ଗହଣାରେ ପ୍ରେମର ପ୍ରତୀକ: ବାହାଘର ପାଇଁ ବିକ୍ରି ବଢ଼ିଛି, ୫୦୦୦ ଟଙ୍କାରୁ ଆରମ୍ଭ

ଭୁବନେଶ୍ବର: ଭାଲେଣ୍ଟାଇନ ଡେ ପାଖେଇ ଆସୁଛି। ଆସନ୍ତା ୧୪ ତାରିଖରେ ଏହାକୁ ପେମୀଯୁଗଳ ପାଳନ କରିବେ। ଏବେ ଚାଲିଛି ପ୍ରେମ ସପ୍ତାହ। ୭ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ଚାଲିବ। ପ୍ରଥମେ ରୋଜ୍‌ ଡେ, ତା ପରେ ପ୍ରପୋଜ୍ ଡେ, ଚକୋଲେଟ ଡେ, ଟେଡି ଡେ, ପ୍ରମିଜ୍‌ ଡେ, ହଗ୍‌ ଡେ, କିସ୍‌ ଡେ ଏବଂ ଶେଷରେ ଭାଲେଣ୍ଟାଇନ ଡେ। ପ୍ରେମିକ ଓ ପ୍ରେମିକାମାନେ ପ୍ରତିବର୍ଷ ଏହି ସ୍ବତନ୍ତ୍ର ଦିବସ ଓ ସପ୍ତାହକୁ ଅପେକ୍ଷା କରି ରହିଥାନ୍ତି। ପରସ୍ପରକୁ ପ୍ରେମ ନିବେଦନ କରିଥାନ୍ତି। ଉପହାର ଦେଇଥାନ୍ତି। କେବଳ ସାଧାରଣ ଉପହାର ନୁହେଁ ସୁନା, ହୀରା ଏବଂ ପ୍ଲାଟିନମ୍‌ରେ ନିର୍ମିତ ସ୍ବତନ୍ତ୍ର ଗହଣା ମଧ୍ୟ ଉପହାର ଭାବେ ଆଜିକାଲି ଦିଆଯାଉଛି। ଏହାକୁ ଦେଖି ଗହଣା ଦୋକାନଗୁଡ଼ିକ ମଧ୍ୟ ଭାଲେଣ୍ଟାଇନ ପାଇଁ ସୋ’ରୁମ୍‌ରେ ସ୍ବତନ୍ତ୍ର ଗହଣା ରଖିଛନ୍ତି। ଭୁବନେଶ୍ବରର ବଡ଼ ବଡ଼ ଗହଣା ଦୋକାନଗୁଡ଼ିକ ଗ୍ରାହକଙ୍କ ଏହି ଆବଶ୍ୟକତାକୁ ବୁଝିପାରିଛନ୍ତି। ସେଥିପାଇଁ ସ୍ବତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ଗହଣା ବିକ୍ରି ପାଇଁ ସୋ’ରୁମ୍‌ରେ ମହଜୁଦ୍‌ ରଖାଯାଇଛି। ପ୍ରେମର ପ୍ରତୀକକୁ ଗହଣାରେ ଅତି ସୁନ୍ଦର ଭାବେ ସ୍ଥାନିତ କରାଯାଇଛି।

ମୁଦିଠାରୁ ଚେନ୍‌ ପର୍ଯ୍ୟନ୍ତ
ଗହଣା ସୋରୁମ୍‌ ଗୁଡ଼ିକରେ ମୁଦିଠାରୁ ଆରମ୍ଭ କରି ଲକେଟ୍‌, ହାର, ରିଷ୍ଟ୍‌ଲେଟ୍‌ ଏବଂ ଚେନ୍ ଲକେଟ୍‌ ଆଦି ଉପଲବ୍ଧ ହେଉଛି। ସୁନା,ହୀରା ଏବଂ ପ୍ଲାଟିନମ୍‌ରେ ଏସବୁ ଗହଣା ନିର୍ମାଣ ହୋଇଛି। ଏଥିସହିତ ୧୮ କ୍ୟାରେଟ୍ ସୁନାରେ ଆଇଜିଆଇ ହୀରା ଖଚିତ ଗହଣା ମଧ୍ୟ ସୋରୁମ୍‌ରେ ବିକ୍ରି କରାଯାଉଛି। ଏହି ଗହଣା ଗୁଡ଼ିକରେ ହାର୍ଟ ବା ହୃଦୟର ପ୍ରତୀକ କିମ୍ବା ଇଂରାଜୀରେ ଲଭ୍‌ ଲେଖାଯାଇଛି। ରାଜଧାନୀରେ ଖିମ୍‌ଜୀ, ଲାଲଚାନ୍ଦ୍‌, ଅରୁନ୍ଧତୀ ଭଳି ସୋ’ରୁମ୍‌ରେ ଭଳିକି ଭଳିକି ଡିଜାଇନର ଗହଣା ଭାଲେଣ୍ଟାଇନ ଦିବସ ଉପଲକ୍ଷେ ରଖାଯାଇଛି। ବିଶେଷକରି ଖିମ୍‌ଜୀରେ ଲଭଷ୍ଟ୍ରକ୍ ନାମରେ ଏକ ଭାଲେଣ୍ଟାଇନ୍ କଲେକ୍ସନ ରହିଛି। ଭାଲେଣ୍ଟାଇନ ଦିବସ ପରିପ୍ରେକ୍ଷୀରେ ଏସବୁ ଗହଣାକୁ ପ୍ରଦର୍ଶନ ଓ ବିକ୍ରି କରାଯାଉଛି। ହାଲ୍‌କା ଓଜନରେ ଏଗୁଡ଼ିକ ମିଳୁଛି। ଖିମ୍‌ଜୀରେ ଏହି ଗହଣାଗୁଡ଼ିକର ମୂଲ୍ୟ ୧୧ ହଜାର ଟଙ୍କାରୁ ଆରମ୍ଭ ହୋଇ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

