ଜ୍ୟାକ୍ ମା’ଙ୍କ ନିବେଶକଙ୍କୁ ନେଇ ଚିନ୍ତିତ ଥିଲେ ଜିନ୍‌ପିଙ୍ଗ୍‌, ରାଜନୈତିକ ପରିବାର ଲୋକ ନିବେଶ କରିଥିଲେ

ଜିନ୍‌ପିଙ୍ଗ୍‌ଙ୍କ ଦୁର୍ନୀତି ବିରୋଧରେ ଅଭିଯାନ ଚଲାଇଥିଲେ

ନୂଆଦିଲ୍ଲୀ: ଗତବର୍ଷ ଶେଷ ଆଡ଼କୁ ଚୀନ୍‌ର ଅନ୍ୟତମ ପ୍ରମୁଖ ଧନୀ ବ୍ୟକ୍ତି ଆଲିବାବା ଗ୍ରୁପ୍‌ର ମୁଖ୍ୟ ଜ୍ୟାକ୍‌ ମା’ଙ୍କ ଅନ୍ୟ ଏକ କଂପାନି ଆଣ୍ଟ୍‌ ଗ୍ରୁପ୍‌ର ଆଇପିଓକୁ ଚୀନ୍ ସରକାର ହଠାତ୍‌ ରଦ୍ଦ କରିଦେଇଥିଲେ। ଏହାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ହୋଇଥିଲା। ଏଭଳି ପଦକ୍ଷେପ ଯୋଗୁଁ ଜ୍ୟାକ୍ ମା’ ବିରକ୍ତି ପ୍ରକାଶ କରିବା ସହିତ ଚୀନ୍ ସରକାରଙ୍କ ନୀତିକୁ ଖୋଲାଖୋଲି ଭାବେ ସମାଲୋଚନା କରିଥିଲେ। ଏହାର କିଛି ମାସ ପରେ ଜ୍ୟାକ୍‌ଙ୍କୁ ଆଉ ଦେଖିବାକୁ ମିଳିନଥିଲା। ତାଙ୍କୁ ବନ୍ଦୀ କରାଯାଇଛି ବୋଲି ଆଲୋଚନା ହୋଇଥିଲା। ତେବେ ଗତ ଜାନୁଆରି ୨୦ରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଥିଲା। ତାଙ୍କର ଏକ ଭିଡିଓ ଜାରି ହୋଇଥିଲା ଯେଉଁଥିରେ ସେ ଶିକ୍ଷକମାନଙ୍କୁ ନେଇ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଉଥିବା ଦେଖାଯାଇଥିଲା। ଚୀନ୍ ସରକାରଙ୍କ କାହିଁକି ଏଭଳି କଠୋର ପଦକ୍ଷେପ ନେଇଥିଲେ ତାହାର କାରଣ ବିଷୟରେ ‘ଦି ୱାଲ୍ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ରେ ଏକ ଖବର ପ୍ରକାଶ ପାଇଛି।

ଏଥିରେ କୁହାଯାଇଛି ଯେ ଜ୍ୟାକ୍‌ଙ୍କ କଂପାନି ଆଣ୍ଟ୍ ଗ୍ରୁପ୍‌ରେ ଏଭଳି କିଛି ବ୍ୟକ୍ତି ନିବେଶ କରିଥିଲେ ଯେଉଁମାନଙ୍କ ସିଧାସଳଖ ସମ୍ପର୍କ ଚୀନ୍ ସରକାରଙ୍କ ସହିତ ରହିଛି। ସେମାନେ ଆର୍ଥିକ ସ୍ତରରେ ଆହୁରି ଶକ୍ତିଶାଳୀ ହୁଅନ୍ତୁ ବୋଲି ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଚାହୁନଥିଲେ। ଆଣ୍ଟ୍‌ ଗ୍ରୁପ୍‌ର କିଛି ନିବେଶକଙ୍କ ସମ୍ପର୍କ ଚୀନ୍‌ର ରାଜନୈତିକ ପରିବାର ସହିତ ରହିଛି। ଭବିଷ୍ୟତରେ ସେମାନେ ଜିନ୍‌ପିଙ୍ଗ୍‌ଙ୍କ ପ୍ରତି ବିପଦ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ବୋୟ‌ୋ କ୍ୟାପିଟାଲ୍ ନାମକ ଏକ ସଂସ୍ଥା ଆଣ୍ଟ୍‌ ଗ୍ରୁପ୍‌ର ପୁଞ୍ଜିନିବେଶ କରିଛି ଯାହାକୁ ଚୀନ୍‌ର ପୂର୍ବତନ ନେତା ଜିଆଙ୍ଗ୍‌ ଜେମିନ୍ ସ୍ଥାପନ କରିଛନ୍ତି। ଜିନ୍‌ପିଙ୍ଗ୍‌ଙ୍କ ଦୁର୍ନୀତି ବିରୋଧରେ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ସେଥିର ଜଣେ ପ୍ରମୁଖ ସଦସ୍ୟ ଥିଲେ ଜେମିନ୍। ସେଥିପାଇଁ ସରକାର ଜ୍ୟାକ୍‌ଙ୍କ କଂପାନିର ଆଇପିଓ ରଦ୍ଦ କରିଥିଲେ।

ସମ୍ବନ୍ଧିତ ଖବର