ଆଜି ରାତିରେ ଉଡ଼ିିବାକୁ ଥିବା ଅମୃତସର-ଦିଲ୍ଲୀ ଫ୍ଲାଇଟ ହେବ ଜେଟର ଶେଷ ଫ୍ଲାଇଟ

ନୂଆଦିଲ୍ଲୀ: ଆଜିଠାରୁ ନିଜର ଫ୍ଲାଇଟ୍‌ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଛି ଜେଟ ଏୟାରେଓ୍ଵଜ । ଆଜି ରାତି ପ୍ରାୟ ସାଢେ ୧୦ରେ ଉଡିବାକୁ ଥିବା ଅମୃତସର-ଦିଲ୍ଲୀ ଫ୍ଲାଇଟ କମ୍ପାନିର ଶେଷ ଫ୍ଲାଇଟ ହେବ । ଅନ୍ତତଃ କମ୍ପାନିର ମାଲିକାନା ଆଉ ଏକ କମ୍ପାନି ହାତକୁ ଯିବା ପର୍ଯ୍ୟନ୍ତ ଏହା ହେଉଛି ଜେଟର ଶେଷ ଫ୍ଲାଇଟ ଅପରେସନ । ଜରୁରୀକାଳୀନ ଆବଶ୍ୟକତା ମେଣ୍ଟାଇବା ପାଇଁ କମ୍ପାନି ନିକଟରେ ଆବଶ୍ୟକ ଅର୍ଥ ନଥିବାରୁ କମ୍ପାନି ବାଧ୍ୟ ହୋଇ ଏହି ପଦକ୍ଷେପ ନେଇଛି । ଏହା ପୂର୍ବରୁ କମ୍ପାନି ମାଗିଥିବା ପ୍ରାୟ ୪୦୦ କୋଟି ଟଙ୍କାର ସହାୟତା ଦେବାକୁ ବ୍ୟାଙ୍କ କନସୋର୍ଟିୟମ ମନା କରିଦେଇଥିଲା ।
ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ୨୫ରେ କମ୍ପାନିକୁ ଋଣ ଦେଇଥିବା ଷ୍ଟେଟ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କମାନଙ୍କ କନସୋର୍ଟିୟମ ନିଜର ଋଣକୁ ଇକ୍ୱିଟିରେ ପରିବର୍ତ୍ତନ କରି କମ୍ପାନିରେ ସେମାନଙ୍କ ଅଂଶଧନ ୫୦ ପ୍ରତିଶତରୁ ଅଧିକ କରିଦେଇଥିଲେ । ବ୍ୟାଙ୍କମାନେ ଖୁବଶୀଘ୍ର କମ୍ପାନିକୁ ପ୍ରାୟ ୧୫ ଶହ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ଲାଗି ନିଷ୍ପତ୍ତି ନେଇଥିଲେ । ଏହା ସହିତ କମ୍ପାନିର ପ୍ରତିଷ୍ଠାତା ନରେଶ ଗୋଏଲ କମ୍ପାନିର ଅଧ୍ୟକ୍ଷ ପଦ ଛାଡିଥିଲେ । କିନ୍ତୁ ପରେ ଏହି ୧୫ ଶହ କୋଟି ଦେବାକୁ ବ୍ୟାଙ୍କମାନେ ମନା କରିଦେଇଥିଲେ ।

ସମ୍ବନ୍ଧିତ ଖବର