ଟେଲିକମ୍ ବିଭାଗର ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲା : ଏକ୍ସଭିଡିଓଜ୍‌ ଓ ପର୍ଣ୍ଣ ହବ୍‌ ପରି ୮୨୭ ପର୍ଣ୍ଣ ସାଇଟ୍‌ ବନ୍ଦ

ମୁମ୍ବାଇ: ଭାରତରେ ରହିଥିବା ଶହ ଶହ ଲୋକପ୍ରିୟ ପର୍ଣ୍ଣ ସାଇଟ୍‌ଗୁଡ଼ିକ ବନ୍ଦ ହୋଇଯାଇଛି। ଏକ୍ସଭିଡିଓଜ୍‌ ଓ ପର୍ଣ୍ଣ ହବ୍‌ ପରି ସାଇଟ୍‌ଗୁଡ଼ିକୁ ରିଲାଏନ୍ସ ଜିଓ ବନ୍ଦ କରିଥିବା ଜାଣିବାକୁ ମିଳିଛି। ଏଯାବତ୍‌ ସ୍ପଷ୍ଟ ହୋଇନାହିଁ ଯେ ପ୍ରକୃତରେ କ’ଣ ଘଟିଛି। ମାତ୍ର ରେଡିଟ୍‌ର କେତେକ ଜିଓ ବ୍ୟବହାରକାରୀ ଅଭିଯୋଗ ଆଣିଛନ୍ତି ଯେ ସେମାନେ ସର୍ଚ କରୁଥିବା ପର୍ଣ୍ଣ ସାଇଟ୍‌ଗୁଡ଼ିକ ଆଉ ଜିଓ ନେଟ୍‌ଓ୍ଵାର୍କରେ ଦେଖିବାକୁ ମିଳୁନାହିଁ। କେବଳ ଜିଓ ନୁହେଁ, ଅନ୍ୟ ଟେଲିକମ୍ କମ୍ପାନି ମଧ୍ୟ ପର୍ଣ୍ଣ  ସାଇଟ୍‌ଗୁଡ଼ିକୁ ବନ୍ଦ କରିଥିବା ଜଣାପଡ଼ିଛି।

ଏ ସଂପର୍କରେ ଜଣେ ବ୍ୟବହାରକାରୀ ରେଡିଟ୍‌ ଜରିଆରେ କହନ୍ତି, ‘ମୁଁ ପର୍ଣ୍ଣ ସାଇଟ୍‌ରେ କିଛି ଲୋଡ୍‌ କରିବା ଉଦେଶ୍ୟରେ ସାଇଟ୍‌ ଖୋଲିଥିଲି। ମାତ୍ର ଜିଓ ନେଟ୍‌ଓ୍ଵର୍କରେ ତାହା ଲୋଡ୍‌ ହୋଇପାରିଲା ନାହିଁ। ଏହା କେବଳ ମୋ କ୍ଷେତ୍ରରେ ହେଉଛି ନା ଆପଣମାନେ ବି ସମାନ ସମସ୍ୟା ସାମ୍ନା କରୁଛନ୍ତି?’

ତାଙ୍କର ଏହି ରେଡିଟ୍‌ ପୋଷ୍ଟରେ ଶହ ଶହ ଲୋକ ଉତ୍ତର ରଖି ସେମାନେ ବି ଏହି ସମସ୍ୟାକୁ ସାମ୍ନା କରୁଛନ୍ତି ବୋଲି କହିଛନ୍ତି। ଆହୁରି କେତେକ ବ୍ୟବହାରକାରୀ ଜିଓ ନେଟ୍‌ଓ୍ଵାର୍କରେ ପର୍ଣ୍ଣ ସାଇଟ୍‌ ଖୋଲିବା ପାଇଁ ଭିପିଏନ୍‌ ବ୍ୟବହାର କରିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି। ଏଥିରୁ ଜଣାପଡୁଛି ଯେ କେବଳ ଆଞ୍ଚଳିକ ଓ ଆଇଏସ୍‌ପି ସ୍ତରରେ ଏହି ବନ୍ଦ ହୋଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଉତ୍ତରାଖଣ୍ଡ ହାଇକୋର୍ଟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ ଇଲେକ୍‌ଟ୍ରୋନିକ୍ସ ମନ୍ତ୍ରାଳୟକୁ ୮୨୭ ପର୍ଣ୍ଣ ସାଇଟ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ  ଟେଲିକମ୍  ବିଭାଗ ପକ୍ଷରୁ ଦେଶର ସମସ୍ତ ଟେଲିକମ୍ କମ୍ପାନିଙ୍କୁ ପର୍ଣ୍ଣ ସାଇଟ୍‌ ବନ୍ଦ ପାଇଁ କୁହାଯାଇଥିଲା। ଏହାକୁ ରିଲାଏନ୍ସ ଜିଓ ଓ  ଅନ୍ୟ କମ୍ପାନି  କାର୍ଯ୍ୟକାରୀ କରିଛନ୍ତି।

ସମ୍ବନ୍ଧିତ ଖବର