ଜିଓ-ଫେସ୍‌ବୁକ୍‌ ବୁଝାମଣା : ୪୩୫୭୪ କୋଟି ନିବେଶ କଲା ଫେସ୍‌ବୁକ୍‌

କିଣିଲା ୧୦% ଅଂଶଧନ, ମୁକେଶଙ୍କ ସହ ଯୋଡ଼ିହେଲେ ଜୁକରବର୍ଗ, ହ୍ବାଟସ୍‌ଆପ୍-ଜିଓମାର୍ଟ‌ ବୁଝାମଣା

ନୂଆଦିଲ୍ଲୀ : ଇଣ୍ଟରନେଟ୍‌ ଜଗତର ଦୁଇ ପ୍ରମୁଖ କଂପାନି ଫେସବୁକ୍ ଓ ରିଲାଏନ୍ସ ଜିଓ ପରସ୍କର ସହ ହାତ ମିଳାଇଛନ୍ତି। ଫେସବୁକ୍ ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୪୩,୫୭୪ କୋଟି ଟଙ୍କା ନିବେଶ କରାଯିବ। ଏନେଇ ଆଜି ଦୁଇ କଂପାନି ତରଫରୁ ଘୋଷଣା କରାଯାଇଛି। ଭାରତ କୌଣସି ପ୍ରଯୁକ୍ତି କଂପାନିରେ ଏହା ହେଉଛି ସର୍ବବୃହତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ)। ଏହି ନିବେଶ ଜରିଆରେ ଜିଓର ପ୍ରାୟ ୧୦ ପ୍ରତିଶତ ଅଂଶଧନକୁ ଫେସବୁକ୍ କିଣିବ। ଏହି ବୁଝାମଣା ସଫଳତା ଏବେ ବିଭିନ୍ନ ପ୍ରକାର ମଞ୍ଜୁରି ଓ ଅନୁମୋଦନ ଉପରେ ନିର୍ଭର କରୁଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କୁହାଯାଇଛି ଯେ, ଜିଓ ପ୍ଲାଟଫର୍ମସ୍‌ର ମୂଲ୍ୟକୁ ୪.୬୨ ଲକ୍ଷ ଟଙ୍କା ଭାବେ ହିସାବ କରି ୧୦% ଅଂଶଧନ କିଣିବା ଲାଗି ଫେସବୁକ୍ ୪୩,୫୭୪ କୋଟି ଟଙ୍କା ନିବେଶ କରିବ। ଡଲାରର ବିନିମୟ ମୂଲ୍ୟକୁ ୭୦ ଟଙ୍କା ଭାବେ ଗ୍ରହଣ କରି ଏହି ହିସାବ କରାଯାଇଛି। ଜିଓ ପ୍ଲାଟଫର୍ମସ୍‌ ହେଉଛି ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଏକ ସମ୍ପୂର୍ଣ୍ଣ ସହଯୋଗି ସଂସ୍ଥା। ଫେସବୁକ୍ ସହିତ ହୋଇଥିବା ବୁଝାମଣା ମୁକେଶ ଅମ୍ବାନିଙ୍କ ମୂଳ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଋଣ ବୋଝ ହାଲୁକା କରିବାରେ ସହାୟକ ହୋଇପାରିବ। ମୁକେଶ ଏବେ ନିଜର ପ୍ରତିଟି ବ୍ୟବସାୟରେ ଗୁରୁତ୍ବପୂର୍ଣ୍ଣ ସହଯୋଗିତା ଲୋଡ଼ୁଛନ୍ତି। ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ତରଫରୁ ସାଉଦି ଆରାମ୍‌କୋକୁ ୧୫୦୦ କୋଟି ଡଲାରରେ ୨୦ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଆଲୋଚନା ଚାଲିଥିଲା। ସେହିପରି, ତୈଳର ଖୁଚୁରା ବିକ୍ରିକୁ ନେଇ ବିପି ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବୁଝାମଣା କରିଛି। ଏହି ବଡ଼ ଧରଣର ବୁଝାମଣା ସହିତ ମୁକେଶଙ୍କ ଅନ୍ୟତମ କଂପାନି ରିଲାଏନ୍ସ ରିଟେଲ୍‌ ପକ୍ଷରୁ ଜିଓମାର୍ଟ ଇ-କମର୍ସ ବ୍ୟବସ୍ଥା ପାଇଁ ହ୍ବାଟସ୍‌ଆପ୍ ସହିତ ମଧ୍ୟ ଏକ ବାଣିଜ୍ୟିକ ବୁଝାମଣା ସ୍ବାକ୍ଷର କରାଯାଇଛି। ଫେସବୁକ୍ ଓ ଜିଓ ମଧ୍ୟରେ ସ୍ବାକ୍ଷର ହୋଇଥିବା ବୁଝାମଣା ଉଭୟ ସଂସ୍ଥା ପାଇଁ ଲାଭଦାୟକ ହେବ। ଭାରତରେ ୪୦ କୋଟିରୁ ଅଧିକ ହ୍ବାଟସ୍‌ଆପ୍ ବ୍ୟବହାରକାରୀ ରହିଥିବା ବେଳେ ଏହାର ମୂଳ ମାଲିକ ଫେସବୁକ୍ ତରଫରୁ ଭାରତରେ ହ୍ବାଟସ୍‌ଆପ୍ ପେମେଣ୍ଟ୍ ସେବା ଆରମ୍ଭ କରିବାକୁ ପ୍ରୟାସ କରାଯାଉଛି। ଜିଓ ଜରିଆରେ ଏହା ଅଧିକ ଭାରତୀୟଙ୍କ ପାଖରେ ପହଞ୍ଚିପାରିବ। ସେହିପରି ଫେସବୁକ୍ ପାଖରେ୍ତିର ଯେଉଁ ଭଣ୍ଡାର ରହିଛି ତାହାକୁ ଜିଓ ବ୍ୟବହାର କରି ଲାଭବାନ ହେବ। ଟେଲିକମ୍ କ୍ଷେତ୍ରରେ ରିଲାଏନ୍ସ ଜିଓ ଜବରଦସ୍ତ ହିଟ୍ ସାବ୍ୟସ୍ତ ହୋଇଛି। କାରବାର ଆରମ୍ଭ କରିବାର ସାଢ଼େ ତିନି ବର୍ଷ ଭିତରେ ଏହା ୩୮.୮ କୋଟି ଗ୍ରାହକ ହାସଲ କରିପାରିଛି।

ବିଶ୍ବର ଅଗ୍ରଣୀ ଡିଜିଟାଲ୍ ସମାଜ ହେବ ଭାରତ: ମୁକେଶ

ମୁମ୍ବାଇ : ଫେସବୁକ୍ ଓ ଜିଓ ମଧ୍ୟରେ ସ୍ବାକ୍ଷର ହୋଇଥିବା ବୁଝାମଣା ଭାରତକୁ ଆଗାମୀ ଦିନରେ ବିଶ୍ବର ଅଗ୍ରଣୀ ଡିଜିଟାଲ୍‌ ସମାଜରେ ପରିଣତ କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି କହିଛନ୍ତି। ଫେସବୁକ୍‌କୁ ଆମେ ଦୀର୍ଘମିଆଦୀ ସହଯୋଗୀ ଭାବେ ସ୍ବାଗତ କରୁଛୁ ବୋଲି ସେ କହିଛନ୍ତି। ଫେସବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁବରବର୍ଗ ଓ ମୁଁ ସମାଜ ଭାବନା ନେଇ କାର୍ଯ୍ୟ କରୁଛୁ। ତାହା ହେଉଛି ଭାରତର ସର୍ବାଙ୍ଗ ଡିଜିଟାଲ୍ ପରିବର୍ତନ ଆଣିବା ଏବଂ ଭାରତୀୟଙ୍କୁ ସେବା ଯୋଗାଇ ଦେବା। ହ୍ବାଟସ୍‌ଆପ୍ ସହିତ ଜିଓମାର୍ଟ ସ୍ବାକ୍ଷର କରିଥିବା ବୁଝାମଣା ଦ୍ବାରା ଦେଶର ୩ କୋଟି କିରାନା ଷ୍ଟୋର ଉପକୃତ ହେବେ। ଏହାର ଅର୍ଥ ହେଉଛି ସମସ୍ତ ଭାରତୀୟ ନିକଟସ୍ଥ କିରାନା ଷ୍ଟୋର୍‌ରୁ ସାମଗ୍ରୀ ବରାଦ ଦେଇ ଶୀଘ୍ର ତାହାକୁ ପାଇପାରିବେ। ଏହା ଜରିଆରେ କିରାନା ଷ୍ଟୋର୍‌ ବି ଲାଭବାନ ହେବ ଏବଂ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ।

ସାବାସ୍‌ ମୁକେଶ: ମହିନ୍ଦ୍ରା
ମୁମ୍ବାଇ : ଫେସବୁକ୍ ଓ ଜିଓ ଭିତରେ ‌ହୋଇଥିବା ବୁଝାମଣାକୁ ନେଇ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଆନନ୍ଦ ପ୍ରକଟ କରିବା ସହ ମୁକେଶ ଅମ୍ବାନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କରୋନା ସଙ୍କଟ ସମୟରେ ହୋଇଥିବା ଏହି ବୁଝାମଣା ଭାରତର ଅର୍ଥନୈତିକ ଗୁରୁତ୍ବର ପ୍ରତିଫଳନ ବୋଲି ସେ କହିଛନ୍ତି। କରୋନା ପରର୍ବତୀ ସମୟରେ ଭାରତର ଅଭିବୃଦ୍ଧିର କେନ୍ଦ୍ର ସ୍ଥଳ ହେବ। ଏହି ବୁଝାମଣା ତାହାର ଏକ ସଙ୍କେତ ବୋଲି ମହିନ୍ଦ୍ରା କହିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି ଯେ, ଏହି ବୁଝାମଣା କେବଳ ସେହି ଦୁଇ ସଂସ୍ଥା ପାଇଁ ଲାଭଦାୟକ ନୁହେଁ। ଏହି ବୁଝାମଣା ସେହି ଭାବନାକୁ ଦୃଢ଼ କରୁଛି ଯେ କରୋନା ସଙ୍କଟ ପରେ ସାରା ବିଶ୍ବ ଭାରତ ଆଡ଼କୁ ମୁହାଁଇବ ଏବଂ ତାହା ଅଭିବୃଦ୍ଧିର କେନ୍ଦ୍ର ସ୍ଥଳ ହେବ। ସାବାସ୍ ମୁକେଶ ବୋଲି ମହିନ୍ଦ୍ରା କହିଛନ୍ତି।

ସମ୍ବନ୍ଧିତ ଖବର