ନୂଆଦିଲ୍ଲୀ: ଶୁକ୍ରବାର ଅଗଷ୍ଟ ୩ ତାରିଖ ଦିନ ରିୟାଦ୍ ବିମାନବନ୍ଦରରୁ ଜେଟ୍ ଏୟାରୱେଜର ବୋଇଙ୍ଗ୍ ୭୩୭ ବିମାନ ରନ୍ୱେ ପରିବର୍ତ୍ତେ ସମାନ୍ତରାଳରେ ଥିବା ଟ୍ୟାକ୍ସିୱେରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାକୁ ଉଦ୍ୟମ କରିଥିଲା। ରିୟାଦ୍ ସମୟ ରାତି ୧୨ଟା ୦୩ ମିନିଟ୍ରେ ଘଟିଥିବା ଘଟଣାର ତଦନ୍ତ ପରେ ସାଉଦି ବିମାନଚଳାଚଳ କର୍ତ୍ତୃପକ୍ଷ ଏହାର ଫଳାଫଳକୁ ସାର୍ବଜନୀନ କରିଛନ୍ତି।
ଜେଟ୍ ଏୟାରୱେଜର ବୋଇଙ୍ଗ୍-୭୩୭ (ଭିଟି-ଜେଏଫ୍ଏସ୍) ବିମାନ (୯ଡବ୍ଲୁ) ୫୨୩ ୧୪୧ ଜଣ ଯାତ୍ରୀ ଓ ୭ ଜଣ ବିମାନ ପରିଚାରକଙ୍କୁ ଧରି ମୁମ୍ବାଇ ଅଭିମୁଖେ ଯିବାକୁ ଥିବା ବିମାନଟି ରିୟାଦ୍ ଅନ୍ତର୍ଗତ କିଙ୍ଗ୍ ଖାଲିଦ୍ ଇଣ୍ଟର୍ନେସ୍ନାଲ୍ ଏୟାର୍ପୋର୍ଟ ଠାରେ ଟ୍ୟାକ୍ସିୱେକୁ ମାଡ଼ି ଯାଇଥିଲା। ପ୍ରାଥମିକ ଭାବେ ମିଳିଥିବା ପ୍ରକୃତ ତଥ୍ୟରୁ ଜଣାପଡ଼ିଛି ଯେ ଟ୍ୟାକ୍ସିୱେରେ ଉତ୍ତମ ଦୃଶ୍ୟତା ଏବଂ କୌଣସି ବାଧା ବା ଏଫ୍ଓଡି ନ ଥିଲେ ମଧ୍ୟ ବିମାନଟି ପାଶ୍ୱବର୍ତ୍ତୀ ରନ୍େଓ୍ଵ ପରିବର୍ତ୍ତେ ଟ୍ୟାକ୍ସିୱେରୁ ଉଡ଼ିବାକୁ ଉଦ୍ୟମ କରିଥିଲା। ଦ୍ରୁତ ବେଗରେ ବିମାନଟି ଟ୍ୟାକ୍ସିୱେ ଟପି ଏକ୍ଜିଟ୍ ନିକଟ ଟାଇଲ୍ ବିଛା ହୋଇ ନ ଥିବା ସ୍ଥାନକୁ ମାଡ଼ି ଯାଇଥିବା କଥା ସାଉଦି ଆରବର ଏଭିଏସନ୍ ଇନ୍ଭେଷ୍ଟିଗେସନ୍ ବ୍ୟୁରୋ ଏକ ବିବୃତିରେ କହିଛି।
ତୁରନ୍ତ ଘଟନାସ୍ଥଳରେ ଅଗ୍ନିଶମ ଓ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ। ବିମାନର ଏମର୍ଜେନ୍ସି ସ୍ଲାଇଡ୍ ଦେଇ ସମସ୍ତ ଯାତ୍ରୀ ଓ ବିମାନ ପରିଚାରକମାନଙ୍କୁ ବାହାର କରାଯାଇଥିଲା। କେହି ଆହତ ହୋଇ ନ ଥିବା ପ୍ରକାଶ। ଏୟାର୍କ୍ରାଫ୍ଟ୍ ଆକ୍ସିଡେଣ୍ଟ୍ ଇନ୍ଭେଷ୍ଟିଗେସନ୍ ବ୍ୟୁରୋ ଅଫ୍ ଇଣ୍ଡିଆର ସହଯୋଗରେ ନିରାପତ୍ତା ତଦନ୍ତ କରାଯାଇଥିଲା। ଏହି ଘଟଣାରେ ବିମାନ ଚଳାଉଥିବା ଦୁଇ ପାଇଲଟଙ୍କୁ ଜେଟ ଏୟାରୱେଜ ନିଲମ୍ବିତ କରିଛି।
ଏ ସଂକ୍ରାନ୍ତରେ ଜେଟ୍ ଏୟାର୍ଲାଇନ୍କୁ ସାଉଦି କର୍ତ୍ତୃପକ୍ଷ ଜବାବ ମାଗିଥିଲେ ବି ତାହା ତାଙ୍କର ହସ୍ତଗତ ହୋଇ ନ ଥିବା ପ୍ରକାଶ।