ଜେଟ୍‌କୁ ଦେବାଳିଆ ଘୋଷଣା କରାଯିବ!

ନୂଆଦିଲ୍ଲୀ: ଘରୋଇ ବିମାନ କଂପାନି ଜେଟ୍ ଏୟାରୱେଜ୍‌କୁ ବଞ୍ଚାଇବା ପାଇଁ ଏହାକୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ମାତ୍ର କଂପାନିର ଆର୍ଥିକ ସ୍ଥିତି ଯାହା ସେଥିରେ ଏହି କଂପାନି ବେଶିଦିନ ତିଷ୍ଠି ରହିବାର ବହୁତ କମ୍ ସମ୍ଭାବନା ରହିଛି। ଯଦି ସବୁ ପ୍ରକାର ଉଦ୍ୟମ ବିଫଳ ହେବ ତେବେ ଶେଷରେ ଜେଟ୍‌କୁ ଦେବାଳିଆ ଘୋଷଣା କରାଯିବ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ରଜନୀଶ କୁମାର ଆଜି ଏଭଳି ସଙ୍କେତ ପ୍ରଦାନ କରିଛନ୍ତି। ସେ କହିଲେ, ଶେଷ ବିକଳ୍ପ ହେଉଛି ଜେଟ୍‌କୁ ଦେବାଳିଆ ଘୋଷଣା କରିବା। କଂପାନିକୁ ଦେବାଳିଆ ଘୋଷଣା କରିବା ଅର୍ଥ ତାହାକୁ ବନ୍ଦ କରିବା। ମାତ୍ର ସମସ୍ତେ ଚାହୁଁଛନ୍ତି ଏହି କଂପାନି ବଞ୍ଚି ରହୁ। ସେଥିପାଇଁ ସମସ୍ତ ଅଂଶୀଦାର ଉଦ୍ୟମ ଜାରି ରଖିଥିବା ଶ୍ରୀ କୁମାର କହିଛନ୍ତି। ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ କହିଛନ୍ତି ଯେ, ଜେଟ୍‌ ପାଇଁ ଏକ ପୁନରୁଦ୍ଧାର ଯୋଜନା ପ୍ରସ୍ତୁତ କରାଯାଇଥିଲେ। ଏଥିରେ କୌଣସି ବ୍ୟକ୍ତିଙ୍କୁ ସଙ୍କଟରୁ ଉଦ୍ଧାର କରିବାର ଯୋଜନା ନାହିଁ। ଏଭଳିକି କଂପାନିର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ମଧ୍ୟ ଉଦ୍ଧାର କରାଯିବ ନାହିଁ।

ସମ୍ବନ୍ଧିତ ଖବର