ଭୁବନେଶ୍ବର: ବି ସି ଜିନ୍ଦଲ ଗ୍ରୁପ୍ର ସଂସ୍ଥା ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ଓଡ଼ିଶା ପାଇଁ ବୃହତ୍ ଯୋଜନା ରଖିଛି। କମ୍ପାନି ୨୦୩୦ ସୁଦ୍ଧା ରାଜ୍ୟରେ ୧୫ହଜାର କୋଟି ଟଙ୍କା ନିବେଶ କରିବାକୁ ଚାହୁଛି। କମ୍ପାନିର ସହାୟକ ସଂସ୍ଥା ଜିନ୍ଦଲ ଇଣ୍ଡିଆ ଷ୍ଟିଲ୍ ଟେକ୍ ଲିମିଟେଡ୍ ଓଡ଼ିଶାରେ ୩୬୦୦ କୋଟି ଟଙ୍କା ନିବେଶରେ ଢେଙ୍କାନାଳ ଜିଲ୍ଲାରେ ଏକ ଇସ୍ପାତ କାରଖାନା ବସାଇବାକୁ ଯାଉଛି। ସେହି ପ୍ରକଳ୍ପକୁ ନିକଟରେ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍ଏଲ୍ସିଏ) ବୈଠକରେ ଅନୁମୋଦନ ମିଳିଥିଲା। ଏହି ପ୍ରକଳ୍ପ ପାଇଁ କମ୍ପାନି ମଞ୍ଜୁରି ପତ୍ର ହାସଲ କରିଥିବା ଘୋଷଣା କରିଛି। ଜିନ୍ଦଲ (ଇଣ୍ଡିଆ) ୨୦୩୦ ସୁଦ୍ଧା ଓଡ଼ିଶା କାରଖାନାର ଉତ୍ପାଦନ କ୍ଷମତାକୁ ୩୦ ଲକ୍ଷ ଟନ୍ରେ ପହଞ୍ଚାଇବାକୁ ଯୋଜନା ରଖିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ୯.୬ ଲକ୍ଷ ଟନ୍ର କାରଖାନା ବସାଇବ ଯାହା ୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି। ସେଥିରେ କମ୍ପାନି ସ୍ବତନ୍ତ୍ର କୋଟେଡ୍ ଇସ୍ପାତ ଉତ୍ପାଦ ନିର୍ମାଣ କରିବ। କାରଖାନାରେ ଇସ୍ପାତ ସିଟ୍ ପାଇଁ କୋଲ୍ଡ ରୋଲିଂ ମିଲ୍ ଓ କଲର୍ କୋଟିଂ ଲାଇନ୍ ରହିବ।
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କମ୍ପାନି କ୍ଷମତା ସମ୍ପ୍ରସାରଣରେ ୧୫୦୦ କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଥିଲା। ସେହି କାର୍ଯ୍ୟଗୁଡ଼ିକ ଚଳିତ ଆର୍ଥିକ ବର୍ଷରେ ଶେଷ ହେବ ବୋଲି କମ୍ପାନି ଆଶା କରୁଛି। କମ୍ପାନି ପକ୍ଷରୁ ବାର୍ଷିକ ୨ ଲକ୍ଷ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଇସ୍ପାତ ପାଇପ୍ କାରଖାନା ମଧ୍ୟ ସ୍ଥାପନ କରିବା ଯୋଜନା ରହିଛି। କମ୍ପାନିର ପ୍ରବକ୍ତା କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଓ ବିକଶିତ ଭାରତ ଅଭିଯାନକୁ ଦୃଷ୍ଟିରେ ରଖି କମ୍ପାନି ଏହି ପ୍ରକଳ୍ପ ଘୋଷଣା କରିଛି। ନୂଆ କାରଖାନା ଦ୍ବାରା ଆମଦାନି ଉପରେ ନିର୍ଭରଶୀଳତା କମ୍ ହେବ ଏବଂ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପ ଜରିଆରେ କମ୍ପାନି ଓଡ଼ିଶାରେ ଏହାର ଉପସ୍ଥିତିକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି।