ଚୀନ୍ ଛାଡ଼ି ଭାରତ ଆସିବେ ଗହଣା କମ୍ପାନି

ନୂଆଦିଲ୍ଲୀ: ଆମେରିକା ଏବଂ ଚୀନ୍ ମଧ୍ୟରେ ଏବେ ବାଣିଜ୍ୟ ଲଢ଼େଇ ଚାଲିଛି। ଏହି ବାଣିଜ୍ୟ ଲଢ଼େଇ ପ୍ରଭାବରେ ଭାରତ ଲାଭ‌ବାନ ହେବାର ସମ୍ଭାବନା ରହିଛି। ଚୀନ୍‌ରେ କାରଖାନା ସ୍ଥାପନ କରିଥିବା ବିଦେଶୀ ବହୁଦେଶୀୟ କମ୍ପାନି ଗୁଡ଼ିକ ସେହି ଦେଶ ଛାଡ଼ି ଭାରତ ଆସିପାରନ୍ତି ବୋଲି ଗୋଟିଏ ବ୍ୟାଙ୍କର ବରିଷ୍ଠ ଅଧିକାରୀ କହିଛନ୍ତି। ମୁମ୍ବାଇଭିତ୍ତିକ ଇଣ୍ଡସଇଣ୍ଡ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ସୋବ୍‌ତି କହିଛନ୍ତି, ମୂଲ୍ୟବାନ ପ୍ରସ୍ତର ଏବଂ ଗହଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶ୍ବର କେତୋଟି ପ୍ରମୁଖ କମ୍ପାନି ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଲଢ଼େଇକୁ ନେଇ ଚିନ୍ତିତ ଅଛନ୍ତି। ତେଣୁ ଏମାନଙ୍କ ପାଇଁ ସ୍ବାଭାବିକତା ହେଉଛି ସେମାନେ ଚୀନରୁ ସେମାନଙ୍କ ଉତ୍ପାଦନ ୟୁନିଟ୍ ଭାରତକୁ ସ୍ଥାନାନ୍ତର କରିବା। ଚୀନରେ କାରଖାନା ବସାଇଥିବା ବହୁଦେଶୀୟ କମ୍ପାନି ଗୁଡ଼ିକ ଯଦି ସେମାନଙ୍କ ୟୁନିଟକୁ ଭାରତକୁ ଉଠାଇ ଆଣନ୍ତି ତାହେଲେ ଏହାର ଭାରତର ଗହଣା ରପ୍ତାନିକୁ ବଡ଼ ଧରଣର ପ୍ରୋତ୍ସାହନ ଦେବ। ବିଶେଷକରି ଏପ୍ରିଲ-ଜୁନ୍ ‌ତ୍ରୟମାସରେ ଭାରତର ଗହଣା ରପ୍ତାନି ପ୍ରାୟ ୧୦ ପ୍ରତିଶତ ହ୍ରାସ ଘଟିଥିବାରୁ ଏହା ଭାରତର ଗହଣା ଶିଳ୍ପ ପାଇଁ ଉତ୍ସାହ ଆଣିବ। ଚୀନ ଛାଡ଼ିଲେ ବହୁଦେଶୀୟ କମ୍ପାନିଗୁଡ଼ିକ ପାଇଁ ଭାରତ ଏକ ଉତ୍ତମ ପସନ୍ଦ ହୋଇଥିଲେ ମଧ୍ୟ ଏ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ରହିଛି ବୋଲି ଗହଣା ରପ୍ତାନି ପ୍ରୋତ୍ସାହନ ପରିଷଦର ଉପାଧ୍ୟକ୍ଷ କଲିନ ଶାହ କହିଛନ୍ତି। ସେ ସବୁ ପ୍ରତିବନ୍ଧକକୁ ଭାରତକୁ ଦୂର କରିବାକୁ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର