ମୁମ୍ବାଇ: ଭାରତୀୟ ଅର୍ଥନୀତି ଏବଂ ସାମାଜରେ ଡିଜିଟାଲ ପରିବର୍ତ୍ତନକୁ ଅଧିକ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସହଯୋଗୀ ଉଦ୍ୟୋଗ ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍(ଜିଓ) ଏବଂ ମାଇକ୍ରୋସଫ୍ଟ କର୍ପୋରେସନ ଏକ ବ୍ୟାପକ, ନିଆରା ଏବଂ ଦୀର୍ଘସୂତ୍ରୀ କୌଶଳଗତ ମିଳିତ ଉଦ୍ୟମ ପାଇଁ ବୁଝାମଣା କରିଛନ୍ତି । ଭାରତରେ ବ୍ୟବସାୟିକ କ୍ଷେତ୍ରରେ ଆବଶ୍ୟକୀୟ କନେକ୍ଟିଭିଟି,କମ୍ପ୍ୟୁଟିଂ, ଷ୍ଟୋରେଜ୍ ସଲ୍ୟୁସନ୍ ଏବଂ ଅନ୍ୟାନ୍ୟ ବୈଷୟିକ ସେବା କ୍ଷେତ୍ରରେ ଏହି ଦୁଇ ବିଶ୍ୱସ୍ତରୀୟ କମ୍ପାନୀ ମିଳିତ ଭାବେ ଆଗାମୀ ୧୦ ବର୍ଷ ପାଇଁ ଉନ୍ନତ ଏବଂ ଅତ୍ୟାଧୁନିକ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ଏଥିସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ନିଜସ୍ୱ ବ୍ୟବସ୍ଥା ଏବଂ ଏହାର ପ୍ରଚଳିତ ଓ ନୂତନ ବ୍ୟବସାୟକୁ ସଂପ୍ରସାରିତ କରିବା କ୍ଷେତ୍ରରେ ମଧ୍ୟ ଏହି ମିଳିତ ଉଦ୍ୟମ କାର୍ଯ୍ୟ କରିବ ବୋଲି କୁହାଯାଇଛି ।
ଏହି ମିଳିତ ଉଦ୍ୟମ ମାଧ୍ୟମରେ ଜିଓ ଏବଂ ମାଇକ୍ରୋସଫ୍ଟ ଦେଶର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗମାନଙ୍କୁ ଡାଟା ବିଶ୍ଲେଷଣ, ଏଆଇ, କଗ୍ନିଟିଭ୍ ସେବା, ବ୍ଳକ୍ ଚେନ୍,ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଭଳି ଅତ୍ୟାଧୁନିକ ବୈଷୟିକ କୌଶଳ ଯୋଗାଇ ଦେଇ ସେମାନଙ୍କୁ ଅଧିକ ପ୍ରତିଦ୍ୱନ୍ଦ୍ୱିମୁଖୀ କରିବା ସହ ଅଭିବୃଦ୍ଧି ପାଇଁ ସହଯୋଗ କରିବେ । ଏହାଦ୍ୱାରା ଭାରତରେ ଉନ୍ନତ ବୈଷୟିକ କୌଶଳକୁ ଆଧାର କରି ଏହାର ଜିଡିପି ଅଭିବୃଦ୍ଧି ପାଇଁ ବାଟ ଖୋଲିବା ସହିତ ପରବର୍ତ୍ତୀ ପିଢି ପାଇଁ ବୈଷୟିକ କ୍ଷେତ୍ରରେ ଉତ୍ତମ ସମାଧାନ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହେବ । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିର ଅଂଶ ଭାବେ ଜିଓ ଏହାର କ୍ଲାଉଡ୍ ଆଧାରିତ ଉତ୍ପାଦକତା ସହିତ ଆଭ୍ୟନ୍ତରୀଣ ମାନବସମ୍ବଳ ଯୋଗାଇଦେବ ଏବଂ ମାଇକ୍ରୋସଫ୍ଟ ୩୬୫ ବ୍ୟବସ୍ଥାରେ ଉପଲବ୍ଧ ଟୁଲ୍ସର ସହାୟତା ନେବ । ଏହାଛଡା ଜିଓ ଏହାର ଅଣ ନେଟୱାର୍କ ସେବାକୁ ମାଇକ୍ରୋସଫ୍ଟ ଏଜୁଅର କ୍ଲାଉଡ ପ୍ଲାଟଫର୍ମକୁ ରପାନ୍ତରିତ କରିବ । ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଜିନିଷ ଏବଂ ପ୍ରତ୍ୟେକ ସ୍ଥାନକୁ ସଂଯୋଗ କରିବା ପାଇଁ ଜିଓ’ର କନେକ୍ଟିଭିଟି ଭିତ୍ତିଭୂମି କାର୍ଯ୍ୟ କରୁଥିବା ବେଳେ ଏହାର କ୍ଲାଉଡ୍ ଫାଷ୍ଟ କୌଶଳ ନୀତି ଅନ୍ତର୍ଗତ ବର୍ଦ୍ଧିତ ଇକୋସିଷ୍ଟମ୍ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ମାଇକ୍ରୋସଫ୍ଟ ଅଜୁଅର୍ କ୍ଲାଉଡ୍ ପ୍ଲାଟଫର୍ମକୁ ଆପଣେଇବା ପାଇଁ ପ୍ରୋତ୍ସହିତ କରିବ । ସର୍ବଭାରତୀୟସ୍ତରରେ ଜିଓ ଡାଟା ସେଣ୍ଟର ପ୍ରତିଷ୍ଠା କରିବ ଯେଉଁଥିରେ ପରବର୍ତ୍ତୀ ପିଢିର କମ୍ପୁ୍ଟିଂ ବ୍ୟବସ୍ଥା, ଷ୍ଟୋରେଜ୍ ଏବଂ ନେଟୱର୍କିଂ କ୍ଷମତା ଅଧିକ ରହିବ ଏବଂ ମାଇକ୍ରୋସଫ୍ଟ ପକ୍ଷରୁ ଏଗୁଡିକରେ ଆଜୁଅର ପ୍ଲାଟଫର୍ମରେ କାର୍ଯ୍ୟ କରାଯାଇ ଜିଓ ପକ୍ଷରୁ ଯୋଗାଇ ଦିଆଯାଉଥିବା ସେବାକୁ ସୁଦୃଢ କରାଯିବ । ପ୍ରଥମେ ଗୁଜରାଟ ଏବଂ ମହାରାଷ୍ଟ୍ରରେ ଦୁଇଟି ଡାଟା ସେଣ୍ଟର ପ୍ରତିଷ୍ଠା କରାଯିବ ଯେଉଁଥିରେ ୭.୫ ମେଗାୱାଟ ପର୍ଯ୍ୟନ୍ତ ବିଦ୍ୟୁତ ଉପଯୋଗ କରିପାରୁଥିବା ଆଇଟି ସରଞ୍ଜାମ ରହିପାରିବ ।
୨୦୨୦ ସୁଦ୍ଧା ଏହି ଦୁଇଟି ସେଣ୍ଟରକୁ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଭାରତୀୟ ବ୍ୟବସାୟୀମାନଙ୍କ ପାଇଁ ଆବଶ୍ୟକ ପଡୁଥିବା କ୍ଲାଉଡ ଆଧାରିତ ବ୍ୟବସ୍ଥା ନିମନ୍ତେ ଜିଓ ମାଇକ୍ରୋସଫ୍ଟ ଆଜୁଅର ପ୍ଲାଟଫର୍ମର ସହାୟତା ନେବ । ଜିଓ ଦ୍ୱାରା ବିକଶିତ ଏହି ଉନ୍ନତ ସମାଧାନ ବ୍ୟବସ୍ଥାରେ ଭାରତୀୟ ଷ୍ଟାର୍ଟଅପଗୁଡ଼ିକ ଦକ୍ଷ ଏବଂ ସୁଲଭ ମୂଲ୍ୟରେ କ୍ଲାଉଡ ଭିତ୍ତିଭୂମି ଓ ପ୍ଲାଟଫର୍ମ ସେବା ଉପଲବ୍ଧ ହୋଇପାରିବ । ଏହାଦ୍ୱାରା ଜଣେ ନୂତନ ତଥା ଅଭିନବ ଉପାୟରେ ଉତ୍ପାଦନ ବଢାଇବା ସହିତ ତ୍ୱରିତ ସେବା କମ୍ ମୂଲ୍ୟରେ ଉପଲବ୍ଧ କରିପାରିବେ । ଭାରତରେ କ୍ଷୁଦ୍ର ଏବଂ ମଧ୍ୟମ କ୍ଷେତ୍ରର ଉଦ୍ୟୋଗୀମାନଙ୍କୁ ଅଫିସ୍ ୩୬୫ ଭଳି ବିଜିନେସ୍ ଆପ୍ଲିକେସନ ସହ ବିଭିନ୍ନ ଧରଣର କ୍ଲାଉଡ ଆଧାରିତ ଉତ୍ପାଦ ଉପଲବ୍ଧ ହୋଇପାରିବ ଯଦ୍ୱାରା ସେମାନେ ବଜାରଭତ୍ତିକ ପ୍ରତିଦ୍ୱନ୍ଦ୍ୱିତାରେ ଅଗ୍ରଣୀ ହୋଇପାରିବେ । ବଡ଼ ବଡ଼ କମ୍ପାନୀମାନେ ମଧ୍ୟ ଜିଓ’ର ଏହି ନୂତନ ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କ ଡିଜିଟାଲ ବ୍ୟବସ୍ଥାର ସଂପ୍ରସାରଣ କରିପାରିବେ । ଏହି ବ୍ୟବସ୍ଥା ମାଧ୍ୟମରେ ଜିଓ ଏହାର ଗ୍ରାହକମାନଙ୍କୁ ଆହୁରି ନୂତନ ଉତ୍ପାଦ ଯୋଗାଇ ଦେବା ସହିତ ଏହାର ବ୍ୟବସାୟକୁ ମଧ୍ୟ ଆଗକୁ ବଢାଇପାରିବ ।
ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଦଶକ ମୁକେଶ ଅମ୍ବାନୀ କହିଛନ୍ତି ଯେ, ପ୍ରତ୍ୟେକ ଭାରତୀୟଙ୍କୁ ବୈଷୟିକ ବ୍ୟବହାରିକ କ୍ଷେତ୍ରରେ ସହଯୋଗ କରିବା ନେଇ ମାଇକ୍ରୋସଫ୍ଟ ସହ ଜିଓ ଅଂଶୀଦାର ହେବା ଆମକୁ ଆନନ୍ଦିତ କରିଛି । ଭାରତର କ୍ଷୁଦ୍ର ଏବଂ ବୃହତ ଉଦ୍ୟୋଗ କ୍ଷେତ୍ର ପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରିବା କ୍ଷେତ୍ରରେ ଏଭଳି ଦୁଇଟି ବୃହତ କମ୍ପାନୀର ପ୍ରଥମ ମିଳିତ ଉଦ୍ୟମ ଏବଂ ଅଦ୍ୱିତୀୟ । ଅପେକ୍ଷାକୃତ କମ୍ ମୂଲ୍ୟରେ କ୍ଲାଉଡ ଆଧାରିତ ଉନ୍ନତ ଡିଜିଟାଲ ସେବା ପାଇଁ ରହିଥିବା ଜିଓ’ର ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ମାଇକ୍ରୋସଫ୍ଟର ଆଜୁଅର କ୍ଲାଉଡ ପ୍ଲାଟଫର୍ମ ଭାରତୀୟ ଅର୍ଥନୀତିକୁ ଡିଜିଟାଲାଇଜେସନ କରାଇବାରେ ସହାୟକ ହେବା ସହିତ ଭାରତୀୟ ବ୍ୟବସାୟୀମାନେ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ହୋଇପାରିବେ ବୋଲି ଶ୍ରୀ ଅମ୍ବାନୀ କହିଛନ୍ତି ।
ସେହିଭଳି ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା କହିଛନ୍ତି ଯେ, ସର୍ବଭାରତୀୟସ୍ତରରେ ବିଭିନ୍ନ ଅନୁଷ୍ଠାନମାନଙ୍କୁ ଅତ୍ୟାଧୁନିକ ବୈଷୟିକ ସେବା ଯୋଗାଇ ଦେବା ନେଇ ଆମେ ଉତ୍ତମ ସୁଯୋଗ ପାଇଛୁ । ଆଜୁଅର ସହ ଜିଓର କନେକ୍ଟିଭିଟି ଓ ଡିଜିଟାଲ ବ୍ୟବସ୍ଥା କମ୍ପ୍ୟୁଟ, ଷ୍ଟୋରେଜ୍, ପ୍ରଡକ୍ଟିଭିଟି କ୍ଷେତ୍ରରେ ଦେଶରେ ଚାଲୁ ରହିଥିବା ଲକ୍ଷ ଲକ୍ଷ ବ୍ୟବସାୟ ପାଇଁ ଏକ ସଶକ୍ତ ଉପକରଣ ଭାବେ ପ୍ରତିଷ୍ଠା ଲାଭ କରିପାରିବ ।