୨୦୨୨ରୁ ଉଡ଼ିବ ଝୁନ୍‌ଝୁନ୍‌ୱାଲାଙ୍କ ବିମାନ: ଆକାଶ ଏୟାରକୁ ମିଳିଲା ଏନ୍‌ଓସି

ନୂଆଦିଲ୍ଲୀ: ଦେଶର ଚର୍ଚ୍ଚିତ ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲା ସ୍ଥାପନ କରିଥିବା ନୂଆ ବିମାନ କଂପାନି ଆକାଶ ଏୟାରକୁ କେନ୍ଦ୍ର ସରକାର ଏନ୍‌ଓସି ପ୍ରଦାନ କରିଛନ୍ତି। ଆସନ୍ତା ବର୍ଷ ମଧ୍ୟ ଭାଗରୁ କଂପାନିର ବିମାନ ଆକାଶରେ ଉଡ଼ିବା ଆରମ୍ଭ କରିବ ବୋଲି ଜଣାପଡ଼ିଛି। ନୂଆ ବିମାନ କଂପାନି ସ୍ଥାପନ କରିବା ବିଷୟରେ କିଛିଦିନ ତଳେ ଝୁନ୍‌ଝୁନ୍‌ୱାଲା ଘୋଷଣା କରିଥିଲେ। ଚଢ଼ା ଟିକସ, ମହଙ୍ଗା ତେଲ ଓ ଅନ୍ୟାନ୍ୟ ଶୁଳ୍ପ ଯୋଗୁଁ ଭାରତୀୟ ବିମାନ ଶିଳ୍ପ ବ୍ୟବସାୟ କରିବା ଲାଗି ଦୁନିଆର ସବୁଠୁ କଷ୍ଟକର ବିମାନ ଶିଳ୍ପ ଭାବେ ବିବେଚନା କରାଯାଉଛି। କୌଣସି ସଂସ୍ଥା ଏହି ବଜାରରେ ପ୍ରବେଶ କରିବାକୁ ଆଗ୍ରହ ଦେଖାଉନଥିବା ବେଳେ ନୂଆ ବିମାନ କଂପାନି ସ୍ଥାପନ କରି ଝୁନ୍‌ଝୁନ୍‌ୱାଲା ସାହସିକ ପଦକ୍ଷେପ ଗ୍ରହଣ କରିଛନ୍ତି। କିଛି ଦିନ ତଳେ ସେ ଓ ତାଙ୍କ ପତ୍ନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରତ୍ୟକ୍ଷ ଭାବେ ସାକ୍ଷାତ କରିଥିଲେ।

ଝୁନ୍‌ଝୁନ୍‌ୱାଲାଙ୍କ ବିମାନ କଂପାନିର ନାମ ହେଉଛି ଏନ୍‌ଏନ୍‌ଭି ଆଭିଏସନ୍ ପ୍ରାଇଭେଟ୍ ଲିମିଟେଡ୍‌। ଏହାର ବ୍ରାଣ୍ଡ୍‌ ନାମ ହେଉଛି ଆକାଶ ଏୟାର। ବିମାନ ଚଳାଚଳ ଆରମ୍ଭ କରିବା ଲାଗି ଏହି ସଂସ୍ଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଠାରୁ ଏନ୍‌ଓସି ହାସଲ କରିଛି। ଯାତ୍ରୀମାନଙ୍କୁ ଆରାମଦାୟକ, ଭରସାଯୋଗ୍ୟ ଓ ସୁଲଭ ମୂଲ୍ୟର ଯାତ୍ରା ଅନୁଭୂତି ପ୍ରଦାନ କରିବାକୁ ଆକାଶ ଏୟାର ଲକ୍ଷ୍ୟ ରଖିଛି। ବିମାନ ଉଡ଼ାଣ ଅନୁମତି ହାସଲ କରିବା ଲାଗି କଂପାନି ପକ୍ଷରୁ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ)ଙ୍କ ନିକଟରେ ଏୟାର ଅପରେଟର୍ସ ପର୍‌ମିଟ୍‌ ଲାଗି ଆବେଦନ କରିବାକୁ ପଡ଼ିବ। ଏହି ପର୍‌ମିଟ୍ ମିଳିବା ପରେ ତିନିରୁ ଛଅ ମାସ ମଧ୍ୟରେ କଂପାନିର ବିମାନ ଆକାଶରେ ଉଡ଼ିପାରିବ। ଏନ୍‌ଓସି ଜାରି କରିଥିବାରୁ ଆକାଶ ଏୟାରର ସିଇଓ ବିନୟ ଦୁବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ କୃତଜ୍ଞତା ଜଣାଇଛନ୍ତି। ଆସନ୍ତା ବର୍ଷ ଗ୍ରୀଷ୍ଣ ଋତୁରୁ ଦେଶର ବିଭିନ୍ନ ରୁଟ୍‌ରେ ବିମାନ ଚଳାଚଳ ଆରମ୍ଭ କରିବାକୁ ଆକାଶ ଏୟାର ଲକ୍ଷ୍ୟ ରଖିଛି। ଦେଶର ସବୁ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ବର୍ଗର ଲୋକଙ୍କୁ ବିମାନ ସେବାର ସୁଯୋଗ ପ୍ରଦାନ କରିବାକୁ ଏହି ସଂସ୍ଥା ଲକ୍ଷ୍ୟ ରଖିଛି।

ଏବେ ଦେଶ ଭିତରେ ଏୟାର ଇଣ୍ଡିଆ, ଇଣ୍ଡ‌ିଗୋ, ସ୍ପାଇସ୍‌ଜେଟ୍, ଏୟାରଏସିଆ ଇଣ୍ଡିଆ, ଭିସ୍ତାରା ଓ ଗୋଏୟାର ଭଳି ପ୍ରମୁଖ ସଂସ୍ଥା ଯାତ୍ରୀବାହୀ ବିମାନ ସେବା ପ୍ରଦାନ କରୁଛନ୍ତି। ଆସନ୍ତା ବର୍ଷ ଏହି ତାଲିକାରେ ଦୁଇଟି ସଂସ୍ଥା ଯୋଡ଼ି ହେବେ। ଗୋଟିଏ ଆକାଶ ଏୟାର ହୋଇଥିବା ବେଳେ ଅନ୍ୟଟି ହେଉଛି ଜେଟ୍ ଏୟାରୱେଜ୍। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ୨୦୧୯‌ ଏପ୍ରିଲ୍‌ରେ ଜେଟ୍ ଏୟାରୱେଜ୍ ବନ୍ଦ ହୋଇଯାଇଥିଲା। ଏନ୍‌ସିଏଲ୍‌ଟିରେ ଏହି ମାମଲାର ସମାଧାନ ହେବା ସହ ତାହାକୁ ନିଲାମ କରାଯାଇଛି। କାର୍ଲରକ୍ ଜାଲାନ୍ କନ୍‌ସୋର୍ଟିୟମ୍ ଏହାକୁ ଅଧିଗ୍ରହଣ କରିଛି। ୨୦୨୨ରୁ ଜେଟ୍ ଏୟାରୱେଜ୍‌ର ବିମାନ ସେବା ପୁଣି ଥରେ ଆରମ୍ଭ କରିବା ଲାଗି ନୂଆ ମାଲିକ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର