ହଲ୍‌ମାର୍କିଂକୁ ନେଇ ଜୁଏଲର୍ସ ଅସନ୍ତୁଷ୍ଟ: ଧର୍ମଘଟ ନକରିବାକୁ ସରକାରଙ୍କ ନିବେଦନ

ନୂଆଦିଲ୍ଲୀ: ପ୍ରସ୍ତାବିତ ଅଗଷ୍ଟ ୨୩ ଧର୍ମଘଟର ପୁନର୍ବିଚାର କରିବାକୁ ଅଲ ଇଣ୍ଡିଆ ଜେମ୍‌ ଆଣ୍ଡ୍‌ ଜୁଏଲାରି ଡୋମେଷ୍ଟିକ୍ କାଉନ୍‌ସିଲ୍‌ (ଜିଜେସି)କୁ ସରକାର କହିଛନ୍ତି। ହଲ୍‌ମାର୍କ ସ୍ବତନ୍ତ୍ର ପରିଚୟ ନମ୍ବର (ଏସ୍‌ୟୁଆ‌ଇଏନ୍‌) ଜରିଆରେ ସୁନା ଅଳଙ୍କାରର ହଲମାର୍କିଂ କରାଯାଉଥିବାରୁ ତାହାକୁ କେ‌ତେକ ଜୁଏଲର୍ସ ବିରୋଧ କରିଛନ୍ତି। ସରକାରଙ୍କ ଏହି ମନମାନି ବିରୋଧରେ ପ୍ରତୀକ ଧର୍ମଘଟ କରିବାକୁ ଜିଜେଆଇ ପକ୍ଷରୁ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତିର ପୁନର୍ବିଚାର କରି ତାହାକୁ ପ୍ରତ୍ୟାହାର କରିବାକୁ ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ (ବିଆଇଏସ୍‌)ର ଡିଜି ପ୍ରମୋଦ କୁମାର ତିୱାରୀ ଅସନ୍ତୁଷ୍ଟ ଜୁଏଲର୍ସମାନଙ୍କୁ ନିବେଦନ କରିଛନ୍ତି।

ଗତ ଜୁନ୍ ୧୬‌ରେ ସୁନା ଅଳଙ୍କାରର ବାଧ୍ୟତାମୂଳକ ହଲ୍‌ମାର୍କିଂ ନିୟମ କାର୍ଯ୍ୟକାରୀ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୮ଟି ରାଜ୍ୟର ୨୫୬ଟି ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ପୂର୍ବରୁ ହଲ୍‌ମାର୍କିଂ ଇଚ୍ଛାଧୀନ ଥିଲା। ମାତ୍ର ଗ୍ରାହକମାନଙ୍କୁ ବିଶୁଦ୍ଧ ସୁନା ଯୋଗାଇ ଦେବା ଲକ୍ଷ୍ୟ ନେଇ ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି। ଧର୍ମଘଟ ଡାକରା ପ୍ରସଙ୍ଗରେ ଶ୍ରୀ ତିୱାରୀ କହିଛନ୍ତି ଯେ କିଛି ଜୁଏଲର୍ସ ଧର୍ମଘଟ ଡାକରା ଦେଇଛନ୍ତି। କିନ୍ତୁ, କାହିଁକି? ଅଂଶୀଦାରମାନଙ୍କ ପ୍ରତିଟି ସମସ୍ୟାକୁ ସରକାର ଶୁଣୁଛନ୍ତି। ଅଗଷ୍ଟ ୧୯ରେ ଶିଳ୍ପ ଅଂଶୀଦାରଙ୍କ ଏକ ବୈଠକ ବସିଥିଲା। ଅନେକ ଗହଣା ପ୍ରତିଷ୍ଠାନ ସଂଘ ଧର୍ମଘଟକୁ ବିରୋଧ କରିଥିଲେ। ନୂଆ ଏଚ୍‌ୟୁଆ‌ଇଏନ୍‌ ବ୍ୟବସ୍ଥାରେ ହଲମାର୍କିଂକୁ ସେମାନେ ସମର୍ଥନ କରିଥିଲେ। ଯଦି କିଛି ଜୁଏଲର୍ସଙ୍କ ସମସ୍ୟା ରହିଛି ତାହାର କୌଣସି ଆଧାର ନାହିଁ। ଯେଉଁମା‌ନେ ଧର୍ମଘଟ କରିବାକୁ ଚାହୁଛନ୍ତି ମୁଁ ସେମାନଙ୍କୁ ଅପିଲ୍‌ କରୁଛି ଯେ ସେମାନେ ବର୍ତ୍ତମାନର ସରକାର ଭଳି ଏକ ସମସ୍ୟାକୁ ଶୁଣୁଥିବା ଓ ତାହା ଉପରେ ପ୍ରତିକ୍ରିୟା ପ୍ରକାଶ କରୁଥିବା ସରକାର ପାଇବେ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏଚ୍‌ୟୁଆଇଡି ଏକ ବଡ଼ ପଦକ୍ଷେପ। ଦେଶ ଓ ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସରକାର ଜୁଏଲର୍ସମାନଙ୍କ ସବୁ କଥା ଶୁଣିବା ଓ ତାହାର ସମାଧାନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ଏହି ଅଭିଯାନ କାର୍ଯ୍ୟକାରୀ କରିବାର ସମୟରେ କୌଣସି ପ୍ରକାର ବୃଦ୍ଧି କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ବାଧ୍ୟତାମୂଳକ ହଲ୍‌ମାର୍କିଂ ଅଭିଯାନରେ ମିଳିଥିବା ସଫଳତା ସମ୍ପର୍କରେ ସେ କହିଛନ୍ତି ଯେ ଏହି ବ୍ୟବସ୍ଥାରେ ପଞ୍ଜୀକୃତ ହୋଇଥିବା ଜୁଏଲର୍ସଙ୍କ ସଂଖ୍ୟା ୩୫,୦୦୦ରୁ ବୃଦ୍ଧି ପାଇ ୯୧,୬୦୩ରେ ପହଞ୍ଚିଛି। ଏଚ୍‌ୟୁଆଇଡି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ପରେ ଜୁଲାଇ ୧ରୁ ଅଗଷ୍ଟ ୨୦ ଭିତରେ ୧.୭ କୋଟି ଖଣ୍ଡ ଗହଣା ସେଣ୍ଟର୍‌ଗୁଡ଼ିକୁ ଆସିଥିଲା। ସେଥିରୁ ୧ କୋଟି ଗହଣାର ହଲମାର୍କିଂ ହୋଇସାରିଛି। ଅଗଷ୍ଟ ୨୦ରେ ୩ ଲକ୍ଷ ୯୦ ହଜାର ଖଣ୍ଡ ଅଳଙ୍କାରର ହଲ୍‌ମାର୍କିଂ ହୋଇଛି।

ସମ୍ବନ୍ଧିତ ଖବର