଥିଲା। କିନ୍ତୁ ଜେଟ୍‌ ଏୟାରୱେଜ୍‌ର ୨୪% ଅଂଶଧନ ରହିଥିବା ୟୁଏଇର ବିମାନ କଂପାନି ଏତିହାଦ୍‌ ଏୟାରୱେଜ୍‌ର କେତେକ ସର୍ତ୍ତକୁ ଷ୍ଟେଟ୍‌ ବ୍ୟାଙ୍କ ଗ୍ରହଣ କରିପାରୁନାହିଁ। ବ୍ୟାଙ୍କଗୁଡ଼ିକ ମିଳିମିଶି ଜେଟ୍‌ର ୫୧% ଅଂଶଧନ ନିଅନ୍ତୁ ଏବଂ ଅତିରିକ୍ତ ୨୨୦୦ କୋଟି ଟଙ୍କା ନିବେଶ କରନ୍ତୁ ବୋଲି ଏତିହାଦ୍ ଦାବି କରୁଛି। ଏହା ବ୍ୟତୀତ ଆଉ କେତେକ ନିୟାମକ ବ୍ୟବସ୍ଥା ଉପରେ ଏହା ସମ୍ପୂର୍ଣ୍ଣ ସୁରକ୍ଷା ମାଗୁଛି ଯାହା ଷ୍ଟେଟ୍‌ ବ୍ୟାଙ୍କ ପାଇଁ ଗ୍ରହଣୀୟ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର