ସୋମବାର ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କଲା ଜେଟ ଏୟାରଓ୍ବେଜ୍

ନୂଆଦିଲ୍ଲୀ : କ୍ଷତିରେ ଚାଲୁଥିବା ବିମାନ ସେବା କମ୍ପାନି ଜେଟ୍ ଏୟାରଓ୍ବେଜର ଅବସ୍ଥା ଦିନକୁ ଦିନ ସାଂଘାତିକ ସ୍ତରକୁ ଗଲାଣି । କମ୍ପାନିର ଚାଲୁଥିବା ବିମାନ ସଂଖ୍ୟା ଏବେ ୧୦ ତଳକୁ ଖସିଆସିଛି । ଏହା ଫଳରେ କମ୍ପାନି ଆସନ୍ତା ସୋମବାରଦିନ ପର୍ଯ୍ୟନ୍ତ ନିଜର ଅନ୍ତର୍ଜାତୀୟ ଉଡାଣ ବନ୍ଦ କରିଦେଇଛି । କମ୍ପାନି ଏବେ ବ୍ୟାଙ୍କମାନଙ୍କଠାରୁ ୧୫୦୦ କୋଟିର ଜରୁରୀ ସହାୟତା ପାଇବାକୁ ଅପେକ୍ଷାରେ ରହିଛି । ଏହି ଅର୍ଥ ପାଇବା ପରେ ହିଁ କମ୍ପାନି ନିଜ କର୍ମଚାରୀଙ୍କ ବକେୟା ଦରମା ଓ ଅନ୍ୟାନ୍ୟ ବ୍ୟୟ ଭରଣା କରିପାରିବ । ଜେଟ୍‌ ଏୟାରେଓ୍ଵଜର କର୍ମଚାରୀମାନେ ଗତ ୩ ମାସ ହେଲା ଦରମା ପାଇନାହାନ୍ତି । ସେପଟେ ଅନ୍ତର୍ଜାତୀୟ ଉଡାଣ ବନ୍ଦ ହେବା ପରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ୨୫ରେ କମ୍ପାନିକୁ ଋଣ ଦେଇଥିବା ଷ୍ଟେଟ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କମାନଙ୍କ କନସୋର୍ଟିୟମ ନିଜର ଋଣକୁ ଇକ୍ୱିଟିରେ ପରିବର୍ତ୍ତନ କରି କମ୍ପାନିରେ ସେମାନଙ୍କ ଅଂଶଧନ ୫୦ ପ୍ରତିଶତରୁ ଅଧିକ କରିଦେଇଥିଲେ । ବ୍ୟାଙ୍କମାନେ ଖୁବଶୀଘ୍ର କମ୍ପାନିକୁ ପ୍ରାୟ ୧୫ ଶହ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ଲାଗି ନିଷ୍ପତ୍ତି ନେଇଥିଲେ । ଏହ ସହିତ କମ୍ପାନିର ପ୍ରତିଷ୍ଠାତା ନରେଶ ଗୋଏଲ କମ୍ପାନିର ଅଧ୍ୟକ୍ଷ ପଦ ଛାଡିଥିଲେ ।

ସମ୍ବନ୍ଧିତ ଖବର