ଭୂବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର ଲିଃ (ଜେଏସ୍ପିଏଲ୍) ପ୍ରଧାନମନ୍ତ୍ରୀଙ୍କ ପିଏମ୍-କେୟାର୍ସ୍ ଫଣ୍ଡକୁ ୨୫ କୋଟି ଟଙ୍କା ପ୍ରଦାନ କରିବ ବୋଲି ଘୋଷଣା କରିଛି। କୋଭିଡ – ୧୯ ମହାମାରୀ ବିରୋଧରେ ଭାରତର ସଂଗ୍ରାମକୁ ସାହାଯ୍ୟ କରିବା ପାଇଁ ଜେଏସ୍ପିଏଲ୍ ପିଏମ୍-କେୟାର୍ସ୍ ଫଣ୍ଡକୁ ୨୫ କୋଟି ଟଙ୍କା ଦେବ। କୋଭିଡ – ୧୯ ବିରୋଧରେ ଦେଶର ଲଢ଼େଇରେ ଆମେ ଯଥା ସମ୍ଭବ ସାହାଯ୍ୟ କରିବୁ ବୋଲି ଜେଏସ୍ପିଏଲ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି। ଓ.ପି. ଜିନ୍ଦଲ ଗ୍ରୁପ୍ର ପ୍ରତିଷ୍ଠାତା ଓମ୍ ପ୍ରକାଶ ଜିନ୍ଦଲଙ୍କ ୧୫ତମ ଶ୍ରାଦ୍ଧ ଦିବସରେ ଜେଏସ୍ପିଏଲ୍ ପକ୍ଷରୁ ଏହା ଘୋଷଣା କରାଯାଇଛି।
ଏହା ବ୍ୟତୀତ, ଜେଏସ୍ପିଏଲ୍ର ସାମାଜିକ ଦାୟିତ୍ୱବୋଧ ଅନୁଷ୍ଠାନ ଜେଏସ୍ପିଏଲ୍ ଫାଉଣ୍ଡେସନ ପକ୍ଷରୁ ଏହାର ବିଭିନ୍ନ କାରଖାନା ନିକଟରେ ଥିବା ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ଯୋଗାଇ ଦେଉଛି । ବର୍ତମାନ ସୁଧା ୩୦୦୦ରୁ ଅଧିକ ମିଲ୍ସ/ ରନ୍ଧା ଖାଦ୍ୟ ପ୍ୟାକେଟ୍ ଓଡିଶା, ଛତିଶଗଡ ଏବଂ ଝାଡ଼ଖଣ୍ଡର ବିଭିନ୍ନ ଗ୍ରାମରେ ଜେଏସ୍ପିଏଲ୍ ଫାଉଣ୍ଡେସନ ବଣ୍ଟନ କରିସାରିଛି। କରୋନା ମୁକାବିଲା ପାଇଁ ଜେଏସ୍ପିଏଲ୍ ତାର ବିଭିନ୍ନ ଡାକ୍ତରଖାନାରେ ଅଧିକ ଭେଣ୍ଟିଲେଟର ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇଦେଇ ଏହି ଡାକ୍ତରଖାନା ଗୁଡିକର ଉନ୍ନତୀକରଣ କରୁଛି । ଏହି ଡାକ୍ତରଖାନା ଗୁଡିକରେ କମ୍ପାନି ପକ୍ଷରୁ କ୍ୱାରାଣ୍ଟିନ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ମାସ୍କ ତିଆରି କରିବା ପାଇଁ କମ୍ପାନି ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ଆବଶ୍ୟକୀୟ ପ୍ରଶିକ୍ଷଣ ଓ ମେସିନ୍ ଦିଆଯାଇ ନିଯୁକ୍ତ କରାଯାଇଛି । ଏବେ ସୁଦ୍ଧା ଏକ ଲକ୍ଷରୁ ଅଧିକ ମାସ୍କ ତିଆରି କରାଯାଇ ଏବଂ ସେଗୁଡ଼ିକର ଅଲ୍ଟ୍ରାଭାଓଲେଟ୍ ଉପଚାର ପରେ ସ୍ଥାନୀୟ ବାସିନ୍ଦା, କର୍ମଚାରୀ, ଶ୍ରମିକ ଓ ଟ୍ରକ୍ ଡ୍ରାଇଭର ଆଦି ବିଭିନ୍ନ ଲୋକଙ୍କୁ ବଣ୍ଟାଯାଇଛି। ଶାଲ୍ଲୁ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜେଏସ୍ପିଏଲ୍ ଫାଉଣ୍ଡେସନ ସ୍ଥାନୀୟ ଗ୍ରାମଗୁଡିକରେ ମାସ୍କ, ସାନିଟାଇଜର, ହାଣ୍ଡୱାସ ଏବଂ ଅନ୍ୟାନ୍ୟ ସ୍ୱଚ୍ଛତା ସାମଗ୍ରୀ ପ୍ରଦାନ କରିବା ପାଇଁ ପ୍ରଚେଷ୍ଟା କରୁଛି।