ବାହାଘର ପାଇଁ ବିକ୍ରି ବଢ଼ିଛି
ଏବେ ବାହାଘର ଚାଲିଥିବାରୁ ପ୍ରେମିକପ୍ରେମିକାମାନେ ମଧ୍ୟ ସେମାନଙ୍କ ବିବାହ ଆବଶ୍ୟକତା ପୂରଣ ପାଇଁ ଭାଲେଣ୍ଟାଇନ୍ କଲେକ୍ସନର ଗହଣା କିଣୁଛନ୍ତି। ‌୧୮ କ୍ୟାରେଟ୍ ସୁନା ସମେତ ବିଭିନ୍ନ କ୍ୟାରେଟ୍‌ର ହୀରା ଖଚିତ ଗହଣାକୁ ଗ୍ରାହକମାନେ କିଣୁଛନ୍ତି।
ଯୁବପିଢ଼ିଙ୍କ ପସନ୍ଦ
ଜାତୀୟ ସ୍ତରର ଗହଣା ସୋରୁମ୍ ଗୁଡ଼ିକରେ ମଧ୍ୟ ଭାଲେଣ୍ଟାଇନ ଡେ ପାଇଁ ବିଭିନ୍ନ ପ୍ରକାରର ଗହଣା ଉପଲବ୍ଧ କରାଯାଇଛି। ବିଶେଷତଃ ଯୁବପିଢ଼ି ଭାଲେଣ୍ଟାଇନ ଡେ ପାଇଁ ଅଧିକ ସଂଖ୍ୟାରେ ସୋରୁମ୍‌କୁ ଆସି ଗହଣା କିଣୁଛନ୍ତି। ଏହି ବିକ୍ରି ଭାଲେଣ୍ଟାଇନ ଡେ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୋରୁମ୍‌ ଗୁଡ଼ିକ ମତ ଦେଇଛନ୍ତି।

୫୦୦୦ ଟଙ୍କାରୁ ଆରମ୍ଭ

ପ୍ରିୟ ବ୍ୟକ୍ତିଙ୍କୁ ଉପହାର ଦେବା ପାଇଁ ରହିଥିବା ଗହଣାଗୁଡ଼ିକର ମୂଲ୍ୟ ଭିନ୍ନ ଭିନ୍ନ ରହିଛି। ଗ୍ରାହକଟିଏ ଚାହିଁଲେ ପ୍ରାୟ ୫ ହଜାର ଟଙ୍କା ଦେଇ ସେମାନଙ୍କ ପସନ୍ଦର ଗହଣାଟିଏ ମଧ୍ୟ କିଣିପାରିବେ। ‌ତେବେ ଡିଜାଇନ, ଓଜନ ଏବଂ ଧାତୁ ଅନୁସାରେ ଗହଣାର ମୂଲ୍ୟ ଅଧିକ ରହୁଛି। ଏପରିକି ସୋରୁମ୍‌ଗୁଡ଼ିକରେ ପ୍ଲାଟିନମ କପଲ୍‌ ରିଙ୍ଗ ସେଟ୍‌ ମଧ୍ୟ ବିକ୍ରି କରାଯାଉଛି ଯାହାର ମୂଲ୍ୟ ପାଖାପାଖି ୭୫ ହଜାର ଟଙ୍କାରୁ ୮୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର